୮ ଶ୍ରେଣୀ ପାଇଁ ଜଣେ ଶିକ୍ଷୟିତ୍ରୀ

କେସିଙ୍ଗା,୨ା୮(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଦେଓଗାଁ ପଞ୍ଚାୟତ ମହଗାଁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ୮ ଶ୍ରେଣୀରେ ଜଣେ ଶିକ୍ଷକ ରହିଛନ୍ତି। ଫଳରେ ଶିକ୍ଷାଦାନରେ ସମସ୍ୟା ହେଉଥିବା ନେଇ ଅଭିଭାବକମାନେ ଗୋଷ୍ଠୀ ଶିକ୍ଷାଧିକାରୀଙ୍କ ନିକଟରେ ଅଭିଯୋଗ କରିଛନ୍ତି।

ମିଳିଥିବା ସୂଚନା ମୁତାବକ, ମଞ୍ଚପଡ଼ାଠାରେ ପ୍ରଥମରୁ ପଞ୍ଚମ ପ୍ରାଥମିକ ବିଦ୍ୟାଳୟ ୧୯୬୬ରେ ସ୍ଥାପିତ ହୋଇଥିଲା। ସେହିପରି ମହଗାଁଠାରେ ୨୦୦୫ରେ ଷଷ୍ଠରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଖୋଲିଥିଲା। ଏପରିସ୍ଥଳେ ସରକାରଙ୍କ ଆଦେଶ ଅନୁଯାୟୀ ପ୍ରାଥମିକ ବିଦ୍ୟାଳୟକୁ ୨୦୨୦ରେ ମହଗାଁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ସାମିଲ କରାଗଲା। ବର୍ତ୍ତମାନ ଏହି ବିଦ୍ୟାଳୟରେ ୧୫୬ଜଣ ଛାତ୍ରୀଛାତ୍ର ଅଧ୍ୟୟନ କରୁଛନ୍ତି। ଜଣେ ଶିକ୍ଷୟିତ୍ରୀ ନିଯୁକ୍ତ ହୋଇଥିବାରୁ ଶିକ୍ଷାଦାନ ବାଧାପ୍ରାପ୍ତ ହେଉଥିବା ଦର୍ଶାଇ ଅଭିଭାବକମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି।

ପୁଣି ଶିକ୍ଷୟିତ୍ରୀଙ୍କ ଦେହ ଅସୁସ୍ଥ ହେଲେ କିମ୍ବା ଅଫିସ କାର୍ଯ୍ୟରେ କେସିଙ୍ଗା ମୁଖ୍ୟାଳୟକୁ ଗଲେ ସ୍କୁଲ ବନ୍ଦ ରହୁଛି। ଏହାବ୍ୟତୀତ ସ୍କୁଲରେ ଶ୍ରେଣୀଗୃହ ସମସ୍ୟା ମଧ୍ୟ ଲାଗି ରହିଛି। ଦୁଇଟି ଶ୍ରେଣୀଗୃହ ବିପଦସଙ୍କୁଳ ଅବସ୍ଥାରେ ରହିଛି। ନୂତନ ଶ୍ରେଣୀଗୃହ ନିର୍ମାଣ କରିବା ସହିତ ତୁରନ୍ତ ଶିକ୍ଷକ ନିଯୁକ୍ତି ଦେବା ପାଇଁ ଗ୍ରାମବାସୀ ଦାବି କରିଛନ୍ତି। ଏ ସଂକ୍ରାନ୍ତରେ ଗୋଷ୍ଠୀ ଶିକ୍ଷା ଅଧିକାରୀ ଆନନ୍ଦ କୁମାର ବେହେରାଙ୍କୁ ପଚାରିବାରୁ ଆସନ୍ତା ୫ କିମ୍ବା ୬ ତାରିଖ ମଧ୍ୟରେ ଶିକ୍ଷକ ନିଯୁକ୍ତି ଦିଆଯିବ ବୋଲି ପ୍ରକାଶ କରିଥିଲେ।