୫ ଶ୍ରେଣୀକୁ ଜଣେ ଶିକ୍ଷକ

ଜଳେଶ୍ୱର, ୧୩।୭(ଡି.ଏନ.ଏ.) ଆଦିବାସୀ ଅଧ୍ୟୁଷିତ ବାଲେଶ୍ୱର ଜିଲା ରାଇବଣିଆ ଥାନା ଅଞ୍ଚଳର ନୂଆଗାଁ ପ୍ରାଥମିକ ବିଦ୍ୟାଳୟରେ ଜଣେ ଶିକ୍ଷକରେ ୫ଟି ଶ୍ରେଣୀ ଚାଲଛି। ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ରାଜେଶ ହାଁସଦା ସମସ୍ତ ଶ୍ରେଣୀରେ ଶିକ୍ଷାଦାନ କରିବା ଅସମ୍ଭବ ହୋଇପଡିଛି। ଜୁଲାଇ ୫ତାରିଖରେ ସଞ୍ଜୟ ନନ୍ଦି ନାମକ ଜଣେ ଶିକ୍ଷକ ଯୋଗଦାନ କରିଥିଲେ। ସେଦିନ ତାଙ୍କୁ ସିଆର୍‌ସିସି ଭାବେ ନିଯୁକ୍ତି ମିଳିବାରୁ ସେ ଏଠାକୁ ଆସୁ ନାହାନ୍ତି। ଏଠାରେ ପଢୁଥିବା ୮୫ଜଣ ଛାତ୍ରଛାତ୍ରୀଙ୍କ ଲାଗି ଅନ୍ୟୁନ ୩ଜଣ ଶିକ୍ଷକ ଆବଶ୍ୟକ ଥିବା ବେଳେ ଶିକ୍ଷକ ଓ ସର୍ବନିମ୍ନ ସୁବିଧା ଯୋଗାଇଦେବାକୁ ସରପଞ୍ଚ ସୁସ୍ମିତା ବାରିକ, ମଙ୍ଗଲ ସରେନ୍‌(ୱାର୍ଡମେମ୍ବର), ସୁଶୀଲ ବାରିକ, ପୂର୍ଣ୍ଣଚନ୍ଦ୍ର ସେଠୀ, ଆଲୋଚନା ବେହେରା ପ୍ରମୁଖ ନେତୃସ୍ଥାନୀୟ ବ୍ୟକ୍ତି ଦାବି କରିଛନ୍ତି।
ବିଦ୍ୟାଳୟରେ ଶୌଚାଳୟ ନ ଥିବାରୁ ପିଲାମାନେ ବାହାରକୁ ଶୌଚ ହେବାକୁ ଯାଉଛନ୍ତି। ବଣଜଙ୍ଗଲଘେରା ବିଦ୍ୟାଳୟ ପରିସରରେ ଛାତ୍ରୀଛାତ୍ରମାନେ ଅସ୍ବାସ୍ଥ୍ୟକର ପରିବେଶ ମଧ୍ୟରେ କାଳାତିପାତ କରୁଥିବା ବେଳେ ବିଦ୍ୟାଳୟ ଚାରିପାଖେ ପାଚେରି କିମ୍ବା ବାଡ ନାହିଁ। ବିପଦଜନକ ଅବସ୍ଥାରେ ଥିବା ପୁରୁଣା ଘରଗୁଡିକ ମଧ୍ୟରୁ ଗୋଟିକରେ ମଧ୍ୟାହ୍ନଭୋଜନ ରନ୍ଧା କାର୍ଯ୍ୟ ଚାଲୁଥିବା ବେଳେ ଘର ମଧ୍ୟରେ ପୋକ ସାଲୁବାଲୁ ହେଉଛନ୍ତି। ୨ବର୍ଷ ପୂର୍ବରୁ ନିର୍ମାଣ ହୋଇଥିବା ନୂତନ ୨ଟି ଶ୍ରେଣୀଗୃହରେ ଫାଟ ସୃଷ୍ଟି ହୋଇଛି। ତେଣୁ ବିଦ୍ୟାଳୟର ନବକଳେବର ବୃଦ୍ଧି ସହିତ ଶିକ୍ଷକ ଯୋଗାଇ ଦେବାକୁ ଗ୍ରାମବାସୀ ଜଳେଶ୍ୱର ଗୋଷ୍ଠୀ ଶିକ୍ଷାଧିକାରୀ ନିକଟରେ ଦାବି ଜଣାଇଛନ୍ତି।