କୋକସରା,୨୦।୧୦(ଡି.ଏନ.ଏ.): କଳାହାଣ୍ଡି ଜିଲା କୋକସରା ବ୍ଲକର ବିଭିନ୍ନ ଶୈବପୀଠରେ ଗୁରୁବାର ଏକ ଅଲୌକିକ ଘଟଣା ଦେଖିବାକୁ ମିଳିଛି। ମହାଦେବଙ୍କ ବୃଷଭ କ୍ଷୀର ଓ ପାଣି ପିଉଥିବା ନେଇ ପ୍ରଚାର ହେବାପରେ କୋକସରା ବ୍ଲକର ଡେଙ୍ଗାଗୁଡାଠାରେ ଥିବା ଶମ୍ଭୁଶ୍ୱର ମନ୍ଦିର, ବଡକେନ୍ଦୁଗୁଡା ଝାରବନ୍ଧଠାରେ ଥିବା ପ୍ରାଚୀନ କାଳେଶ୍ୱର ମହାଦେବ ମନ୍ଦିର, ବରାଡଙ୍ଗାରେ ଥିବା ଶୈବପୀଠରେ ଭକ୍ତଙ୍କ ଭିଡ଼ ଦେଖିବାକୁ ମିଳଥିଲା। ତେବେ ଭକ୍ତମାନେ କ୍ଷୀର ଓ ପାଣି ଧରି ଶୈବପୀଠରେ ବୃଷଭକୁ ଚାମଚରେ କ୍ଷୀର ଓ ପାଣି ପିଆଇଥିବା ଦେଖିବାକୁ ମିଳିଛି। ତେବେ ଏହି ଘଟଣାକୁ ନେଇ ଭିନ୍ନ ଭିନ୍ନ ମତ ପ୍ରକାଶ ପାଇଛି। ପାଗ ପରିବର୍ତ୍ତନ ହେଲେ ପଥରରେ ନିର୍ମିତ ଯେ କୌଣସି ମୂର୍ତ୍ତି ଆଗରେ ପାନୀୟ ଜଳ ରଖିଲେ ଏମିତି ହୋଇଥାଏ ବୋଲି କେତେକ ଲୋକ କହିଛନ୍ତି। ତେବେ କେଉଁ କାରଣରୁ ଏମିତି ହେଉଛି ତାହା ସ୍ପଷ୍ଟ ହୋଇ ନ ଥିବା ବେଳେ ଭଗବାନଙ୍କ ଆସ୍ଥା ଓ ବିଶ୍ୱାସ ଆଗରେ ଭକ୍ତମାନେ ଏହାକୁ ମହାଦେବଙ୍କ ଅଲୌକିକ ମହିମା କହି ପୂଜାର୍ଚ୍ଚନା କରୁଛନ୍ତି।