ପଡ଼ିଆରେ ଶୋଇଥିବା ବେଳେ ଚଢ଼ିଗଲା ଟ୍ରକ୍‌

କାମାକ୍ଷାନଗର, ୧୧।୧୦(ସୁଧୀର ପରିଡ଼ା): ଢେଙ୍କାନାଳ ଜିଲା ମହାବିରୋଡ଼ ଥାନା କୁଟୁରିଆ ଗ୍ରାମରେ ସୋମବାର ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ପଡ଼ିଆରେ ଶୋଇଥିବା ଏକ ଆଦିବାସୀ ମଲ୍ଲାର ପରିବାରର ୨ ସଦସ୍ୟଙ୍କ ଉପରେ ଏକ ଟ୍ରକ୍‌ ଚଢ଼ିଯିବାରୁ ସେମାନଙ୍କ ମୃତ୍ୟୁ ହୋଇଛି। ମୃତକ ହେଲେ କାମାକ୍ଷାନଗର ଥାନା ଜୟପୁରାକାଟେଣି ପଞ୍ଚାୟତ ବେଲବସନ୍ତ ଗ୍ରାମର ରୁନୁ ପଧାନ (୩୫) ଓ ସାନ ପୁଅ ଲିପୁ ପଧାନ (୮)। ଦୁର୍ଘଟଣା ପରେ ଟ୍ରକ୍‌ ଚାଳକ ଗାଡ଼ି ନେଇ ସେଠାରୁ ଚମ୍ପଟ ମାରିଥିବା ବେଳେ ଖବରପାଇ ମଙ୍ଗଳବାର ସକାଳେ ମହାବିରୋଡ ପୋଲିସ ପହଞ୍ଚି ତଦନ୍ତ ଚଳାଇଛି।
ସୂଚନା ଅନୁଯାୟୀ, ଜୟପୁରାକାଟେଣି ପଞ୍ଚାୟତ ବେଲବସନ୍ତ ଗ୍ରାମର ଆଦିବାସୀ ମଲ୍ଲାର ପରିବାରର ଚିତ୍ର ପଧାନ (୬୫), ଜ୍ବାଇଁ ତ୍ରିନାଥ ପଧାନ (୪୦), ଝିଅ ରୁନୁ ପଧାନ (୩୫) ସେମାନଙ୍କ ୪ ସନ୍ତାନ କୁଟୁରିଆ ଯାତ୍ରା ପଡିଆରେ ରହୁଥିଲେ। ବଣ ଜଙ୍ଗଲ ବୁଲି ମହୁ ସଂଗ୍ରହ ଓ ମୂଲ ମଜୁରି ଲାଗି ସେମାନେ ଜୀବିକା ନିର୍ବାହ କରୁଥିଲେ। ରୁନୁଙ୍କ ବଡ଼ଝିଅ ବାହାରେ ରହି କାମ କରନ୍ତି। ସୋମବାର ରାତିରେ ପରିବାରର ସଦସ୍ୟମାନେ ପଡ଼ିଆରେ ଖୋଲା ଆକାଶ ତଳେ ଶୋଇଥିଲା ବେଳେ ଏକ ଟ୍ରକ୍‌ ରୁନୁ ଓ ତାଙ୍କ ସାନ ପୁଅ ଲିପୁ ଉପରେ ଚଢ଼ିଯାଇଥିଲା। ପାଖରେ ଶୋଇଥିବା ଚିତ୍ର, ଜ୍ୱାଇଁ ତ୍ରିନାଥ ଓ ୨ ପିଲା ଠୁରୁ ପଧାନ (୧୦ବର୍ଷ), ସାନ ଝିଅ ସମ୍ବାରୀ(୩ବର୍ଷ) ଦୁର୍ଘଟଣାରୁ ବର୍ତ୍ତି ଯାଇଥିଲେ। ଗ୍ରାମବାସୀ ଏ ନେଇ ୧୦୮ ଆମ୍ବୁଲାନ୍ସକୁ ଯୋଗାଯୋଗ କରିବା ପରେ ଆମ୍ବୁଲାନ୍ସ ଯୋଗେ ରୁନୁ ଓ ପୁଅ ଲିପୁକୁ ପରଜଙ୍ଗ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା। ହେଲେ ଡାକ୍ତର ରୁନୁଙ୍କୁ ମୃତ ଘୋଷଣା କରିଥିଲେ। ଗୁରୁତର ଅବସ୍ଥାରେ ଲିପୁଙ୍କୁ କାମାକ୍ଷାନଗର ଉପଖଣ୍ଡ ଚିକିତ୍ସାଳୟକୁ ପଠାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଖବରପାଇ କାମାକ୍ଷାନଗର ଏସ୍‌ଡିପିଓ ପ୍ରଭାତ କୁମାର ତ୍ରିପାଠୀ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ଏ ସଂକ୍ରାନ୍ତରେ ମହାବିରୋଡ୍‌ ଥାନାରେ ନଂ. ୧୬୯/୨୩ରେ ଏକ ମାମଲା ରୁଜୁ କରାଯାଇଛି। କାମାକ୍ଷାନଗର ଉପଜିଲାପାଳ ନାରାୟଣ ଚନ୍ଦ୍ର ନାୟକ ଏହି ଘଟଣାକୁ ନେଇ ଗଭୀର ଦୁଃଖ ପ୍ରକାଶ କରିବା ସହିତ ରେଡ୍‌କ୍ରସରୁ ତୁରନ୍ତ ମୃତକଙ୍କ ପରିବାରକୁ ୪୦ ହଜାର ଟଙ୍କା ସହାୟତା ପ୍ରଦାନ କରିଛନ୍ତି। ପରବର୍ତ୍ତୀ ସମୟରେ ସରକାରଙ୍କ ନିୟମ ଅନୁସାରେ ସହାୟତା ଦିଆଯିବ ବୋଲି ଉପଜିଲାପାଳ କହିଛନ୍ତି।