ଗୁଳିବିଦ୍ଧ ଦନ୍ତାର ଚାଲିଛି ଚିକିତ୍ସା

ଭୁବନେଶ୍ୱର,୮।୬(ବ୍ୟୁରୋ): କଟକ ଜିଲା ନରସିଂହପୁର ଜଙ୍ଗଲରେ ଗୁଳିବିଦ୍ଧ ଦନ୍ତାର ଚିକିତ୍ସା କରାଯାଉଛି। ପ୍ରଥମେ ହାତୀଟି କାହାକୁ ତା’ ପାଖକୁ ଆସିବାକୁ ଦେଉ ନ ଥିବାରୁ ଚିକିତ୍ସାରେ ବିଳମ୍ବ ପରିଲକ୍ଷିତ ହୋଇଥିଲା। ହେଲେ ହାତୀର ଦେହରେ ଥିବା କ୍ଷତ ୧୫ ଦିନ ତଳର ବୋଲି ଡାକ୍ତର ଟିମ ଅନୁମାନ କରିଛି। ହାତୀ ଦେହରେ ୫/୬ଟି ଛର୍‌ରା ବାଜିଛି। ଗୋଡ଼ରେ ସେଫ୍ଟିସେମିଆ ହୋଇଛି। ଶୁଣ୍ଢରେ ୧, ଆଗ ଗୋଡ଼ରେ ୨, କାନ୍ଧ, କାନ ଓ ପେଟରେ ଛର୍‌ରା ବାଜିଛି। ହାତୀ କବଳରୁ ବର୍ତ୍ତିବାକୁ କେହି ଦେଶୀ ବନ୍ଧୁକରୁ ଗୁଳି କରିଥିବା କୁହାଯାଉଛି। ଘଟଣାର ତଦନ୍ତ ଚାଲିଛି। ଯିଏ ଦାୟୀ ନିଶ୍ଚିତ କାର୍ଯ୍ୟାନୁଷ୍ଠାନ ହେବ। ବର୍ତ୍ତମାନ ହାତୀର ଚିକିତ୍ସା ଜାରି ରହିଛି। କିଛି ଦିନରେ ସୁସ୍ଥ ହୋଇଯିବ ବୋଲି ଆଶା କରାଯାଉଛି।

ପ୍ରକାଶ ଯେ, ଗୁଳିବିଦ୍ଧ ଦନ୍ତା ବିଷୟରେ ବଡ଼ମ୍ବା ବିଧାୟକ ଦେବୀପ୍ରସାଦ ମିଶ୍ର ମଙ୍ଗଳବାର ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ। ସେ ନୂଆ କରି ଦାୟିତ୍ୱ ଗ୍ରହଣ କରିଥିବା ଜଙ୍ଗଲ ବିଭାଗର ମନ୍ତ୍ରୀ ପ୍ରଦୀପ ଅମାତଙ୍କୁ ଆହତ ହାତୀ ବିଷୟରେ ଅବଗତ କରାଇଥିଲେ। ଏଥିସହ ଯଥାଶୀଘ୍ର ନନ୍ଦନକାନନରୁ ପ୍ରାଣୀ ବିଶେଷଜ୍ଞ ଡାକ୍ତର ପଠାଇବା ଲାଗି ବ୍ୟବସ୍ଥା କରିବାକୁ ଅନୁରୋଧ କରିଥିଲେ।

Share