Categories: ଜାତୀୟ

ଅନ୍ଧାରରେ ହଜାରେ ଗାଁ

ଅହମଦାବାଦ୍‌/ଜୟପୁର,୧୭।୬: ଭୀଷଣ ସାମୁଦ୍ରିକ ବାତ୍ୟା ‘ବିପର୍ଯ୍ୟୟ’ ଗୁରୁବାର ଗୁଜରାଟରେ ସ୍ଥଳଭାଗ ଛୁଇଁବା ସହ ବ୍ୟାପକ କ୍ଷୟକ୍ଷତି କରିଛି। ସେଠାରେ ୨ ଜଣଙ୍କ ମୃତ୍ୟୁ ହେବା ସହ ୨୨ ଜଣ ଆହତ ହୋଇଛନ୍ତି। ଗଛ ପଡ଼ି ବହୁ ଗାଡ଼ି ଓ ଘର ଭାଙ୍ଗିଯାଇଛି। ବିଦ୍ୟୁତ୍‌ ସରବରାହ ବିଚ୍ଛିନ୍ନ ହୋଇଥିବାରୁ ହଜାରେରୁ ଊର୍ଦ୍ଧ୍ୱ ଗାଁ ଅନ୍ଧକାରରେ ରହିଛି। ବିପର୍ଯ୍ୟୟ ଦୁର୍ବଳ ହୋଇ ଡିପ୍‌ ଡିପ୍ରେଶନରେ ପରିଣତ ହେବା ସହ ଶୁକ୍ରବାର ସନ୍ଧ୍ୟାରେ ରାଜସ୍ଥାନରେ ପ୍ରବେଶ କରିଛି।
ଗୁଜରାଟର ସୌରାଷ୍ଟ୍ର ଓ କଚ୍ଛ ଅଞ୍ଚଳରେ ବାତ୍ୟା ବ୍ୟାପକ କ୍ଷୟକ୍ଷତି ଘଟାଇଛି। ବିଭିନ୍ନ ସ୍ଥାନରେ ୫୨୪ ଗଛ ଓ ବିଦ୍ୟୁତ୍‌ ଖୁଣ୍ଟ ଉପୁଡ଼ିପଡ଼ିଛି। ଫଳରେ ୧,୦୦୦ ଗ୍ରାମକୁ ବିଦ୍ୟୁତ୍‌ ବିଚ୍ଛିନ୍ନ ହୋଇଯାଇଛି। ଭାବନଗର ଜିଲାରେ ଜଣେ ଛେଳି ଜଗୁଆଳି ଓ ତାଙ୍କ ପୁଅ ଛେଳିଙ୍କୁ ରକ୍ଷା କରିବାକୁ ଯାଇ ପ୍ରାଣ ହରାଇଛନ୍ତି। ବାତ୍ୟା ଗୁରୁବାର ସନ୍ଧ୍ୟାରେ ଜଖାଉ ବନ୍ଦର ନିକଟରେ ସ୍ଥଳଭାଗ ଛୁଇଁବା ବେଳେ ପବନର ବେଗ ୧୨୫ରୁ ୧୪୦ କିଲୋମିଟର ଥିଲା। ବିଳମ୍ବିତ ରାତିରେ ଏହାର ବେଗ ୧୦୦ କିଲୋମିଟରକୁ ହ୍ରାସ ପାଇଥିଲା। ଏବେ ଏହା ଡିପ୍‌ ଡିପ୍ରେଶନର ରୂପ ନେଇଥିବାରୁ ରାଜସ୍ଥାନରେ ଦୁଇଦିନ ପ୍ରବଳ ବର୍ଷିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟେଲିଫୋନ୍‌ ଯୋଗେ ଗୁଜରାଟ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲଙ୍କ ସହ କଥା ହୋଇ ବାତ୍ୟା କ୍ଷୟକ୍ଷତି ସମ୍ପର୍କରେ ପଚାରି ବୁଝିଥିଲେ। ଗିର୍‌ ଜଙ୍ଗଲର ସିଂହ ସମେତ ବନ୍ୟପ୍ରାଣୀଗୁଡ଼ିକର ସୁରକ୍ଷା ପାଇଁ କ’ଣ ପଦକ୍ଷେପ ନିଆଯାଇଛି, ମୋଦି ଜାଣିବାକୁ ଚାହିଁଥିଲେ। ଉପକୂଳର ଖାଲୁଆ ଅଞ୍ଚଳରୁ ୯୪,୦୦୦ ଲୋକଙ୍କୁ ବିଭିନ୍ନ ଆଶ୍ରୟସ୍ଥଳକୁ ସ୍ଥାନାନ୍ତର କରାଯାଇଛି। ବାତ୍ୟା ଯୋଗୁ ଟ୍ରେନ୍‌ ଚଳାଚଳ ବାଧାପ୍ରାପ୍ତ ହୋଇଛି। ୧୮ ଏନ୍‌ଡିଆର୍‌ଏଫ୍‌ ଟିମ୍‌ ସମେତ ୧୨ଟି ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ଟିମ୍‌, ରାଜ୍ୟ ସଡ଼କ ଓ କୋଠା ବିଭାଗର ୧୧୫ ଟିମ୍‌, ରାଜ୍ୟ ବିଦ୍ୟୁତ୍‌ ବିଭାଗର ୩୯୭ ଜଣ ଉପକୂଳ ଜିଲାରେ ନିୟୋଜିତ ଅଛନ୍ତି।

 

 

Share