ଭାସିଗଲା ମାଛ ବୋଝେଇ ଟ୍ରାକ୍ଟର

ବାଲେଶ୍ୱର ଅଫିସ,୧୮ ।୯: ବାଲେଶ୍ୱର ସଦର ବ୍ଲକ ଅନ୍ତର୍ଗତ ବାହାବଳପୁର-ହଳଦୀପଦା ରାସ୍ତାର ଚିରକୁଣି ଚଟାଣରେ ଶୁକ୍ରବାର ବନ୍ୟାଜଳ ସ୍ରୋତରେ ଏକ ମାଛ ବୋଝେଇ ଟ୍ରାକ୍ଟର ଭାସିଯାଇଛି । ଛାନୁଆ ଗ୍ରାମର ବଳରାମ ସାହୁଙ୍କ ଟ୍ରାକ୍ଟରରେ ମୁହାଣରୁ ପ୍ରାୟ ୫ଲକ୍ଷ ଟଙ୍କାର ମାଛ ବୋଝେଇ ହୋଇ ଆସୁଥିଲା। ଚିରକୁଣି ଚଟାଣ ଅତିକ୍ରମ କରୁଥିବା ବେଳେ ବନ୍ୟା ସ୍ରୋତରେ ଟ୍ରାକ୍ଟରଟି ଭାସିଯାଇଥିଲା । ଫଳରେ ଡ୍ରାଇଭର ଓ ହେଲ୍ପର ଭାସିଯାଇ ଦୀର୍ଘସମୟ ଧରି ନିଖୋଜ ଥିଲେ। ଉଭୟଙ୍କୁ ପଞ୍ଚୁପଡା ନଦୀପାର୍ଶ୍ୱରୁ ସ୍ଥାନୀୟ ଲୋକେ ଉଦ୍ଧାର କରିଥିଲେ । ଜଳକା ଓ ବୁଢାବଳଙ୍ଗ ନଦୀର ଜଳସ୍ତର ବୃଦ୍ଧି ଯୋଗୁ ସଦର ବ୍ଲକ ଅଞ୍ଚଳରେ ବନ୍ୟା ପରିସ୍ଥିତି ଦେଖା ଦେଇଥିଲା । ବନ୍ୟାସ୍ରୋତରେ ଭାସିଯାଉଥିବା ଟ୍ରାକ୍ଟରର ଦୃଶ୍ୟକୁ ଚଟାଣଠାରେ ଉପସ୍ଥିତ ଜନୈକ ଯୁବକ ମୋବାଇଲରେ ଉତ୍ତୋଳନ କରି ସୋସିଆଲ ମିଡିଆରେ ଭାଇରାଲ କରି ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଥିଲେ ।

Share