ବର୍ଷର ପ୍ରଥମ ଦିନରେ ଆଫଗାନିସ୍ତାନରେ ସାମରିକ ବିମାନବନ୍ଦର ନିକଟରେ ଆତଙ୍କବାଦୀ ଆକ୍ରମଣ: ବହୁ ଲୋକଙ୍କ ମୃତ୍ୟୁ ଆଶଙ୍କା…

କାବୁଲ,୧।୧ : ଆଫଗାନିସ୍ତାନର ରାଜଧାନୀ କାବୁଲରେ ବର୍ଷର ପ୍ରଥମ ଦିନରେ ଏକ ବଡ଼ ଆତଙ୍କବାଦୀ ଆକ୍ରମଣ ହୋଇଛି। ତାଲିବାନ ଦ୍ୱାରା ପରିଚାଳିତ ଆଭ୍ୟନ୍ତରୀଣ ମନ୍ତ୍ରଣାଳୟର ମୁଖପାତ୍ର କହିଛନ୍ତି ଯେ କାବୁଲର ସାମରିକ ବିମାନବନ୍ଦର ବାହାରେ ବିସ୍ଫୋରଣ ଘଟିଛି। ଏହି ଆକ୍ରମଣରେ ଅନେକ ଲୋକ ମୃତ ଓ ଆହତ ହୋଇଥିବା ସୂଚନା ମିଳିଛି।

ତାଲିବାନ ମୁଖପାତ୍ର ଅବଦୁଲ ନାଫି ଟାକୋର ରଏଟର୍ସ ନ୍ୟୁଜ ଏଜେନ୍ସିକୁ କହିଛନ୍ତି ଯେ ରବିବାର ସକାଳେ କାବୁଲର ସାମରିକ ବିମାନବନ୍ଦର ନିକଟରେ ଏକ ବଡ଼ ବିସ୍ଫୋରଣ ଘଟିଛି। ଯେଉଁଥିପାଇଁ ଆମର ଅନେକ ନାଗରିକ ପ୍ରାଣ ହରାଇଛନ୍ତି ଏବଂ ଆହତ ହୋଇଛନ୍ତି ।

ବିସ୍ଫୋରଣ ପଛର କାରଣ ଏବଂ ମୃତ୍ୟୁ ଆହତଙ୍କ ସମ୍ପର୍କରେ ସେ ଏପର୍ଯ୍ୟନ୍ତ କୌଣସି ସୂଚନା ମିଳି ନାହିଁ। ସେ କହିଛନ୍ତି ଯେ ଏହି ଘଟଣାର ତଦନ୍ତ ଚାଲିଛି।

ଆଫଗାନିସ୍ତାନରେ ତାଲିବାନ କ୍ଷମତାକୁ ଆସିବା ପରେ ଆତଙ୍କବାଦୀ ଆକ୍ରମଣ ବହୁ ବୃଦ୍ଧି ପାଇଛି। ଲୋକମାନେ ଆତଙ୍କବାଦୀ ଷଡଯନ୍ତ୍ରର ଶିକାର ହେଉଛନ୍ତି। ନୂଆ ବର୍ଷର ପ୍ରଥମ ଦିନ ସକାଳେ କାବୁଲରେ ବୋମା ବିସ୍ଫୋରଣର ତିନି ଦିନ ପୂର୍ବରୁ ମଧ୍ୟ ଉତ୍ତର ତାଖର ପ୍ରଦେଶର ରାଜଧାନୀ ତାଲୁକାନ ସହରରେ ବୋମା ବିସ୍ଫୋରଣ ହୋଇଥିଲା।

Share