ବାଦାମବାଡ଼ିରେ ହେବ ଅତ୍ୟାଧୁନିକ ଲାଇବ୍ରେରୀ, ଖର୍ଚ୍ଚ ହେବ ୩୦ କୋଟି ୫୮ ଲକ୍ଷ ଟଙ୍କା

ଭୁବନେଶ୍ୱର,୮ା୧୦(ଅସମାପିକା ସାହୁ): ବିଶିଷ୍ଟ ସଂଗ୍ରାମୀ, ସମାଜବାଦୀ ନେତା ସ୍ବର୍ଗତଃ ବିଶ୍ୱନାଥ ପଣ୍ଡିତଙ୍କ ସ୍ମୃତିରେ କଟକର ପୁରୀ-ଅନୁଗୋଳ ବସ୍‌ଷ୍ଟାଣ୍ଡ ବାଦାମବାଡ଼ିଠାରେ ଏକ ଅତ୍ୟାଧୁନିକ ଲାଇବ୍ରେରୀ ପ୍ରତିଷ୍ଠା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଷ୍ପତ୍ତି ନେଇଛନ୍ତି। ଏଥିପାଇଁ ୩୦ କୋଟି ୫୮ ଲକ୍ଷ ୩୧ ହଜାର ୧୦୦ ଟଙ୍କା ଖର୍ଚ୍ଚ ପ୍ରସ୍ତାବକୁ ମଧ୍ୟ ମୁଖ୍ୟମନ୍ତ୍ରୀ ମଞ୍ଜୁରୀ ଦେଇଛନ୍ତି।
୫-ଟି ସଚିବ ଭିକେ ପାଣ୍ଡିଆନଙ୍କ କଟକ ଗସ୍ତ ସମୟରେ କଟକରେ ସ୍ବର୍ଗତ ବିଶ୍ୱନାଥ ପଣ୍ଡିତଙ୍କ ସ୍ମୃତିରେ ଏକ ଅତ୍ୟାଧୁନିକ ଲାଇବ୍ରେରୀ ପ୍ରତିଷ୍ଠା ପାଇଁ କଟକବାସୀଙ୍କ ମତାମତକୁ ଗ୍ରହଣ କରି ରାଜ୍ୟ ସରକାର ଏହି ନିଷ୍ପତ୍ତି ନେଇଛନ୍ତି।

ଏହି ଲାଇବ୍ରେରୀରେ ଏକ ବଡ଼ ରିଡିଂ ହଲ୍‌ ମଧ୍ୟ ରହିବ। ବିଭିନ୍ନ ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ଛାତ୍ରୀଛାତ୍ର ସେଠାରେ ପ୍ରସ୍ତୁତି କରି ପାରିବେ।

ସୂଚନାଯୋଗ୍ୟ, ସ୍ବର୍ଗତ ବିଶ୍ୱନାଥ ପଣ୍ଡିତ କଟକର ଡଗରପଡ଼ାଠାରେ ଜନ୍ମଗ୍ରହଣ କରିଥିଲେ। ସ୍ବାଧୀନତା ସଂଗ୍ରାମରେ ଯୋଗ ଦେଇ ସେ କାରାବରଣ କରିଥିଲେ। ପରେ ସମାଜବାଦୀ ଆନ୍ଦୋଳନରେ ଯୋଗ ଦେଇ ଦଳିତ, ଶ୍ରମିକ ଓ ମଜଦୁରମାନଙ୍କ ସ୍ବାର୍ଥର ସୁରକ୍ଷା ପାଇଁ ଜୀବନବ୍ୟାପୀ ସଂଗ୍ରାମ କରିଥିଲେ।

ତାଙ୍କ ନାମରେ ଲାଇବ୍ରେରୀ ପ୍ରତିଷ୍ଠା ଦ୍ୱାରା ସ୍ବର୍ଗତ ପଣ୍ଡିତଙ୍କର ସ୍ମୃତିକୁ ଉପଯୁକ୍ତ ସମ୍ମାନ ମିଳିବା ସହିତ ତାଙ୍କ ଅବଦାନ ସମ୍ପର୍କରେ ଜନସାଧାରଣ, ବିଶେଷକରି ଯୁବସମାଜ ଅବଗତ ହେବା ସହିତ ଅନୁପ୍ରାଣିତ ହେବେ ବୋଲି ମୁଖ୍ୟମନ୍ତ୍ରୀ ଆଶା ପ୍ରକାଶ କରିଛନ୍ତି।

Share