ଉତ୍କଳ ବିଶ୍ୱବିଦ୍ୟାଳୟ ପ୍ରଫେସରଙ୍କ ନାଁରେ ସଙ୍ଗୀନ ଅଭିଯୋଗ ଆଣିଲେ ଛାତ୍ରୀ

ଭୁବନେଶ୍ୱର,୧୫ା୯(ଶର୍ମିଷ୍ଠା ପାଣିଗ୍ରାହୀ): ଉତ୍କଳ ବିଶ୍ୱବିଦ୍ୟାଳୟର ଜଣେ ଅଧ୍ୟାପକଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ ଆସିଛି। ଅର୍ଥନୀତି ବିଭାଗର ଜଣେ ଛାତ୍ରୀ ଏନେଇ ବିଶ୍ୱବିଦ୍ୟାଳୟର ଯୌନ ନିର୍ଯାତନା ସେଲ୍‌ରେ ଲିଖିତ ଅଭିଯୋଗ କରିଛନ୍ତି। ଏହାପରେ ସେଲ୍‌ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି। ଅଗଷ୍ଟ ୧୬ରେ ଏହି ଘଟଣା ଘଟିଥିବା ବେଳେ ଏବେ ଅଭିଯୋଗ ହେବା ପରେ ଘଟଣା ପଦାକୁ ଆସିଛି। ପୀଡିତା ଛାତ୍ରୀ ଜଣକ ତାଙ୍କ ଅଭିଯୋଗରେ ଉଲ୍ଲେଖ କରିଛନ୍ତି ଯେ, ଏକ ପାଠ୍ୟପୁସ୍ତକ ଆଣିବାକୁ ବିଭାଗକୁ ଯାଇଥିବା ବେଳେ ଜଣେ ଅଧ୍ୟାପକ ତାଙ୍କୁ ଅସଦାଚରଣ କରିଥିଲେ। ଏପରିକି ଏ ସମ୍ପର୍କରେ କାହାକୁ ନ ଜଣାଇବାକୁ ଅଧ୍ୟାପକଜଣକ ତାଙ୍କୁ କହିଥିଲେ। ଏନେଇ ସେଲ୍‌ ପକ୍ଷରୁ କୁହାଯାଇଛି, ଅଭିଯୋଗର ତଦନ୍ତ ଆରମ୍ଭ ହୋଇଛି, ଆସନ୍ତା ମଙ୍ଗଳବାର ଏ ସମ୍ପର୍କରେ କର୍ତ୍ତୃପକ୍ଷଙ୍କୁ ରିପୋର୍ଟ ପ୍ରଦାନ କରାଯିବ। ରିପୋର୍ଟ ଆଧାରରେ କର୍ତ୍ତୃପକ୍ଷ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ନେବେ। ତେବେ ଏନେଇ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ କୌଣସି ପ୍ରତିକ୍ରିୟା ମିିଳିପାରି ନାହିଁ।

Share