ଉହାନ ଡାକ୍ତରଖାନା ପରିଦର୍ଶନ କଲେ ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ ବିଶେଷଜ୍ଞ ଦଳ

ଉହାନ,୩୦।୧: ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନର ଏକ ବିଶେଷଜ୍ଞ ଦଳ ଚାଇନାର ଉହାନ ସହରରେ ପହଞ୍ଚି ପ୍ରଥମ କରୋନା ଭୁତାଣୁ ରୋଗୀ ଚିହ୍ନଟ ହୋଇଥିବା ଡାକ୍ତରଖାନା ପରିଦର୍ଶନ କରିଛନ୍ତି। ଆଗାମୀ ଦିନରେ ବିଭିନ୍ନ କ୍ଷେତ୍ର ପରିଦର୍ଶନରେ ଯିବା ଆଗରୁ ବିଶେଷଜ୍ଞ ଦଳର ସଦସ୍ୟମାନେ ଏକ ହୋଟେଲେରେ ଚୀନ ଅଧିକାରୀମାନଙ୍କ ସହ ବୈଠକ କରିଥିଲେ। ବୈଠକରେ କରୋନା ଭୁତାଣୁର ବିଭିନ୍ନ ବୈଜ୍ଞାନିକ ଦିଗ ଉପରେ ଆଲୋଚନା ହୋଇଥିବା ବିଶେଷଜ୍ଞ ଦଳ ଟୁଇଟ କରି ଜଣାଇଛନ୍ତି। ଅନ୍ୟପକ୍ଷେ ବିଶେଷଜ୍ଞ ଦଳ କୋଭିଡ-୧୯ର ଉତ୍ପତ୍ତି ସଂକ୍ରାନ୍ତରେ ବୁଝିବାକୁ ବିଜ୍ଞାନକୁ ଆଧାର କରିଛନ୍ତି। ଭୂତାଣୁର ଉତ୍ପତ୍ତି ସୁନିଶ୍ଚିତ କରିବାକୁ ଦୀର୍ଘ ଦିନ ଲାଗିପାରେ। ଯେଉଁ ପ୍ରାଣୀ ଦେହରୁ ଏହି ଭୂତାଣୁ ବ୍ୟାପିଛି, ଏହାକୁ ଚିହ୍ନଟ କରିବା ଲାଗି ପ୍ରାଣୀମାନଙ୍କ ନମୁନା, ଗୁଣସୂତ୍ରୀୟ ବିଶ୍ଳେଷଣ ଭଳି ବ୍ୟାପକ ଗବେଷଣାର ଆବଶ୍ୟକତା ରହିଛି। ଏଭଳିସ୍ଥିତିରେ ଉହାନର ମାଛ ମାର୍କେଟ, ସାମୁଦ୍ରିକ ବଜାର, ଉହାନ ଇନ୍‌ଷ୍ଟିଚ୍ୟୁଟ ଅଫ୍‌ ଭାଇରୋଲୋଜି ଏବଂ ଉହାନ ସେଣ୍ଟର ଫର ରୋଗ ନିୟନ୍ତ୍ରଣ ଲାବୋରେଟୋରୀ ପରିଦର୍ଶନ କରିବାକୁ ଯୋଜନା ରହିଥିବା ଜଣାପଡିଛି।
ସୂଚନାଯୋଗ୍ୟ, ୨୦୧୯ରେ ପ୍ରଥମେ ଉହାନ ସରରରେ କୋଭିଡ-୧୯ ଭୂତାଣୁ ସଂକ୍ରମିତ ରୋଗୀଙ୍କୁ ଚିହ୍ନଟ କରାଯାଇଥିଲା। ପରେ ଏହା ବିଶକୁ ସଂକ୍ରମଣ ହୋଇଥିଲା।

 

Share