ବ୍ରିଟିଶ ନିର୍ମିତ ବଙ୍ଗଳା ପରିସରରେ ନିର୍ମାଣ ହେବ ପର୍ଯ୍ୟଟନ କ୍ଷେତ୍ର

ମହାକାଳପଡ଼ା,୨୦ା୭(ପ୍ରତାପ ଚନ୍ଦ୍ର ସ୍ବାଇଁ)କେନ୍ଦ୍ରାପଡା ଜିଲା ମହାକାଳପଡା ବ୍ଲକ ଉପକୂଳ ଅଞ୍ଚଳ ଜମ୍ବୁ ଲକ୍‌ଠାରେ ୧୮୮୫ରେ ବ୍ରିଟିଶ୍‌ ଶାସନ ସମୟରେ ଏକ ଷ୍ଟର୍ମ ୱେଭ୍‌ ବା ବାତ୍ୟା ଆଶ୍ରୟସ୍ଥଳ ବା ବଙ୍ଗଳା ନିର୍ମାଣ କରାଯାଇଥିଲା। ସ୍ବାଧୀନତା ପରେ ରାଜ୍ୟ ସରକାରଙ୍କ ଜଳ ସେଚନ ବିଭାଗ ଅଧୀନରେ ପରିଚାଳିତ ହେଉଛି। ରକ୍ଷଣା ବେକ୍ଷଣ ଅଭାବରୁ ଉକ୍ତ ଗୃହଟି ଭାଙ୍ଗି ରୁଜି ଗଲାଣି। ଏ ନେଇ ବୁଧବାର ‘ଧରିତ୍ରୀ’ ରେ ‘ବ୍ରିଟିଶ ନିର୍ମିତ ବଙ୍ଗଳା ଏବେ ଭୂତକୋଠି’ ଶୀର୍ଷକ ଖବର ପ୍ରକାଶ ପାଇଛି। ଏହାପରେ ରାଜ୍ୟ ଖାଦ୍ୟ ଯୋଗାଣ ଖାଉଟି କଲ୍ୟାଣ ସମବାୟ ଓ ଉଚ୍ଚଶିକ୍ଷା ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ବୁଧବାର ପୂର୍ବାହ୍ନରେ ଏହି ବଙ୍ଗଳା ପରିଦର୍ଶନ କରିବା ସହିତ ପରିସର ମଧ୍ୟରେ ପର୍ଯ୍ୟଟକମାନଙ୍କ ଚିତ୍ତ ବିନୋଦନ ପାଇଁ ଏକ ଅତ୍ୟାଧୁନିକ ପାର୍କ ଓ ନୂତନ ଗୃହ ଅତ୍ୟାଧୁନିକ ଶୈଳିରେ ନିର୍ମିତ ହେବ ବୋଲି ସୂଚନା ମିଳିଛି। ପର୍ଯଟନ କ୍ଷେତ୍ର ହୁକିଟୋଲା ଓ ଫଲ୍ସ ପଏଣ୍ଟ ବତିଘରକୁ ଦୂର ଦୁରନ୍ତରୁ ଆସୁଥିବା ପର୍ଯ୍ୟଟକମାନଙ୍କ ପାଇଁ ସୀମିତ ରହଣି ପାଇଁ ଏହା ସହାୟକ ହେବ ବୋଲି କୁହାଯାଇଛି। ମନ୍ତ୍ରୀଙ୍କ କ୍ଷେତ୍ର ପରିଦର୍ଶନ କାର୍ଯ୍ୟକ୍ରମରେ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ। ଏ ନେଇ ମହାକାଳପଡ଼ା ତହସିଲଦାର ମାନସ ରଞ୍ଜନ ତ୍ରିପାଠୀଙ୍କୁ ପଚାରିବାରେ ଉକ୍ତ ସ୍ଥାନରେ ଚିତ୍ତ ବିନୋଦନ ପାଇଁ ଏକ ପାର୍କ ଓ ଗୃହ ନିର୍ମାଣ ହେବା ପାଇଁ ସରକାରୀ ସ୍ତରରେ ପ୍ରକୃଷ୍ଠ ଜମି ରହିଛି ବୋଲି ସୂଚନା ଦେଇଛନ୍ତି।