ଛତ୍ରପୁର,୪ା୧୧(ଡି.ଏନ୍.ଏ.): ଓଡ଼ିଶା ଡ୍ରାଇଭର ସଂଘ ପକ୍ଷରୁ ରାସ୍ତାରେ ତଳେ ଶୋଇ ଅଭିନବ ଉପାୟରେ ଶୁକ୍ରବାର ନିଆରା ଆନ୍ଦୋଳନ କରିଛନ୍ତି। ଶତାଧିକ ଡ୍ରାଇଭର ଏକ ବିରାଟ ଶୋଭାଯାତ୍ରାରେ ଆସି ଛତ୍ରପୁରସ୍ଥିତ ଗଞ୍ଜାମ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ତଳେ ଶୋଇ ରହି ମୁଣ୍ଡିଆ ମାରି ନିଜର ଦାବି ପୂରଣ ପାଇଁ ନେହୁରା ହୋଇଛନ୍ତି। ଦୀର୍ଘଦିନ ଧରି ନିଜର ଦାବିକୁ ରାଜ୍ୟ ସରକାରଙ୍କ ନିକଟରେ ଉପସ୍ଥାପନ କରିଥିଲେ ସୁଦ୍ଧା ସେହି ଦାବିକୁ ସରକାର ଶୁଣି ନ ଥିବା ଅଭିଯୋଗ ହୋଇଛି। ଏହାକୁ ନେଇ ଆଜି ଏଭଳି ନିଆରା ଭାବେ ଜିଲାପାଳଙ୍କୁ ନିଜର ଦାବି ଜଣାଇଛନ୍ତି । ଦୁର୍ଘଟଣାରେ ପ୍ରାଣ ହରାଇଥିବା ଡ୍ରାଇଭରଙ୍କ ପାଇଁ ବୀମା, ୫୫ ବର୍ଷ ପରେ ଡ୍ରାଇଭରଙ୍କୁ ପେନ୍ସନ୍, ଡ୍ରାଇଭରଙ୍କ ସୁରକ୍ଷା ନିମନ୍ତେ ସ୍ବତନ୍ତ୍ର ଆଇନ ଭଳି ୯ ଦଫା ଦାବି ନେଇ ଡ୍ରାଇଭର ସଂଘ ଆନ୍ଦୋଳନକୁ ଓହ୍ଲାଇଛନ୍ତି।