Categories: ମେଟ୍ରୋ

ଧାରଣାକୁ ଓହ୍ଲାଇଲେ ଥାଲାସେମିଆ ରୋଗୀ

ଭୁବନେଶ୍ୱର,୨୭।୮(ଅଭିଜିତ ଦାସ)କ୍ୟାପିଟାଲ ହସ୍ପିଟାଲରେ ଥାଲାସେମିଆ ରୋଗୀଙ୍କୁ ଉପଯୁକ୍ତ ଚିକିତ୍ସା ମିଳୁନାହିଁ। ଏହାକୁ ବିରୋଧ କରି ଶନିବାର ପୂର୍ବାହ୍ନରେ ବହୁ ସଂଖ୍ୟାରେ ଥାଲାସେମିଆ ରୋଗୀ ଧାରଣା ଦେଇଥିଲେ। ହସ୍ପିଟାଲ କର୍ତ୍ତୃପକ୍ଷ ରୋଗୀଙ୍କୁ ବୁଝାଶୁଝା କରିବା ସହିତ ଏ ଦିଗରେ ଏକ ବୈଠକ କରି ପଦକ୍ଷେପ ଗ୍ରହଣ କରିବେ ବୋଲି କହିଛନ୍ତି। କ୍ୟାପିଟାଲ ହସ୍ପିଟାଲରେ ଦୀର୍ଘଦିନ ଧରି ଥାଲାସେମିଆ ରୋଗୀଙ୍କୁ ଶଯ୍ୟା ମିଳୁ ନାହିଁ। ଏଥିସହ ଆବଶ୍ୟକ ପରୀକ୍ଷା ମଧ୍ୟ ହେଉ ନ ଥିବାରୁ ଶେଷର ରୋଗୀମାନେ ଆନ୍ଦୋଳନକୁ ଓହ୍ଲାଇବାକୁ ବାଧ୍ୟ ହୋଇଥିବା କହିଛନ୍ତି। ସେମାନଙ୍କ କହିବା ଅନୁସାରେ, କ୍ୟାପିଟାଲ ହସ୍ପିଟାଲରେ ୨୦ଟି ଶଯ୍ୟା ଥିଲା। ଏହାକୁ ଏବେ ୧୩ରେ ସୀମିତ ରଖିଛନ୍ତି। ଏହାଦ୍ବାରା ବହୁ ସଂଖ୍ୟାରେ ରୋଗୀ ଅପେକ୍ଷା କରିବା ସହିତ ହସ୍ପିଟାଲରେ ଭର୍ତ୍ତି ହୋଇ ନ ପାରି ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏଦିଗରେ କର୍ତ୍ତୃପକ୍ଷ ତୁରନ୍ତ ବିଚାର କରିବାକୁ ରୋଗୀସମୂହ ଦାବି କରିଛନ୍ତି। ଏହି ଅବସରରେ ବିଧାୟକ ଅନନ୍ତ ନାରାୟଣ ଜେନା କୌଣସି ଏକ କାର୍ଯ୍ୟରେ ହସ୍ପିଟାଲ ଆସିଥିବାବେଳେ ତାଙ୍କୁ ନିଜ ଅସୁବିଧା ସମ୍ପର୍କରେ ରୋଗୀମାନେ ଜଣାଇଥିଲେ। କ୍ୟାପିଟାଲ ହସ୍ପିଟାଲ ଅଧୀକ୍ଷକ ଡାକ୍ତର ଦିଲୀପ ପଣ୍ଡା କହିଛନ୍ତି, ବିଭିନ୍ନ ଦାବି ନେଇ ରୋଗୀ ଅଭିଯୋଗ କରିଛନ୍ତି। ଏହାକୁ ଗୁରୁତ୍ୱର ସହିତ ଗ୍ରହଣ କରାଯାଇ ସମାଧାନ କରାଯିବ।

Share