ମତ୍ସ୍ୟଜୀବୀଙ୍କ ଜାଲରେ ପଡ଼ିଲା ଅଦ୍ଭୁତ ମାଛ, ଦେଖିବାକୁ ଲୋକଙ୍କ ପ୍ରବଳ ଭିଡ଼, କେଜି ଏତିକି ଟଙ୍କାରେ ହେଲା ବିକ୍ରି

ଭୋଗରାଇ,୨୨ା୯(ପ୍ରଦୀପ ଦାସ): ଓଡ଼ିଶା ସୀମାନ୍ତ ପଶ୍ଚିମବଙ୍ଗ ରାଜ୍ୟ ଦୀଘା ମୁହାଣରେ ବଙ୍ଗୀୟ ମତ୍ସ୍ୟଜୀବୀଙ୍କ ଜାଲରେ ଧରାପଡ଼ିଛନ୍ତି ଲକ୍ଷାଧିକ ଟଙ୍କାର ତେଲିଆ ଶିଳା ମାଛ। ଦୀଘା ମୁହାଣକୁ ଶନିବାର ଏହି ମାଛ ନିଲାମ ପାଇଁ ଆସିଥିଲା। ମାଛକୁ ଦେଖିବା ପାଇଁ ସ୍ଥାନୀୟ ଲୋକଙ୍କ ଭିଡ଼ ଜମିଥିଲା। ପ୍ରଥମ ୨ଟି ମାଛ କ୍ରମାନ୍ବୟରେ ୨୫ ଓ ୨୩ କେଜି ଓଜନର ମୋଟ୍‌ ୪୮କେଜି ହୋଇଥିଲା ବେଳେ ଏହା କେ.ଜି ପ୍ରତି ୧୩ ହଜାର ୫ଶହ ଟଙ୍କା ଦରରେ ବିକ୍ରି ହୋଇ ମୋଟ୍‌ ୬ଲକ୍ଷ ୪୮ହଜାର ଟଙ୍କା ହୋଇଥିଲା। ଅନ୍ୟ ୩ଟିର ଓଜନ ୫୮ କେଜି ରହିଥିଲା ବେଳେ ଏହା କିଗ୍ରା ପ୍ରତି ୯ ହଜାର ୫୦୦ ଟଙ୍କା ମୂଲ୍ୟରେ ମୋଟ୍‌ ୫ ଲକ୍ଷ ୫୧ ହଜାର ଟଙ୍କାରେ ବିକ୍ରି ହୋଇଥିବା ଜଣାପଡ଼ିଛି।

ସେହିପରି ବାକି ୪ଟି ମାଛର ଓଜନ ୯୩ କିଲୋଗ୍ରାମ ହୋଇଥିଲା ବେଳେ କିଲୋପ୍ରତି ୩ହଜାର ୪ଶହ ଟଙ୍କା ମୂଲ୍ୟରେ ୩ଲକ୍ଷ ୧୬ହଜାର ୨ଶହ ଟଙ୍କାରେ ବିକ୍ରି ହୋଇଥିଲା। ସର୍ବମୋଟ୍‌ ୧ କୁଇଣ୍ଟାଲ ୯୯ କିଗ୍ରା ମାଛ ୧୫ ଲକ୍ଷ ୧୫ ହଜାର ୨ଶହ ଟଙ୍କା ମୂଲ୍ୟରେ କୋଲକାତାର ଏକ କମ୍ପାନୀ କିଣିଥିବା ସୂଚନା ମିଳିଛି।

ସୂଚନାନୁଯାୟୀ,ଏହି ମାଛର ବ୍ଲାଡର ଔଷଧ ପ୍ରସ୍ତୁତରେ ବ୍ୟବହୃତ ହେଉଥିବା ଦୃଷ୍ଟିରୁ ଏହାର ଯଥେଷ୍ଟ ଚାହିଦା ରହିଛି। ମାତ୍ର ଏହି ତେଲିଆ ଶିଳା ମାଛ କ୍ୱଚିତ ଦେଖିବାକୁ ମିଳିିଥାଏ। ମାଛର ମେଲ୍‌ ଓ ଫିମେଲ ଦେଖି ଏବଂ ଅଧିକ ଓଜନ ଅନୁସାରେ ମାଛର ମୂଲ୍ୟ ନିର୍ଦ୍ଧାରଣ କରାଯାଇଥାଏ ବୋଲି ମତ୍ସ୍ୟ ବେପାରୀମାନେ ପ୍ରକାଶ କରିଛନ୍ତି।

Share