Categories: ଜାତୀୟ

୧୯୨୭ରୁ ପାର୍ଲାମେଣ୍ଟ ବିଲ୍ଡିଂର ଯାତ୍ରା

ନୂଆଦିଲ୍ଲୀ,୨୭ା୫: ପୁରୁଣା ପାର୍ଲାମେଣ୍ଟ ବିଲ୍ଡିଂ ସ୍ଥାପତ୍ୟ ଉତ୍କର୍ଷର ଐତିହାସିକ ପ୍ରତୀକ, ଯାହାକି ଭାରତର ଭାଗ୍ୟକୁ ପ୍ରାୟ ୧ ଶତାବ୍ଦୀ ଧରି ନିର୍ଦ୍ଧାରିତ କରିଆସିଛି। ଏହାର ଜାଜୁଲ୍ୟମାନ ଧରୋହର ଏବେ ଇତିହାସ ପୃଷ୍ଠାକୁ ଚାଲିଯିବାକୁ ବସିଛି। ୧୯୨୭ ଜାନୁୟାରୀ ୧୮ରେ ତତ୍କାଳୀନ ଭାଇସରାୟ ଲର୍ଡ ଇର୍‌ଓ୍ବିନ୍‌ ଏହାକୁ ଉଦ୍‌ଘାଟନ କରିଥିଲେ। ଏହାର ୯୬ ବର୍ଷ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନୂଆ ପାର୍ଲାମେଣ୍ଟ ବିଲ୍ଡିଂକୁ ଲୋକାର୍ପଣ କରିବାକୁ ଯାଉଛନ୍ତି।
ଭାରତୀୟ ଗଣତନ୍ତ୍ରର ମନ୍ଦିର କୁହାଯାଉଥିବା ସଂସଦର ପୁରୁଣା କୋଠା ଏହି ସାଢ଼େ ୯ ଦଶନ୍ଧି ମଧ୍ୟରେ ବ୍ରିଟିଶ୍‌ଙ୍କ ଉପନିବେଶ ଶାସନକୁ ଦେଖିଛି। ଏହାର କୋଠରିଗୁଡ଼ିକରେ ଏବେ ମଧ୍ୟ ବିପ୍ଳବୀ ଶହୀଦ ଭଗତ ସିଂ ଓ ବଟୁକେଶ୍ୱର ଦତ୍ତ ସ୍ବାଧୀନତା ହାସଲ ପାଇଁ ଫିଙ୍ଗିଥିବା ବୋମାର ଶବ୍ଦ ପ୍ରତିଧ୍ୱନିତ ହେଉଛି। ସ୍ବାଧୀନତାର ପ୍ରତ୍ୟୁଷର ମୂକସାକ୍ଷୀ ଏହି ବିଲ୍ଡିଂରେ ୧୯୪୭ ଅଗଷ୍ଟ ୧୫ରେ ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁ ଦେଇଥିବା ଐତିହାସିକ ଭାଷଣ ‘ଟ୍ରାଏଷ୍ଟ ଓ୍ବିଦ୍‌ ଡେଷ୍ଟିନି’ ଏବେ ମଧ୍ୟ ଗୁଞ୍ଜରିତ ହେଉଛି। ବ୍ରିଟିଶ ରାଜ୍‌ର ନୂଆ ସାମ୍ରାଜ୍ୟ ରାଜଧାନୀ ନୂଆଦିଲ୍ଲୀର ରାଇସିନା ହିଲ୍‌ରେ ପ୍ରତିଷ୍ଠା କରାଯାଇଥିଲା। ୧୯୨୭ ଜାନୁୟାରୀରେ ଏହି ଭବ୍ୟ କୋଠା (କାଉନ୍‌ସିଲ ହାଉସ୍‌)ର ଉଦ୍‌ଘାଟନ ବେଳେ ଏକ ବଡ଼ ଉତ୍ସବର ଆୟୋଜନ କରାଯାଇଥିଲା। ୧୯୨୧ ଫେବୃୟାରୀ ୧୨ରେ ବ୍ରିଟେନର ଡ୍ୟୁକ୍‌ ଅଫ୍‌ କନ୍ନଟ ପାର୍ଲାମେଣ୍ଟ ହାଉସ୍‌ର ଶିଳାନ୍ୟାସ କରିଥିଲେ। ସେତେବେଳେ ସେ କହିଥିଲେ। ଏହି ବିଲ୍ଡିଂ ଉଚ୍ଚତର ସୋପାନରେ ପହଞ୍ଚତ୍ବା ପାଇଁ ଭାରତର ପୁନର୍ଜନ୍ମର ପ୍ରତୀକ ପାଲଟିବ। ୫୬୦ ଫୁଟ୍‌ ପରିଧି ଏବଂ ଏକତୃତୀୟାଂଶ ମାଇଲ ଲମ୍ବର ବିଲ୍ଡିଂକୁ ସାର୍‌ ହର୍ବର୍ଟ ବେକର ଡିଜାଇନ୍‌ କରିଥିଲେ। ତାଙ୍କ ସହ ସାର୍‌ ଏଡ୍‌ଓ୍ବିନ୍‌ ଲୁଟିଏନ୍ସ ଦିଲ୍ଲୀକୁ ନୂଆ ରାଜଧାନୀ ରୂପେ ସଜ୍ଜିତ କରିଥିଲେ। ୧୯୨୦ରେ ବ୍ରିଟିଶମାନେ କାଲ୍‌କାଟାରୁ ଦିଲ୍ଲୀକୁ ରାଜଧାନୀ ଉଠାଇନେଇଥିଲେ।

Share