ଖେଳ ଶେଷ ପର୍ଯ୍ୟନ୍ତ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା

କଟକ ଅଫିସ, ୧୧ା୬: କଟକ ବାରବାଟୀ ଷ୍ଟାଡିୟମରେ ଆସନ୍ତା ୧୨ ତାରିଖରେ ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଟି-୨୦ କ୍ରିକେଟ୍‌ ମ୍ୟାଚ୍‌ ଖେଳାଯିବ। ଏନେଇ ରାଜ୍ୟ ପୋଲିସ ମୁଖ୍ୟ କାର୍ଯ୍ୟାଳୟଠାରେ ଡିଜିପି ସୁନୀଲ ବଂଶଲଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷା ବୈଠକ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଭୁବନେଶ୍ୱର-କଟକ ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ଯୋଗଦେଇ ଉଭୟ ଦେଶର ଖେଳାଳିଙ୍କ ସୁରକ୍ଷା ବ୍ୟବସ୍ଥା ସମ୍ପର୍କରେ ଡିଜିପିଙ୍କୁ ଅବଗତ କରାଇଥିଲେ। ଖେଳାଳିମାନେ ଭୁବନେଶ୍ୱର ଏୟାରପୋର୍ଟରେ ପହଞ୍ଚତ୍ବା ପରଠାରୁ ଖେଳ ଶେଷ ହେବା ପର୍ଯ୍ୟନ୍ତ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଖେଳାଳିଙ୍କ ହୋଟେଲରେ ରହଣି, ନେଟ୍ସ ଅଭ୍ୟାସ ସମୟରେ ଖେଳାଳିଙ୍କ ଭୁବନେଶ୍ୱରରୁ କଟକ ଗସ୍ତ ଏବଂ ପ୍ରତ୍ୟାବର୍ତ୍ତନ, ଖେଳ ଦିନ ଷ୍ଟାଡିୟମ ପରିସର ଓ ବାହାରେ ଗ୍ରହଣ କରାଯାଇଥିବା ସୁରକ୍ଷା ବ୍ୟବସ୍ଥା ସମ୍ପର୍କରେ କହିଥିଲେ। ଏଥିସହ ଟ୍ରାଫିକ ବ୍ୟବସ୍ଥା ସୁନିୟନ୍ତ୍ରିତ, ଗୁରୁତ୍ୱପୂର୍ଣ୍ଣ ଛକରେ ପୋଲିସ ମୁତୟନ, ଦର୍ଶକଙ୍କ ନିମନ୍ତେ ପାର୍କିଂ ବ୍ୟବସ୍ଥା ସମ୍ପର୍କରେ ଡିଜିପିଙ୍କୁ ଜଣାଇଥିଲେ। ସେହିପରି ଖେଳ ସୁପରିଚାଳନା ନିମନ୍ତେ ୩ ଡିସିପି, ୭ ଅତିରିକ୍ତ ଡିସିପି, ୩୨ ଏସିପି, ୪୫ ଇନ୍ସପେକ୍ଟର, ୨୭୭ ଏସ୍‌ଆଇ/ଏଏସ୍‌ଆଇ, ୨୧ ଟ୍ରାଫିକ ହାବିଲଦାର, ୯୨ ଟ୍ରାଫିକ କନଷ୍ଟେବଳ, ୧୭୬ ଏପିଆର କନଷ୍ଟେବଳ, ୪୩ ମହିଳା କନଷ୍ଟେବଳ, ୧୭୧ ହୋମଗାର୍ଡ ଏବଂ ୧୮୬ ସେକ୍ସନ ଫୋର୍ସ ମୁତୟନ କରାଯିବ ବୋଲି ପ୍ରିୟଦର୍ଶୀ ଡିଜିପିଙ୍କୁ ଅବଗତ କରାଇଥିଲେ। ଏହି ବୈଠକରେ ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ(ଆଇନ ଶୃଙ୍ଖଳା) ଆର୍‌. କେ. ଶର୍ମା, କଟକ ଡିସିପି ପିନାକ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ। ଏହାପରେ ଡିଜିପି, ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ (ଆଇନ ଶୃଙ୍ଖଳା), ପୋଲିସ କମିଶନର ଓ କଟକ ଡିସିପି ବାରବାଟୀ ଷ୍ଟାଡିୟମକୁ ଯାଇ ସୁରକ୍ଷା ବ୍ୟବସ୍ଥା ସମ୍ପର୍କରେ ସମୀକ୍ଷା କରିଥିଲେ।