ଖମାର,୨୪।୭ (ରଜନୀକାନ୍ତ ମହାରଣା): ଅନୁଗୋଳ ଜିଲା ପାଲଲହଡା ଉପଖଣ୍ଡ ଶଙ୍ଖମୁରସ୍ଥିତ ଲକ୍ଷ୍ମୀ ନାରାୟଣ ସରକାରୀ ବିଦ୍ୟାଳୟ ଶ୍ରେଣୀଗୃହରେ ମଙ୍ଗଳବାର ଛତା ଧରି ବସିଛନ୍ତି ଛାତ୍ରୀଛାତ୍ର। ଗତବର୍ଷ ୫-ଟି ଅଧୀନରେ ଏହି ବିଦ୍ୟାଳୟର ଉନ୍ନତୀକରଣ ହୋଇଥିବା ବେଳେ କିଛି ମାସ ନ ଯାଉଣୁ ଛାତରୁ ପାଣି ଗଳିବାରୁ ଏପରି ସ୍ଥିତି ସୃଷ୍ଟି ହୋଇଛି।
ସୂଚନା ଅନୁଯାୟୀ, ୧୯୮୧ ମସିହାରେ ଏହି ବିଦ୍ୟାଳୟ ନିର୍ମାଣ ହୋଇଥିବା ବେଳେ ପ୍ରଥମ ଶ୍ରେଣୀ ଠାରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ପ୍ରାୟ ୩୧୬ ପିଲା ପଢ଼ୁଛନ୍ତି। ଗତବର୍ଷ ଏହି ସ୍କୁଲରେ ୫-ଟି ଅଧୀନରେ ଲକ୍ଷାଧିକ ଟଙ୍କାର ଉନ୍ନତୀକରଣ କାର୍ଯ୍ୟ କରାଯାଇଛି। ତଥାପି ପ୍ରଥମରୁ ସପ୍ତମ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢା ହେଉଥିବା ବେଳେ ଶ୍ରେଣୀଗୃହ ଗୁଡ଼ିକରେ ବର୍ଷା ପାଣି ଗଳିବା ଫଳରେ ପିଲାମାନେ ଛତା ଧରି ବସିଥିବା ଦେଖିବାକୁ ମିଳିଛି। ଏ ବିଷୟରେ ପ୍ରଧାନ ଶିକ୍ଷକ ସରୋଜ କୁମାର ଦ୍ୱିବେଦୀ କହିଛନ୍ତି, ବର୍ତ୍ତମାନ ଥିବା ଦୁଇ ମହଲା ବିଶିଷ୍ଟ ସ୍କୁଲ ଘରର ତଳ ମହଲାଟି ପୂର୍ବରୁ ନିର୍ମାଣ ହୋଇଥିଲା। ଠିକାଦାର କେବଳ ଉପର ମହଲା ଘର ନିର୍ମାଣ ସହିତ ଭିତରେ ଅନ୍ୟ ଆବ୍ୟଶ୍ୟକ ସାମଗ୍ରୀ ଲଗାଇଛନ୍ତି। ସ୍କୁଲ ଘରର ବିଭିନ୍ନ ସମସ୍ୟା ନେଇ ସେ ବିଭାଗୀୟ ଅଧିକାରୀମାନଙ୍କୁ ଅବଗତ କରାଇଛନ୍ତି। କିନ୍ତୁ ସମାଧାନ ହୋଇ ନ ଥିବା ପ୍ରଧାନଶିକ୍ଷକ କହିଛନ୍ତି। ନିମ୍ନମାନର କାମ ପାଇ ଗୋଟିଏ ବର୍ଷାରେ ସ୍କୁଲର ଅବସ୍ଥା ଏମିତି ହୋଇଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି।