ସଫଳ ପିଜୁଳି ଚାଷୀ କୁଅଁର ଦମ୍ପତି, କରୁଛନ୍ତି ଲକ୍ଷାଧିକ ଟଙ୍କା ଆୟ

ସମ୍ବଲପୁର,୨୩ା୯ (ଶୁଭାଶିଷ ପାଢ଼ୀ): ଦୃଢ଼ ଇଚ୍ଛାଶକ୍ତି ଥିଲେ ସଫଳତା ମିଳେ। ସଂଘର୍ଷ କରି ଏଭଳି ସଫଳତା ପାଇଛନ୍ତି ସମ୍ବଲପୁର ଜିଲା ରେଙ୍ଗାଲି ବ୍ଲକ ଫଟାମୁଣ୍ଡା ଗାଁର ଚାଷୀ ଦମ୍ପତି ଯଜ୍ଞଶିନୀ କୁଅଁର ଓ ସ୍ବାମୀ ମହେନ୍ଦ୍ର। ଏମାନେ ପିଜୁଳି ଚାଷ କରି ଲକ୍ଷାଧିକ ଟଙ୍କା ଆୟ କରୁଛନ୍ତି। ସ୍ଥାନୀୟ ଅଞ୍ଚଳର ଚାଷୀଙ୍କ ପାଇଁ ଏହି ଦମ୍ପତି ଏବେ ପ୍ରେରଣା ପାଲଟିଛନ୍ତି। ମହେନ୍ଦ୍ର କହନ୍ତି, ପୂର୍ବରୁ ପାରମ୍ପରିକ ପ୍ରଣାଳୀରେ ଧାନଚାଷ କରିଆସୁଥିଲେ। ଏହି ଚାଷରେ ବିଶେଷ ଲାଭ ହେଉ ନ ଥିଲା। କିଛି ଭିନ୍ନ ଚାଷ କରିବା ପାଇଁ ମନରେ ଭାବିଥିଲେ। ଚାଷରେ ସଫଳତା ପାଇବା ପାଇଁ ସୋସିଆଲ ମିଡିଆ ୟୁଟ୍ୟୁବ ଦେଖିଥିଲେ। ତାଇ- ୭ ପ୍ରଜାତିର ପିଜୁଳି ଓ କାଜୁ ଚାଷ କିପରି ହୋଇଥାଏ ସେ ନେଇ ଏକ ଭିଡ଼ିଓ ଦେଖିଥିଲେ। ଏହାପରେ ପାରମ୍ପରିକ ପୁରୁଣା ଚାଷ ପଦ୍ଧତି ଛାଡି ଜୈବିକ ପଦ୍ଧତିରେ ପିଜୁଳି ଓ କାଜୁ ଚାଷ କରିବା ପାଇଁ ଆଗ୍ରହ ବଢିଥିଲା। ଶେଷରେ ଜୈବିକ ପ୍ରଣାଳିରେ ପିଜୁଳି ଓ କାଜୁ ଚାଷ ଆରମ୍ଭ କରିଥିଲେ। ନିଜର ୨ ଏକର ଜମିରେ ସେ ୨ ହଜାର ଗୋଟି ତାଇ-୭ ପ୍ରଜାତି ପିଜୁଳି ଚାରା ଲଗାଇଥିଲେ। ଏଥିରେ ସେ ସୋରିଷ ଓ ଲିମ୍ବ ପିଡିଆର ଜୈବିକ ଖତ ପ୍ରୟୋଗ କରିଥିଲେ। ଗୋଟିଏ ଚାରାକୁ ସେ ୨୫୦ ଟଙ୍କାରେ କିଣିଥିଲେ। ଏଥିରେ ତାଙ୍କର ମୋଟ ୫ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିଲା। ସେହିପରି ୩ ଏକର ଜମିରେ ସେ ଜୈବିକ ପଦ୍ଧତିରେ କାଜୁ ଚାଷ ମଧ୍ୟ କରିଛନ୍ତି। ଏବେ ଗଛଗୁଡିକ ବଡ ହୋଇ ଫଳ ଧରିବା ଆରମ୍ଭ କଲାଣି। ମହେନ୍ଦ୍ରଙ୍କ ଏହି ଚାଷ କାମରେ ସ୍ତ୍ରୀ ଯଜ୍ଞଶିନୀଙ୍କ ସମ୍ପୂର୍ଣ୍ଣ ସହଯୋଗ ରହିଛି। ଯଜ୍ଞଶିନୀ ସ୍ଥାନୀୟ ସମିତିସଭ୍ୟା ହୋଇଥିବା ବେଳେ ନିଜ କାମରୁ ଟିକିଏ ଅବସର ମିଳିଲେ ସ୍ବାମୀଙ୍କୁ ସହଯୋଗ କରନ୍ତି। ଏହି ତାଇ- ୭ ପିଜୁଳି ଚାଷର ବିଶେଷତ୍ୱ ହେଉଛି ଏହା ବର୍ଷକରେ ୩ଥର ଫଳ ଅମଳ ଦେଇଥାଏ। ଏଭଳି ଅର୍ଥକରୀ ଚାଷ କରି ସେ ନିଜେ ଲାଭବାନ ହେବାସହ ସ୍ଥାନୀୟ ଅଞ୍ଚଳର ୧୦ ଜଣ ଲୋକଙ୍କୁ ରୋଜଗାର ଦେଇଛନ୍ତି। ଚାଷୀ ଦମ୍ପତିଙ୍କ ଏହି ଉଦ୍ୟମକୁ ସ୍ଥାନୀୟ ଅଞ୍ଚଳରେ ବେଶ୍‌ ପ୍ରଶଂସା କରାଯାଉଛି।

Share