ଭୁବନେଶ୍ୱର,୨୦ା୬(ବ୍ୟୁରୋ): କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଇଡି(ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ) ପକ୍ଷରୁ କରାଯାଉଥିବା ଜେରାକୁ ନେଇ ଦେଶବ୍ୟାପୀ ବିରୋଧର ସ୍ବର ତେଜିବାରେ ଲାଗିଛି। ସୋମବାର ରାହୁଲ ପୁଣି ଇଡିରେ ଜେରାର ସମ୍ମୁଖୀନ ହେବେ। ରାହୁଲଙ୍କୁ ବାରମ୍ବାର ଇଡି ପକ୍ଷରୁ ଜେରା କରାଯିବା ଘଟଣାରେ ଦେଶବ୍ୟାପୀ କଂଗ୍ରେସ ନେତା ଓ କର୍ମୀମାନେ ବିରୋଧ ଓ ପ୍ରତିବାଦ ଜାରି ରଖିଛନ୍ତି। ଆସନ୍ତା ୨୦ ଏବଂ ୨୧ ତାରିଖରେ ଦଳ ପକ୍ଷରୁ ରାଜ୍ୟର ସମସ୍ତ ନଗର ଏବଂ ବ୍ଲକ କଂଗ୍ରେସ କମିଟି ତରଫରୁ ବିକ୍ଷୋଭ କରିବା ପାଇଁ ପିସିସି ସଭାପତି ଶରତ ପଟ୍ଟନାୟକ ଆହ୍ବାନ ଦେଇଛନ୍ତି। ଯେତେଦିନ କଂଗ୍ରେସ ନେତାଙ୍କୁ କେନ୍ଦ୍ରର ଏନ୍ଡିଏ ନେତୃତ୍ୱାଧୀନ ଭାଜପା ସରକାର କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥାକୁ ବ୍ୟବହାର କରି ଏହିଭଳି ବଦନାମ୍ କରିବାକୁ ଚେଷ୍ଟା କରିବ ସେତେଦିନ ଦଳ ଚୁପ୍ ବସିବ ନାହିଁ ବୋଲି ଶରତ କହିଛନ୍ତି। ଗତ ଶୁକ୍ରବାର କଂଗ୍ରେସ ରାଜ୍ୟବ୍ୟାପୀ ଆନ୍ଦୋଳନ କରିଥିବା ବେଳେ ଏହାର ଦିନକ ଆଗରୁ ରାଜଭବନ ଆଗରେ ପ୍ରତିବାଦ ଓ ବିକ୍ଷୋଭ ସଭା କରିଥିଲା। ଏହା ପୂର୍ବରୁ କଂଗ୍ରେସ ନେତା ଓ କର୍ମୀମାନେ ରାଜ୍ୟର ଇଡି କାର୍ଯ୍ୟାଳୟ ଘେରାଉ କରିଥିଲେ।