ଚଣ୍ଡିଖୋଲ ଛକରୁ ଅସ୍ଥାୟୀ ଦୋକାନ ଉଠିଲା

ଚଣ୍ଡିଖୋଲ/ବଡ଼ଚଣା,୨୧।୮(ପ୍ରଦୀପ୍ତ କୁମାର ପୃଷ୍ଟି/ଦିଲୀପ କୁମାର ମହାନ୍ତି):ଯାଜପୁର ଜିଲାର ପ୍ରମୁଖ ଛକ ହେଉଛି ଚଣ୍ଡିଖୋଲ। ଏଠାରେ ୨ ଜାତୀୟ ରାଜପଥ ୧୬ ଓ ୫୩ନଂର ମିଶ୍ରଣ ହୋଇଛି। ଏହି ଜାତୀୟ ରାଜପଥ ମଧ୍ୟରୁ ଚଣ୍ଡିଖୋଲ-ପାରାଦୀପ ୧୬ନଂକୁ ୮ ଲେନ ବିଶିଷ୍ଟ କରାଯାଉଛି। ସେହିପରି ଚଣ୍ଡିଖୋଲ-ଡୁବୁରୀ ୫୩ନଂ. ଜାତୀୟ ରାଜପଥକୁ ୬ଲେନ ବିଶିଷ୍ଟ କରିବା ପାଇଁ ଜାତୀୟ ରାଜପଥ ପ୍ରାଧିକରଣ ପକ୍ଷରୁ ଘୋଷଣା ସରିଛି। ତେଣୁ ଚଣ୍ଡିଖୋଲ ଛକର ରାସ୍ତାପାର୍ଶ୍ୱରେ ଥିବା ଅସ୍ଥାୟୀ ବ୍ୟବସାୟୀମାନେ ମଙ୍ଗଳବାର ସେମାନଙ୍କ ବ୍ୟବସାୟ ପ୍ରତିଷ୍ଠାନଗୁଡ଼ିକୁ ଭାଙ୍ଗି ସ୍ଥାନ ଖାଲି କରିଛନ୍ତି।
ଚଣ୍ଡିଖୋଲ ଛକକୁ ପ୍ରଶସ୍ତୀକରଣ କରାଯିବ। ଏନେଇ ଜାତୀୟ ରାଜପଥ କର୍ତ୍ତୃପକ୍ଷ ଚଣ୍ଡିଖୋଲ ଆରଟିଓ, ସ୍ଥାନୀୟ ପୋଲିସ ଓ ସ୍ଥାନୀୟ ଅଞ୍ଚଳର ବିଭିନ୍ନ ଅନୁଷ୍ଠାନକୁ ଡାକି ଆଲୋଚନା କରିଥିଲେ। ଆଲୋଚନା ପରେ ଦର୍ପଣ ତହସିଲଦାରଙ୍କୁ ଅସ୍ଥାୟୀ ବ୍ୟବସାୟୀମାନଙ୍କୁ ଉଠିଯବା ପାଇଁ ନୋଟିସ କରିବାକୁ କୁହାଯାଇଥିଲା। ସେହି ଆଧାରରେ ତହସିଲଦାର ମାନସ କୁମାର ତ୍ରିପାଠୀ ନୋଟିସ ଜାରି କରିଥିଲେ। ତେବେ ସମୟ ସୀମା ପୂର୍ବରୁ ଉଠା ଦୋକାନୀ ସେମାନଙ୍କ ବ୍ୟବସାୟ ପ୍ରତିଷ୍ଠାନ ଖୋଲିବା ଆରମ୍ଭ କରିଛନ୍ତି।
ଅପରପକ୍ଷରେ ଅସ୍ଥାୟୀ ବ୍ୟବସାୟୀ ସଂଘ ସଭାପତି ମହେଶ୍ୱର ବଳ, ସମ୍ପାଦକ ସଞ୍ଜୟ ସ୍ବାଇଁ, ଉପସଭାପତି ପ୍ରକାଶ ରାଉତ, ସହସମ୍ପାଦକ ପ୍ରସନ୍ନ ସାହୁ, ଉପଦେଷ୍ଟା ରମେଶ ନାୟକ ଓ ନବ କିଶୋର ସାହୁଙ୍କ ନେତୃତ୍ୱରେ ବଜାରର ଶତାଧିକ ଉଠାଦୋକାନୀ ତହସିଲଦାରଙ୍କୁ ଭେଟି ଏକ ଦାବିପତ୍ର ଦେଇଛନ୍ତି। ଦାବିପତ୍ରରେ ବଜାରର ଉନ୍ନୟନମୂଳକ କାର୍ଯ୍ୟକୁ ସମର୍ଥନ କରାଯିବା ସହିତ ଉଠାଦୋକାନୀଙ୍କୁ ଥଇଥାନ କରିବାକୁ ଅନୁରୋଧ କରାଯାଇଛି। ଦାବିପତ୍ର ପ୍ରଦାନବେଳେ ଚଣ୍ଡିଖୋଲ ବଣିକ ସଂଘ ସଭାପତି କ୍ଷୀରୋଦ ମହଲା, ପୂର୍ବତନ ନାଏବ ସରପଞ୍ଚ ମସିର ଆଲାମ ପ୍ରମୁଖ ଉପସ୍ଥିତ ଥିଲେ। ଏ ସମ୍ପର୍କରେ ତହସିଲଦାର ତ୍ରିପାଠୀଙ୍କୁ ପଚାରିବାରୁ ସେ କହିଛନ୍ତି, ଉଠାଦୋକାନୀ ଜାତୀୟ ରାଜପଥ ଅବରୋଧ କରି ବ୍ୟବସାୟ କରୁଥିଲେ। ରାସ୍ତା ସମ୍ପ୍ରସାରଣ କାର୍ଯ୍ୟ ଆରମ୍ଭ ହୋଇଥିବାରୁ ସେମାନଙ୍କୁ ନୋଟିସ ଦିଆଯାଇଥିଲା। ନୋଟିସ ପାଇବା ପରେ ସେମାନେ ଆପେ ଆପେ ଉଠି ଯାଉଛନ୍ତି।