ଗାଦିମଡ଼ା ଅଧିକାରୀଙ୍କୁ ପୋଲିସ କମିଶନରଙ୍କ କଡ଼ା ଚେତାବନୀ, କହିଲେ ସମ୍ପୂର୍ଣ୍ଣ ତଥ୍ୟ ନେବାକୁ…

କଟକ,୧ା୧୦: ଡିସିପି ଅଫିସରେ ପହଞ୍ଚି କଟକ ଡିସିପି ଜଗମୋହନ ମୀନାଙ୍କ ସମେତ ବରିଷ୍ଠ ପୋଲିସ ଅଧିକାରୀଙ୍କ ସହ ପ୍ରଥମ ବୈଠକ କରିଛନ୍ତି ନୂଆ ପୋଲିସ କମିଶନର ସୁରେଶ ଦେବଦତ୍ତ ସିଂହ। ପାର୍ବଣ ସମେତ ଆଇନଶୃଙ୍ଖଳା ନେଇ ଆଲୋଚନା କରିଛନ୍ତି। ଏହି ସମୟରେ ଗାଦିମଡ଼ା ପୋଲିସ ଅଧିକାରୀଙ୍କୁ ସେ କଡ଼ା ଚେତାବନୀ ଦେଇଛନ୍ତି। ସେ କହିଛନ୍ତି, ପରଫରମାନ୍ସ ହେଉଛି ଆଧାର, ନ କରିପାରିଲେ ଆକ୍ସନ ନିଆଯିବ। ଏଥିସହିତ ଦୀର୍ଘଦୀନରୁ ଥିବା ଅଧିକାରୀଙ୍କ ତଥ୍ୟ ନେବି ବୋଲି କହିଛନ୍ତି ସିପି। ସେ କହିଛନ୍ତି, ଲୋକଙ୍କୁ ତ୍ୱରିତ ନ୍ୟାୟ ଦେବା ଉପରେ ଗୁରୁତ୍ୱ ଦିଆଯିବ। ନ୍ୟାୟ ସହ ଥାନାରେ ଉତ୍ତମ ବ୍ୟବହାର ଉପରେ ଗୁରୁତ୍ୱ ଦେବାକୁ ସିପି କହିଛନ୍ତି। ସେ କହିଛନ୍ତି, ଅଭିଯୋଗକାରୀ ଥାନାର ଅତିଥି, ଉତ୍ତମ ବ୍ୟବହାର କର। ଦିନ ହେଉ କି ରାତି ତୁରନ୍ତ ଅଭିଯୋଗ ଶୁଣିବାକୁ କମିଶନର କଡ଼ା ନିର୍ଦ୍ଦେଶ ଦେଇଛନ୍ତି।

ସୂଚନାଯୋଗ୍ୟ, ଦଶହରା ପୂର୍ବରୁ ବଡ଼ଧରଣର ଅଦଳବଦଳ ହୋଇଛି । ରାଜ୍ୟ ସରକାରଙ୍କ ପକ୍ଷରୁ ଭାରତୀୟ ପୋଲିସ ସେବା (ଆଇପିଏସ୍‌) ସ୍ତରରେ ଅଦଳବଦଳ କରାଯାଇଛି। କଟକ-ଭୁବନେଶ୍ବର ପୋଲିସ କମିଶନର ସଞ୍ଜୀବ ପଣ୍ଡାଙ୍କୁ ବଦଳି କରାଯାଇ ଏଡିଜି ଟ୍ରେନିଂ ଏବଂ ବିପିଏସ୍‌ପିଏ ନିର୍ଦ୍ଦେଶକ ଭାବେ ଅବସ୍ଥାପିତ କରାଯାଇଛି। ସେହିପରି କଟକ-ଭୁବନେଶ୍ବର ପୋଲିସ କମିଶନର ଭାବେ ସୁରେଶ ଦେବଦତ୍ତ ସିଂଙ୍କୁ ନିଯୁକ୍ତି ଦିଆଯାଇଛି।

୧୯୯୮ ବ୍ୟାଚର ବରିଷ୍ଠ ଆଇପିଏସ ସୁରେଶ ଦେବଦତ୍ତ ସିଂ ନୂତନ କମିଶନର ଭାବେ ସୋମବାର ଦାୟିତ୍ୱ ଗ୍ରହଣ କରିଛନ୍ତି। ଗାର୍ଡ ଅଫ ଅନର ପ୍ରଦାନ ପରେ ପୂର୍ବତନ କମିଶନର ସଞ୍ଜୀବ ପଣ୍ଡା ତାଙ୍କ ଦାୟିତ୍ୱ ହସ୍ତାନ୍ତର କରିଛନ୍ତି।

ଦାୟିତ୍ୱ ଗ୍ରହଣ ପରେ ଗଣମାଧ୍ୟମ ସମ୍ମୁଖରେ ପ୍ରତିକ୍ରିୟା ରଖି ଦେବଦତ୍ତ ସିଂ କହିଛନ୍ତି, ପୋଲିସ ଏକ ସାଙ୍ଗେ କଠୋର ଓ ନରମ ଆଭିମୁଖ୍ୟ ଗ୍ରହଣ କରିବ । ଅପରାଧୀଙ୍କ ପ୍ରତି କଠୋର ଓ ଲୋକଙ୍କ ପ୍ରତି ନରମ ମନୋଭାବ ପୋଷଣ କରିବ । ଥାନାକୁ ଆସୁଥିବା ଲୋକଙ୍କ ପ୍ରତି ପୋଲିସ ସମ୍ବେଦନଶୀଳ ରହିବ । ଆଇନ ପରିସରରେ ରହି ଯଥାସମ୍ଭବ ନ୍ୟାୟ ଦିଆଯିବ। ପୂର୍ବରୁ ଏଡିଜି ଅପରେଶନ ରହି ସାରିଥିବା ସୁରେଶ ଦେବଦତ୍ତଙ୍କର ଦୀର୍ଘବର୍ଷର ଅଭିଜ୍ଞତା ରହିଛି।