ତଦନ୍ତ ପାଇଁ ବଲାଙ୍ଗୀର ଗଲେ ୫ ଜଣିଆ ଟିମ୍‌

ପାରଳାଖେମୁଣ୍ଡି,୨୫।୭(ଡି.ଏନ୍‌.ଏ.): ଗଜପତି ଜିଲା ପାରଳାଖେମୁଣ୍ଡି ସହକାରୀ ବନ ସଂରକ୍ଷକ (ଏସିଏଫ୍‌) ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ଘଟଣାରେ ଶନିବାର ପାରଳାଖେମୁଣ୍ଡି ପୋଲିସର ୫ ଜଣିଆ ଟିମ୍‌ ସେଠାରେ ହୋଇଥିବା ବ୍ୟାଚେଲର ପାର୍ଟି ସମ୍ପର୍କିତ ସମସ୍ତ ତଥ୍ୟ ସଂଗ୍ରହ କରିବା ପାଇଁ ବଲାଙ୍ଗୀର ଯାଇଛନ୍ତି। ସ୍ଥାନୀୟ ଥାନାଧିକାରୀ ବିବେକାନନ୍ଦ ସ୍ବାଇଁଙ୍କ ନେତୃତ୍ୱରେ ଟିମ୍‌ ବଲାଙ୍ଗୀର ଯାଇ ସେଠାରେ ସୌମ୍ୟଙ୍କ ସ୍ତ୍ରୀ ବିଦ୍ୟାଭାରତୀ ପଣ୍ଡା ଲାଇଭ୍‌ ଷ୍ଟକ୍‌ ଇନ୍ସପେକ୍ଟର (ଏଲ୍‌ଆଇ) ସେଣ୍ଟରରେ ଟ୍ରେନିଂ ନେଉଥିଲେ, ସେଠାରେ ଦିଆଯାଇଥିବା ବ୍ୟାଚେଲର ପାର୍ଟି ଭୋଜି ନା ଅନ୍ୟ କ’ଣ ସେସବୁ ଦିଗକୁ ନେଇ ତଦନ୍ତ କରିବ। ଶନିବାର ବିଦ୍ୟାଭାରତୀ ଓ ଡିଏଫ୍‌ଓଙ୍କ ମଧ୍ୟରେ ଅନୈତିକ ସମ୍ପର୍କ ନ ଥିବା ଏସ୍‌ପି ସ୍ପଷ୍ଟ କରିଛନ୍ତି।

ଅନ୍ୟପକ୍ଷରେ ଏହି ମାମଲାରେ ଶୁକ୍ରବାର ଗଜପତି ଏସ୍‌ପି ତପନ କୁମାର ପଟ୍ଟନାୟକ ଡିଏଫ୍‌ଓ ସଂଗ୍ରାମ କେଶରୀ ବେହେରାଙ୍କୁ କ୍ଲିନ୍‌ଚିଟ ଦେଇଥିଲେ। କିନ୍ତୁ ସୌମ୍ୟଙ୍କୁ ହତ୍ୟା କରାଯାଇଥିବା ନେଇ ପରିବାର ପକ୍ଷରୁ ଅଭିଯୋଗ ହୋଇଥିବାରୁ ବିଦ୍ୟାଭାରତୀଙ୍କୁ ପୁଣିଥରେ ପାରଳାଖେମୁଣ୍ଡି ପୋଲିସ ଜେରା କରିପାରେ ବୋଲି ଜଣାପଡ଼ିଛି। ଏଥିସହ ସୌମ୍ୟଙ୍କ ମୃତ୍ୟୁର କାରଣ ଏଯାଏ ସ୍ପଷ୍ଟ ହୋଇ ପାରିନାହିଁ। ତେଣୁ ଆବଶ୍ୟକ ପଡ଼ିଲେ ପାରଳାଖେମୁଣ୍ଡି ପୋଲିସ ଡିଏଫ୍‌ଓଙ୍କୁ ପୁଣି ଥରେ ଜେରା କରିପାରେ ବୋଲି ଏସ୍‌ପି କହିଛନ୍ତି।

ସୂଚନାଯୋଗ୍ୟ, ଗତ ୧୨ ତାରିଖ ରାତିରେ ସରକାରୀ କ୍ୱାର୍ଟର୍ସରେ ସୌମ୍ୟ ପୋଡ଼ି ହୋଇଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ପାରଳାଖେମୁଣ୍ଡି ଡାକ୍ତରଖାନା ଓ ପରେ ବ୍ରହ୍ମପୁର ବଡ଼ ମେଡିକାଲ ନିଆଯାଇଥିଲା। ସେଠାରେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକର ଏକ ଘରୋଇ ହସ୍ପିଟାଲକୁ ନିଆଯାଇଥିଲେ ମଧ୍ୟ ମୃତ୍ୟୁ ଘଟିଥିଲା।