ରାତି ୯ରେ ମଦ ଦୋକାନ, ୧୦ଟାରେ ବଜାର ବନ୍ଦ

ବ୍ରହ୍ମପୁର,୩୦ା୫(ସୁବାସ ଚନ୍ଦ୍ର ପାଢ଼ୀ): ଗଞ୍ଜାମ ଜିଲାରେ ନିର୍ବାଚନ ପୂର୍ବରୁ ଓ ପରେ କେତେକ ହିଂସା ଘଟିଛି। ଆସନ୍ତା ୪ ତାରିଖରେ ଭୋଟ ଗଣତି ହେବ। ଆଗକୁ ଯେପରି ଆଉ ହିଂସାକାଣ୍ଡ ନ ଘଟିବ ସେଥିପ୍ରତି ବ୍ରହ୍ମପୁର ପୋଲିସ ପକ୍ଷରୁ ବ୍ୟାପକ ପଦକ୍ଷେପ ନିଆଯାଇଛି।

ବିଭିନ୍ନ ସ୍ଥାନରେ ରାତ୍ରକାଳୀନ ପାଟ୍ରୋଲିଂ ଏବଂ ଯାଞ୍ଚ ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ସମ୍ବେଦନଶୀଳ ଅଞ୍ଚଳରେ ପୋଲିସ ପକ୍ଷରୁ ଫ୍ଲାଗମାର୍ଚ୍ଚ କରାଯାଉଛି। ରାତି ୯ଟାରେ ସମସ୍ତ ମଦ ଦୋକାନ ଓ ୧୦ଟାରେ ବଜାର ବନ୍ଦ କରିବାକୁ ବ୍ରହ୍ମପୁର ଏସ୍‌ପି ଦାୟିତ୍ୱରେ ଥିବା ଡିଆଇଜି ଡା. ସାର୍ଥକ ଷଡ଼ଙ୍ଗୀ ସମସ୍ତ ଥାନା ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ପରବର୍ତ୍ତୀ ନିର୍ଦ୍ଦେଶନାମା ନ ଆସିବା ଯାଏ ତଥା ଭୋଟଗଣତି ସରିବା ଯାଏ ଏହି ନିୟମ ବଳବତ୍ତର ରହିବ ବୋଲି ସୂଚନା ମିଳିଛି।

ବୁଧବାର ରାତିରେ ବଡ଼ବଜାର ପୋଲିସ ଏ ନେଇ ଡାକବାଜି ଯନ୍ତ୍ର ସାହାଯ୍ୟରେ ଘୋଷଣା କରିଥିଲା। ବିଳମ୍ବିତ ରାତି ପର୍ଯ୍ୟନ୍ତ ଢାବା ଓ ହୋଟେଲ ଖୋଲା ନ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏସ୍‌ପି ଷ୍ଟ୍ରଙ୍ଗରୁମର ସୁରକ୍ଷା ବ୍ୟବସ୍ଥା ବୁଲି ଦେଖିଛନ୍ତି।