Advertisement

ଲହୁଣୀପଡ଼ା ଅଞ୍ଚଳରେ ବୁଲୁଛି ବାଘ

ଲହୁଣୀପଡା,୩୧।୩(ଦାଶରଥି ପଣ୍ଡା)ସୁନ୍ଦରଗଡ଼ ଜିଲା ଲହୁଣୀପଡା ଅଞ୍ଚଳର ବିଭିନ୍ନ ଗ୍ରାମରେ ବାଘ ବୁଲୁଥିବା ଚର୍ଚ୍ଚା ଜୋର ଧରିଛି। ବାଘ ବୁଲୁଥିବା ନେଇ ଆଲୋଚନା ଶୁଣିବାକୁ ମିଳୁଛି। ଯେଉଁ ଯେଉଁ ଅଞ୍ଚଳରେ ବାଘ ବୁଲୁଛି ବୋଲି ଚର୍ଚ୍ଚା ଜୋର ଧରିଛି ସେ ଅଞ୍ଚଳର ଲୋକମାନେ ବାଘ ଆତଙ୍କରେ ଆତଙ୍କିତ ହୋଇ ରହିଥିବାବେଳେ ବନ ବିଭାଗ ପକ୍ଷରୁ ବିଭିନ୍ନ ସ୍ଥାନରେ ଛାନଭିନ କରାଯାଇଥିବା ଜଣାପଡିଛି। ସୂଚନା ଅନୁସାରେ ଲହୁଣୀପଡା ବ୍ଲକ ଶଙ୍ଖପୋଷ ପଞ୍ଚାୟତ ନନ୍ଦାପଡା ଗ୍ରାମରେ ଶୁକ୍ରବାର ବିଳମ୍ବିତ ରାତ୍ରିରେ ବାଘ ବୁଲୁଥିଲା ବୋଲି କେତେକ ଲୋକ ଗୁଜବ କରିଥିବାବେଳେ ଅନ୍ୟ କେତେକ ଲୋକ ନିକଟସ୍ଥ ଘୁଷୁରୀ ପୋଷ ଓ ଭାଲିଆଡ଼ିହି ଅଞ୍ଚଳରେ ବୁଲୁଥିଲା ବୋଲି ଆଲୋଚନା କରୁଥିଲେ। ଅନ୍ୟପକ୍ଷେ ଟେଟେଙ୍ଗାଗିଳା ଗ୍ରାମ ନିକଟସ୍ଥ ଜଙ୍ଗଲରେ ଦୁଇତିନି ଦିନ ପୂର୍ବେ ଏକ ଗାଈ କୌଣସି କାରଣରୁ ଜଙ୍ଗଲ ଭିତରେ ମରି ପଡିଥିବାବେଳେ ଏହାକୁ ସେହି ବାଘ ମାରିଛି ବୋଲି ଚର୍ଚ୍ଚା ହୋଇଥିଲା। ଏହାକୁ ନେଇ ଲୋକେ ବାଘ ଆସିଥିବା ଆଶଙ୍କା କରିଛନ୍ତି। ଶନିବାର ନନ୍ଦାପଡା ଓ ଟକରା ଗ୍ରାମର ମଧ୍ୟ ଭାଗରେ ଥିବା ବାବେହୁଡ଼ି ଜଙ୍ଗଲରେ ଦିନ ତମାମ ବାଘ ଲୁଚି ରହିଛି ବୋଲି କେହି କେହି କହୁଛନ୍ତି। କିନ୍ତୁ ସମ୍ପୃକ୍ତ କିଛି ବ୍ୟକ୍ତି ବିଶେଷଙ୍କୁ ଯୋଗାଯୋଗ କରି ପଚାରିବାରୁ ମୁଁ ଦେଖି ନାହିଁ ମୁଁ ଶୁଣିଛି ବୋଲି ମତାମତ ଦେଉଛନ୍ତି। ସ୍ମରଣଯୋଗ୍ୟ ଯେ କିଛିଦିନ ତଳେ ବଣେଇ ବନଖଣ୍ଡ ଅଧିନସ୍ଥ ବରସୁଆଁ ବନାଞ୍ଚଳ ଚୋରଧରା ସେକ୍ସନ ତୋଡା ସଂରକ୍ଷିତ ଜଙ୍ଗଲରେ ବାଘ ବୁଲୁଥିବା ଫରେଷ୍ଟ ସିସି କ୍ୟାମେରାରେ କଏଦ ହୋଇଥିଲା। ଘଟଣାଟି ଯେଉଁ ମାତ୍ରାରେ ଚର୍ଚ୍ଚା ହୋଇଥିଲା ତାଠାରୁ ଅଧିକ ବାଘ ଆତଙ୍କ ଦେଖାଦେଇଥିଲା।ଦୁଇଦିନ ଧରି ଲହୁଣୀପଡା ଅଞ୍ଚଳରେ ବାଘ ବୁଲୁଥିବା ସତ୍ୟାସତ୍ୟ ଜାଣିବା ପାଇଁ ବାଙ୍କୀ ରେଞ୍ଜ ରାଜାମୁଣ୍ଡା ସେକ୍ସନର ବନ କର୍ମଚାରୀଙ୍କୁ ଯୋଗାଯୋଗ କରିବାରୁ ସେ କହିଲେ ଆମ ନିକଟକୁ ମଧ୍ୟ ଖବର ଆସୁଛି। ଆମ ତରଫରୁ ଆବଶ୍ୟକ ପଦକ୍ଷେପ ମଧ୍ୟ ଗ୍ରହଣ କରି ବିଭିନ୍ନ ସ୍ଥାନରେ ଛାନଭିନ କରିଥିଲେ ସୁଦ୍ଧା କୌଣସି ପ୍ରକାର ପାଦ ଚିହ୍ନ କିମ୍ବା ସଂକେତ ମିଳିପାରି ନାହିଁ। ଯେ ପର୍ଯ୍ୟନ୍ତ ବାଘର ପାଦଚିହ୍ନ କିମ୍ବା ଅନ୍ୟାନ୍ୟ ସଂକେତ ନ ମିଳିଛି ସେ ପର୍ଯ୍ୟନ୍ତ ଏହା ଏକ ଗୁଜବ କହିଲେ ମଧ୍ୟ ଅତ୍ୟୁକ୍ତି ହେବନାହିଁ ବୋଲି ସୂଚନା ଦେଇଥିଲେ। ବାଘ ସତରେ ବୁଲୁଛି ନା ଏହା ଗୁଜବ ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏହା ପ୍ରକୃତରେ ସତ ନା ଗୁଜବ ତାହାର ପର୍ଦ୍ଦାଫାଶ କରାଯାଉ ବୋଲି ଲୋକେ କହିଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share