ପଶ୍ଚିମ ୟୁଗାଣ୍ଡାର ଏକ ସ୍କୁଲ୍‌ରେ ଆତଙ୍କବାଦୀ ଆକ୍ରମଣ, ଆକ୍ରମଣରେ ୨୫ଜଣଙ୍କର ମୃତ୍ୟୁ

ୟୁଗାଣ୍ଡା,୧୭।୬: ଇସଲାମିକ ଷ୍ଟେଟ ସହ ଜଡିତ ମାଓବାଦୀମାନେ କଙ୍ଗୋ ଡେମୋକ୍ରାଟିକ ରିପବ୍ଲିକ ସୀମା ନିକଟରେ ଥିବା ପଶ୍ଚିମ ଉଗାଣ୍ଡାର ଏକ ସ୍କୁଲ ଉପରେ ଆକ୍ରମଣ କରିଛନ୍ତି। ଆତଙ୍କବାଦୀ ଆକ୍ରମଣରେ ୨୫ଜଣଙ୍କର ମୃତ୍ୟୁ ହୋଇଛି। ଏନେଇ ଶନିବାର ଉଗାଣ୍ଡା ପୋଲିସ ସୂଚନା ଦେଇଛି।

ପୋଲିସ କହିଛି ଯେ, ପୂର୍ବ କଙ୍ଗୋରେ ଅବସ୍ଥିତ ଉଗାଣ୍ଡା ଗୋଷ୍ଠୀ ‘ଆଲିଏଡ ଡେମୋକ୍ରାଟିକ ଫୋର୍ସ’ (ଏଡିଏଫ)ର ସଦସ୍ୟମାନେ ଶୁକ୍ରବାର ବିଳମ୍ବିତ ରାତିରେ ମୋପଣ୍ଡବେସ୍ଥିତ ଲୁବିରିରା ମାଧ୍ୟମିକ ବିଦ୍ୟାଳୟ ଉପରେ ଆକ୍ରମଣ କରିଥିଲେ। ଆକ୍ରମଣ କରି ସେମାନେ ହଷ୍ଟେଲରେ ନିଆଁ ଲଗାଇବା ସହ ଖାଦ୍ୟ ମଧ୍ୟ ଚୋରେଇ ନେଇଥିଲେ। ବର୍ତ୍ତମାନ ସୁଦ୍ଧା ସ୍କୁଲରୁ ୨୫ଟି ମୃତଦେହ ଉଦ୍ଧାର କରାଯାଇଥିବା ପୋଲିସ ସୂଚନା ଦେଇଛି। ମୃତଦେହ ଏବଂ ଆହତଙ୍କୁୁ ବାୱେରା ଡାକ୍ତରଖାନାକୁ ପଠାଯାଇଛି। ୮ଜଣ ଆହତ ଗୁରୁତର ଅବସ୍ଥାରେ ଅଛନ୍ତି।

ମୃତକଙ୍କ ମଧ୍ୟରେ କେତେଜଣ ସ୍କୁଲ ପିଲା ଅଛନ୍ତି ସେନେଇ ପୋଲିସ କୌଣସି ସୂଚନା ଦେଇନାହିଁ। କଙ୍ଗୋର ବିରୁଙ୍ଗା ଜାତୀୟ ଉଦ୍ୟାନ ଆଡକୁ ପଳାୟନ କରୁଥିବା ଆକ୍ରମଣକାରୀଙ୍କୁ ସୈନିକମାନେ ପିଛା କରିଥିଲେ। ଏପ୍ରିଲରେ, ପୂର୍ବ କଙ୍ଗୋର ପୂର୍ବ ଏକ ଗ୍ରାମ ଉପରେ ଏଡିଏଫ ଆକ୍ରମଣରେ ୨୦ଜଣଙ୍କର ମୃତ୍ୟୁ ଘଟିଥିଲା।

Share