Advertisement

ବିଦ୍ୟୁତ୍‌ ତାରରେ ଲାଗିଗଲା କଲରାପତରିଆ ବାଘ

ଖଣ୍ଡପଡ଼ା,୪ା୧୨(ଅଜୟ କୁମାର ମହାରଣା): ନୟାଗଡ଼ ଜିଲା ଖଣ୍ଡପଡ଼ା ବନାଞ୍ଚଳରେ ଶିକାରୀଙ୍କ ଦୌରାତ୍ମ୍ୟ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଶିକାରୀ ଓ ଅସାମାଜିକ ବ୍ୟକ୍ତିମାନେ ଗ୍ରାମ ନିକଟସ୍ଥ ସଂରକ୍ଷିତ ଘଞ୍ଚ ଜଙ୍ଗଲ ଜମିରେ ବାରହା ଶିକାର ଉଦ୍ଦେଶ୍ୟରେ ବିଛାଇଥିବା ବିଦ୍ୟୁତ୍‌ ତାର ଲାଗି ଗୋଟିଏ କଲରାପତରିଆ ବାଘର ମୃତ୍ୟୁ ହୋଇଛି । ଏହି ଘଟଣାକୁ ନେଇ ସାଧାରଣରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି।

ସୂଚନା ଅନୁଯାୟୀ, ଖଣ୍ଡପଡ଼ା ବନାଞ୍ଚଳର ସିଂଘାପଡା ସେକ୍ସନ ଅଧୀନ ବୁଢ଼ିଝାରୀ ସଂରକ୍ଷିତ ଜଙ୍ଗଲ ନିକଟରେ ଏକ କଲରାପତରିଆ ବାଘର ମୃତଦେହ ପଡିଥିଲା। ସ୍ଥାନୀୟ ଲୋକଙ୍କଠାରୁ ଖବରପାଇ ଖଣ୍ଡପଡ଼ା ବନାଞ୍ଚଳ ଅଧିକାରୀ ଉଦିତ କୁମାର ପ୍ରଧାନ, ବନପାଳ ସନାତନ ସ୍ବାଇଁ, କୈଳାସ ପ୍ରଧାନଙ୍କ ସମେତ ବିଭାଗୀୟ ଉଚ୍ଚପଦସ୍ଥ ଅଧିକାରୀମାନେ ଘଟଣାସ୍ଥଳ ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କରିଛନ୍ତି। ବାର୍‌ହା ଶିକାର ଉଦ୍ଦେଶ୍ୟରେ ବିଛାଯାଇଥିବା ବିଦ୍ୟୁତ ତାର ଯୋଗୁ କଲରାପତରିଆ ବାଘର ମୃତ୍ୟୁ ହୋଇଥିବା ଖଣ୍ଡପଡ଼ା ବନାଞ୍ଚଳ ଅଧିକାରୀଙ୍କ କାର୍ଯ୍ୟାଳୟ ସୂତ୍ରରୁ କୁହାଯାଇଛି। ବାଘର ମୃତଦେହକୁ ବନ ବିଭାଗ କର୍ମଚାରୀମାନେ ଜବତ କରି ବ୍ୟବଚ୍ଛେଦ କରାଇଛନ୍ତି। ଏଭଳି ବିଦ୍ୟୁତ୍‌ ସଂଯୋଗ ଯୋଗୁ ବାର୍‌ହା ଶିକାର ସହ ବହୁ ଲୋକଙ୍କ ମୃତ୍ୟୁ ଘଟିଥିବା ନଜିର ରହିଛି ।

ସୂଚନାଯୋଗ୍ୟ, ଖଣ୍ଡପଡା ବନାଞ୍ଚଳ ଅଧୀନ ସିଂଘାପଡା, ସରପୋଖରୀ, କୁମୁଣ୍ଡି, ବାରଖୋଲା, ପଥରଚକଡା ଓ ଧାନଚେଙ୍ଗଡା ପଞ୍ଚାୟତ ଅଞ୍ଚଳର ନିକଟବର୍ତ୍ତୀ ଗୋସିଙ୍ଗ ପାହାଡ଼, ବାଘମାରୀ ପାହାଡ଼, ଦତ୍ତ ପୋଖରୀ ଓ କଣ୍ଟାବଣିଆ ଗ୍ରାମ ନିକଟସ୍ଥ ସଂରକ୍ଷିତ ଜଙ୍ଗଲରୁ ବାର୍‌ହା ପଲ ରାତିରେ ଜନବସତି ତଥା ନିକଟବର୍ତ୍ତୀ ଚାଷଜମି ଅଞ୍ଚଳକୁ ଚାଲି ଆସନ୍ତି। ଏହି ସୁଯୋଗରେ ସ୍ଥାନୀୟ ଅଞ୍ଚଳର କେତେଜଣ ବ୍ୟକ୍ତି ଗ୍ରାମ ପାର୍ଶ୍ୱରେ ଯାଇଥିବା ଉଚ୍ଚଶକ୍ତିସମ୍ପନ୍ନ ୧୧ କେଭି ବିଦ୍ୟୁତ୍‌ ତାରରୁ ଚୋରାରେ ହୁକ୍‌ ପକାଇ ବାର୍‌ହା ଶିକାର କରିଥାଆନ୍ତି । ଏବେ ସଂରକ୍ଷିତ ଜଙ୍ଗଲ ନିକଟବର୍ତ୍ତୀ କ୍ଷେତରେ ବାଦାମ ଫସଲ ହୋଇଥିବାରୁ ସନ୍ଧ୍ୟା ହେଲେ ବାର୍‌ହା ପଲ ପାଣି ପିଇବାକୁ ଓ ବାଦାମ ଫସଲ ଖାଇବାକୁ ଆସିଥାଆନ୍ତି। ଏହାକୁ ସୁଯୋଗ ଭାବି କେତେଜଣ ବ୍ୟକ୍ତି ବିଦ୍ୟୁତ୍‌ ତାର ବିଛାଇ ବାର୍‌ହା ଶିକାର କରୁଥିବା ନଜିର ରହିଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share