ଆସିଲା ୬୦ ହଜାର କୁଇଣ୍ଟାଲ ଟାର୍ଗେଟ

ନୟାଗଡ଼ ଅଫିସ,୫।୩: ନୟାଗଡ଼ ଜିଲାରେ ଅଭାବୀ ଧାନ ବିକ୍ରି ବଢ଼ୁଛି। ଜିଲାରେ ସରକାର ଖୋଲିଥିବା ମଣ୍ଡିରେ ଟାର୍ଗେଟ ଶେଷ ହୋଇଯାଇଛି ଦର୍ଶାଇ ଚାଷୀଙ୍କ ଧାନ କିଣାଯାଉ ନ ଥିବାରୁ ଏପରି ପରିସ୍ଥିତି ସୃଷ୍ଟି ହୋଇଛି । ଚାଷୀ ମଣ୍ଡିକୁ ଯାଇ ହଇରାଣ ହୋଇ ଫେରିବା ପରେ ବାଧ୍ୟ ହୋଇ କମ୍‌ ଦରରେ ଧାନ ବିକୁଛି। ଅନ୍ୟପକ୍ଷେ ଜିଲା ଯୋଗାଣ ବିଭାଗ ପକ୍ଷରୁ ୨ ଲକ୍ଷ ୨୦ ହଜାର କୁଇଣ୍ଟାଲ ଅଧିକ ଧାନ କିଣିବାକୁ ସରକାରଙ୍କୁ ଟାର୍ଗେଟ ମଗାଯାଇଥିଲା। ହେଲେ ଗୁରୁବାର ୬୦ ହଜାର କୁଇଣ୍ଟାଲ ଟାର୍ଗେଟ ଆସିଛି। ଧାନ ଟାର୍ଗେଟକୁ ଅନୁଧ୍ୟାନ କଲେ ଏହା କଳହକୁ ଆମନ୍ତ୍ରଣ କରୁଛି ବୋଲିି ଚାଷୀ ନେତାମାନେ କହିଛନ୍ତି। ଅପରପକ୍ଷେ ଓଡ଼ଗଁା ବ୍ଲକ ପଞ୍ଚରିଡା ମାନପୁର ପ୍ରାଥମିକ କୃଷି ସମବାୟ ସମିତିରେ ଖୋଲିଥିବା ମଣ୍ଡିରେ ୧୬ ଦିନ ହେଲା ଚାଷୀମାନେ ଧାରଣା ଦେଉଛନ୍ତି। ଆନ୍ଦୋଳରତ ଚାଷୀଙ୍କ ଧାନ କିଣିବାରେ ପ୍ରଶାସନ କୌଣସି ପଦକ୍ଷେପ ନ ନେଇ ଚୁପ୍‌ ହୋଇବସିଛି। ଏହାର ପ୍ରତିବାଦରେ ଗୁରୁବାର ଆଇନ ଅମାନ୍ୟ ଆନ୍ଦୋଳନ ହୋଇଥିଲା। ଆନ୍ଦୋଳନକାରୀମାନେ ସମିତିର ସମ୍ପାଦକ, ସହକାରୀ ସମ୍ପାଦକଙ୍କ ସମେତ ୪ଜଣଙ୍କୁ ଅଟକ ରଖିଥିଲେ। ଧାନ କିଣା ହେଲେ ଅଟକ କର୍ମଚାରୀଙ୍କୁ ଛାଡିବାକୁ କହିଥିଲେ। ଶେଷରେ ଚାଷୀମାନେ ରାସ୍ତାରୋକୋ କରିବାକୁ ଉଦ୍ୟମ କରିଥିଲେ। ହେଲେ ଧାନ କିଣାଯିବ ବୋଲି ପ୍ରତିଶ୍ରୁତି ମିଳିବା ପରେ ଚାଷୀମାନେ ଆଇନଆମାନ୍ୟ ଆନ୍ଦୋଳନକୁ ହଟାଇ ନେଇଥିଲେ। କିନ୍ତୁ ଧାରଣା ହଟି ନ ଥିଲା। ଗୁରୁବାର ଧାନ କିଣା ନ ହେବାରୁ ଶୁକ୍ରବାର ପୁଣି ଆଇନଅମାନ୍ୟ ଆନ୍ଦୋଳନ କରିବାକୁ ଚାଷୀମାନେ ନିଷ୍ପତ୍ତି ନେଇଥିବା କହିଛନ୍ତି।
ଏ ନେଇ ଜିଲା ଯୋଗାଣ ଅଧିକାରୀ ବ୍ରଜବନ୍ଧୁ ନାୟକ କୁହନ୍ତି, ଆମେ ୨ ଲକ୍ଷ ୨୦ ହଜାର କୁଇଣ୍ଟାଲ ଧାନ କିଣିବାକୁ ଟାର୍ଗେଟ ମାଗିଥିଲୁ। ଆମକୁ ୬୦ ହଜାର କୁଇଣ୍ଟାଲ ଧାନ କିଣିବାକୁ ଟାର୍ଗେଟ ମିଳିଛି। ଏହି ପରିପ୍ରେକ୍ଷୀରେ ଆମେ ବିଭିନ୍ନ ପ୍ୟାକ୍ସକୁ ଗୁରୁବାର ଟାର୍ଗେଟ ପଠାଇ ସାରିଛୁ। ପଞ୍ଚରିଡା ମାନପୁର ପ୍ରାଥମିକ କୃଷି ସମବାୟ ସମିତିର ସମ୍ପାଦକ ରଘୁନାଥ ସାହୁ କୁହନ୍ତି, ଆମ୍ଭ ପ୍ୟାକ୍ସକୁ ପୂର୍ବରୁ ୩୦୦ ଓ ଗୁରୁବାର ୬୦୦ କୁଇଣ୍ଟାଲ ଏପରି ମୋଟ୍‌ ୯୦୦ କୁଇଣ୍ଟାଲ ଧାନ କିଣିବାକୁ ଟାର୍ଗେଟ ମିଳିଛି। ୨ ମିଲରଙ୍କ ମଧ୍ୟରୁ ଜଣେ ମିଲରଙ୍କୁ ଏହି ଟାର୍ଗେଟ ଦିଆଯାଇଛି। ଗୁରୁବାର ଧାନ କିଣିବାକୁ କୁହାଯାଇଥିଲା। ହେଲେ ମିଲର ଗାଡି ସମସ୍ୟା ଦେଖାଇ ଶୁକ୍ରବାର ସକାଳେ ଧାନ କିଣିବାକୁ କହିଛନ୍ତି। ଚାଷୀମାନେ ବୁଝିବା ପରିସ୍ଥିତିରେ ନାହାନ୍ତି। ସେମାନେ ଆନ୍ଦୋଳନ ପ୍ରତ୍ୟାହୃତ କରୁନାହାନ୍ତି। ଆମେ କିନ୍ତୁ ଆନ୍ଦୋଳନରତ ଚାଷୀଙ୍କୁ ବୁଝାଇବାକୁ ଉଦ୍ୟମ ଜାରି ରଖିଛୁ ବୋଲି ସେ କହିଛନ୍ତି।