ଶ୍ରୀନଗର, ୪।୮: ଜମ୍ମୁ-କଶ୍ମୀରରେ ଠିକ୍ ବର୍ଷେ ତଳେ କେନ୍ଦ୍ର ସରକାର ଅନୁଚ୍ଛେଦ ୩୭୦କୁ ଉଚ୍ଛେଦ କରିଥିଲେ। ୨୦୧୯ ଅଗଷ୍ଟ ୫ରୁ ଜମ୍ମୁ-କଶ୍ମୀର ନିଜର ସ୍ବତନ୍ତ୍ର ରାଜ୍ୟର ମାନ୍ୟତା ହରାଇଥିଲା। ଅଗଷ୍ଟ ୫ରେ ଅନୁଚ୍ଛେଦ ୩୭୦ ଉଚ୍ଛେଦକୁ ବର୍ଷେ ପୂରିଛି। ଏହି ଦିନଟି ଜମ୍ମୁ-କଶ୍ମୀରବାସୀଙ୍କ ପାଇଁ ଏକ ଐତିହାସିକ ଦିନ। ହେଲେ ବର୍ଷପୂର୍ତ୍ତି ଅବସରରେ ଘାଟିରେ ହିଂସାତ୍ମକ ପରିସ୍ଥିତ ଉପୁଜିବାର ଆଶଙ୍କା କରି ପ୍ରଶାସନ ପକ୍ଷରୁ ମଙ୍ଗଳବାର ଓ ବୁଧବାର ୨ଦିନ ଧରି କର୍ଫ୍ୟୁ ଜାରି କରାଯାଇଛି। ତେବେ କର୍ଫ୍ୟୁ ସମୟରେ ଆବଶ୍ୟକୀୟ ଦୋକାନ ଓ ଜରୁରୀକାଳୀନ ସେବାକୁ ବାଦ୍ ଦେଲେ ଅନ୍ୟ ସବୁ ଜିନିଷ ଓ ଯାତାୟତ ଉପରେ କଟକଣା ଜାରି କରାଯାଇଛି। ଘାଟିରେ ରାସ୍ତାଘାଟ ଓ ବଜାରକୁ ସିଲ୍ କରାଯାଇଥିବା ନେଇ ଶ୍ରୀନଗର ଜିଲାପାଳ ସୂଚନା ଦେଇଛନ୍ତି। ଏହାପୂର୍ବରୁ ସୋମବାର ବର୍ଦ୍ଧିତ କରୋନା ମାମଲାକୁ ଦୃଷ୍ଟିରେ ରଖି ପୁରା କଶ୍ମୀର ଘାଟିରେ ଅଗଷ୍ଟ ୫ ଯାଏଁ ସମ୍ପୁର୍ଣ୍ଣ ନିଷେଧ କରାଯାଇଛି। ସୂଚନାଯୋଗ୍ୟ, ଅଗଷ୍ଟ ୫ରେ ପାକିସ୍ତାନର ପ୍ରରୋଚନାରେ କିଛି ସଂସ୍ଥା ଓ ବିଚ୍ଛିନ୍ନତାବାଦୀ ଘାଟିରେ ହିଂସା ଘଟାଇବା ନେଇ ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିଛି। ଏଥିସହ ବିରୋଧୀମାନେ ଏହି ଦିନକୁ କଳା ଦିବସ ଭାବେ ପାଳନ କରିବାକୁ ଯୋଜନା କରିଥିବା ଜଣାପଡ଼ିଛି। ତେଣୁ ଏହାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି।