Categories: ଜାତୀୟ

ଅଯୋଧ୍ୟାରେ ମସ୍‌ଜିଦ୍‌ ନିର୍ମାଣ ପାଇଁ ଗଠନ ହେଲା ଟ୍ରଷ୍ଟ

ଅଯୋଧ୍ୟା,୨୯।୭: ଆଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପାଇଁ ଆସନ୍ତା ଅଗଷ୍ଟ ୫ରେ ଭୂମିପୂଜା ଅନୁଷ୍ଠିତ ହେବ। ଇତିମଧ୍ୟରେ ମସ୍‌ଜିଦ୍‌ ନିର୍ମାଣ ପାଇଁ ବୁଧବାର ଟ୍ରଷ୍ଟର ଗଠନ କରାଯାଇଛି। ଉତ୍ତରପ୍ରଦେଶ ସୁନ୍ନି ସେଣ୍ଟ୍ରାଲ ଓ୍ବାକଫ ବୋର୍ଡର ସଂସ୍ଥାପକଙ୍କୁ ଏହାର ଟ୍ରଷ୍ଟି କରାଯାଇଥିବା ବେଳେ ଏଥିରେ ୧୫ଜଣ ସଦସ୍ୟ ରହିବେ। ଏହି ଟ୍ରଷ୍ଟର ନାମ ଇଣ୍ଡୋ-ଇସ୍‌ଲାମିକ କଲ୍‌ଚୁରାଲ ଫାଉଣ୍ଡେସନ ରଖାଯାଇଛି ବୋଲି ଟ୍ରଷ୍ଟର ଅଧ୍ୟକ୍ଷ ଜୁଫାର ଅହମଦ ଫାରୁକି ସୂଚନା ଦେଇଛନ୍ତି। ବର୍ତ୍ତମାନ ଏଥିରେ ୯ଜଣଙ୍କୁ ସାମିଲ କରାଯାଇଛି ପରେ ବାକି ଅନ୍ୟମାନଙ୍କୁ ସାମିଲ କରାଯିବ। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ଅଯୋଧ୍ୟାର ଧନିପୁର ଗାଁରେ ମସ୍‌ଜିଦ୍‌ ନିର୍ମାଣ ପାଇଁ ରାଜ୍ୟ ସରକାର ଓ୍ବାକଫ ବୋର୍ଡକୁ ୫ ଏକର ଜମି ପ୍ରଦାନ କରିଥିଲେ। ଏହି ଜମିରେ ମସ୍‌ଜିଦ୍‌ ନିର୍ମାଣ ହେବ। ତେବେ ଫାଉଣ୍ଡେସନ ପକ୍ଷରୁ ୫ ଏକର ଜମିରେ ଏକ ମସ୍‌ଜିଦ୍‌, ଏକ ଲାଇବ୍ରେରୀ ଓ ଏକ ହସ୍ପଟାଲ ନିର୍ମାଣ କରାଯିବ ବୋଲି ସୂଚନା ରହିଛି। ଗତ ୨୦୧୯ ନଭେମ୍ବର ୯ରେ ସୁପ୍ରିମକୋର୍ଟର ଏକ ୫ ଜଣିଆ ଖଣ୍ଡପୀଠ ଅଯୋଧ୍ୟା ଜମି ବିବାଦ ମାମଲାର ଶୁଣାଣି କରିଥିଲେ। ଏହି ଶୁଣାଣିରେ ବିବାଦୀୟ ସ୍ଥାନରେ ରାମ ମନ୍ଦିର ନିର୍ମାଣ ପାଇଁ ନିର୍ଦ୍ଦେଶ ଦିଆଯାଇଥିବା ବେଳେ ମୁସ୍‌ଲିମ ପକ୍ଷଙ୍କୁ ଅନ୍ୟ ଏକ ସ୍ଥାନରେ ମସ୍‌ଜିଦ୍‌ ନିର୍ମାଣ ପାଇଁ ୫ ଏକର ଜମି ପ୍ରଦାନ କରିବାକୁ ସରକାରଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା।

Share