Categories: ଜାତୀୟ

ପ୍ରକୃତ ‘ସେବକ’ ଅହଂକାରୀ ନୁହନ୍ତି: ଭାଗବତ

ନାଗପୁର,୧୨ା୬:ପ୍ରକୃତ ‘ସେବକ’ ଅହଂକାର ନ କରି ମର୍ଯ୍ୟାଦାର ସହ ଲୋକଙ୍କ ସେବା କରନ୍ତି ବୋଲି ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ (ଆର୍‌ଏସ୍‌ଏସ୍‌) ମୁଖ୍ୟ ମୋହନ ଭାଗବତ କହିଛନ୍ତି। ନାଗପୁରରେ ଭାଗବତ ଆହୁରି କହିଛନ୍ତି, ଉଭୟ ଶାସକ ଓ ବିରୋଧୀଙ୍କ ତିକ୍ତତାପୂର୍ଣ୍ଣ ନିର୍ବାଚନୀ ପ୍ରଚାର ମର୍ଯ୍ୟାଦା ରକ୍ଷା କରାଯାଇ ନ ଥିବା ଦର୍ଶାଉଛି। ଏପରି କି ସଂଘକୁ ମଧ୍ୟ ପ୍ରଚାର ଭିତରକୁ ଟଣାଯାଇଥିଲା। ଲୋକେ ପରସ୍ପରକୁ କାଦୁଅ ଫିଙ୍ଗି, ଟେକ୍ନୋଲୋଜିର ଦୁରୁପଯୋଗ କରିବା ସହ ମିଥ୍ୟା ପ୍ରଚାର କରିବାକୁ ପଛାଇ ନାହାନ୍ତି। ନିର୍ବାଚନ ବେଳେ ଏହା ଏକ ଦୁର୍ଭାଗ୍ୟଜନକ ବିଷୟ ବୋଲି ଭାଗବତ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ସେହିପରି ଜାତିଆଣ ହିଂସା ପ୍ରଭାବିତ ମଣିପୁରକୁ ଯେପରି ପ୍ରାଧାନ୍ୟ ଦିଆଯିବା କଥା, ସେପରି କରାଯାଇ ନାହିଁ ବୋଲି ସେ କହିଛନ୍ତି।
ଲୋକ ସଭା ନିର୍ବାଚନ ପରେ ଏହା ହେଉଛି ଭାଗବତଙ୍କ ପ୍ରଥମ ବକ୍ତବ୍ୟ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲଗାତର ତୃତୀୟ ଥର ପାଇଁ ସରକାର ଗଢ଼ିଥିବାବେଳେ ଏଥର ପୂର୍ବଭଳି ଜନସମର୍ଥନ ମିଳିନାହିଁ। ମୋଦି ‘୪୦୦ ପାର୍‌’ ନାରା ଦେଇ ନିର୍ବାଚନ ଲଢ଼ିଥିଲେ ହେଁ ଭାଜପାକୁ ୫୪୩ରୁ ୨୪୦ ଆସନ ମିଳିଛି, ଯାହାକି କୁହୁକ ସଂଖ୍ୟା ୨୭୨ଠାରୁ ୩୨ କମ୍‌। ତେଣୁ ଭାଗବତଙ୍କ ମନ୍ତବ୍ୟକୁ ଗୁରୁତ୍ୱ ଦିଆଯାଉଛି।

Share