ପୁରୀ,୨୬ା୧୨(ଅଜିତ୍ ମହାନ୍ତି):ଇନ୍ଦ୍ରଦ୍ୟୁମ୍ନ ପୋଖରୀ ପରିସରରେ ଏକ ସୁଡ଼ଙ୍ଗର ସନ୍ଧାନ ମିଳିଛି। ତେବେ ସୁଡ଼ଙ୍ଗର ପ୍ରବେଶ ପଥ ବେଶୀ ବଡ଼ ନ ଥିବାବେଳେ ବହୁ ଦୂର ପର୍ଯ୍ୟନ୍ତ ଲମ୍ବିଥିବା ଅନୁମାନ କରାଯାଉଛି। କିଛିମାସ ହେବ ଏହି ପୋଖରୀର ଉନ୍ନତୀକରଣ ପାଇଁ ପାଣି ଶୁଖାଯାଉଥିଲା। ପାଣି ଶୁଖିଯିବା ପରେ ପୋଖରୀ ଭିତରେ ଗୋଟିଏ ସୁଡ଼ଙ୍ଗ ଥିବା ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ। ଏହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି।
ସ୍ଥାନୀୟ ବାସିନ୍ଦା ଦିଲୀପ କୁମାର ଲେଙ୍କା କହିଛନ୍ତି, ପିଲାବେଳେ ତାଙ୍କ ବାପାଙ୍କଠାରୁ ସେ ଶୁଣିବାକୁ ପାଇଥିଲେ ଯେ, ଇନ୍ଦ୍ରଦ୍ୟୁମ୍ନ ପୋଖରୀର ଉତ୍ତରପାର୍ଶ୍ୱସ୍ଥ ଯେଉଁଠାରୁ ସୁଡ଼ଙ୍ଗ ବାହାରିଛି, ସେଠାରେ ଜଣେ ସାଧୁ ପଦ୍ମାସନ କରି ଯୋଗ କରୁଥିଲେ। ହଠାତ୍ ଦିନେ ସେଇ ସୁଡ଼ଙ୍ଗ ଦେଇ ଗୋଟିଏ କୁମ୍ଭୀର ଆସି ତାଙ୍କୁ ଗିଳି ଦେଇଥିଲା। ତେଣୁ ବହୁ ପୁରାତନ କାଳରୁ ଏହି ସୁଡ଼ଙ୍ଗ ଥିବା ସ୍ଥାନୀୟ ପୁରୁଖା ଲୋକେ ଜାଣିଛନ୍ତି। ସୁଡ଼ଙ୍ଗ ନିକଟରେ ପାହାଚ ଥିଲା ଓ ସେତେବେଳେ ସ୍ଥାନୀୟ ଲୋକେ ଇନ୍ଦ୍ରଦ୍ୟୁମ୍ନ ପୋଖରୀରେ ସ୍ନାନ କରୁଥିଲେ। କାଳକ୍ରମେ ସେହି ସୁଡ଼ଙ୍ଗ ଉଚ୍ଚର ପାଣି ହୋଇଯିବାରୁ ଆଉ କିଛି ଦେଖିବାକୁ ଅବା ଶୁଣିବାକୁ ମିଳି ନ ଥିଲା। ବର୍ତ୍ତମାନ ଇନ୍ଦ୍ରଦ୍ୟୁମ୍ନ ପୁଷ୍କରିଣୀର ପୁନରୁଦ୍ଧାର କାର୍ଯ୍ୟ ଚାଲିବାକୁ ଥିବାରୁ ସେଥିରୁ ପାଣି ନିଷ୍କାସନ କରାଯିବା ପରେ ଏହି ସୁଡ଼ଙ୍ଗ ନଜରକୁ ଆସିଛି। ତେବେ ଏହି ସୁଡ଼ଙ୍ଗ କେତେବାଟ ଲମ୍ବିଛି ତାହା ଜଣାପଡ଼ିନାହିଁ। ଏନେଇ ଅନୁସନ୍ଧାନ ହେବା ଆବଶ୍ୟକ ବୋଲି ସ୍ଥାନୀୟ ଲୋକେ ମତ ଦେଇଛନ୍ତି। ପାଣି ନିଷ୍କାସନ ଯୋଗୁ ସୁଡ଼ଙ୍ଗ ବାହାରିଛି ନା ପ୍ରକୃତପକ୍ଷେ ତାହା ଗୁପ୍ତ ସୁଡ଼ଙ୍ଗ ସେ ନେଇ ଅନୁସନ୍ଧାନ ପରେ ସତ୍ୟାସତ୍ୟ ସ୍ପଷ୍ଟ ହେବ ବୋଲି ଆଶା କରାଯାଉଛି।