Categories: ଜାତୀୟ

ସ୍ବାଦର ଅନନ୍ୟ ପରମ୍ପରା ଗୁଡ଼

ଗୁଡ଼ ଆମ ସଂସ୍କୃତି, ପରମ୍ପରା ସହ ବେଶ୍‌ ନିବିଡଭାବେ ଜଡ଼ିତ। ତା’ର ମିଠାପଣ କେବଳ ପାଟିକୁ ମିଠା କରେନା ବରଂ ଆମ ପର୍ବପର୍ବାଣିକୁ ଖାସ୍‌ କରାଏ। ସେ ପଞ୍ଚାମୃତ ହେଉକି ରଜପର୍ବର ଆକର୍ଷଣ ପୋଡ ପିଠା, ଏ ସବୁ ତ ଯେମିତି ଗୁଡ଼ ବିନା ଅଧୁରା। ସେଥିପାଇଁ ତ ଆଧୁନିକତାର ଛାପରେ ଏହାର ଚାହିଦା କିଛିଟା କମିଥିଲେ ହେଁ ସମ୍ପୂର୍ଣ୍ଣ ନିଶ୍ଚିହ୍ନ ହୋଇନି ଏହାର ସତ୍ତା…

ଗୁଡ଼ ଆମ ସଂସ୍କୃତି, ପରମ୍ପରା ସହ ବେଶ୍‌ ନିବିଡଭାବେ ଜଡ଼ିତ। ତା’ର ମିଠାପଣ କେବଳ ପାଟିକୁ ମିଠା କରେନା ବରଂ ଆମ ପର୍ବପର୍ବାଣୀକୁ ଖାସ୍‌ କରାଏ। ତା’ସହ ସମ୍ପର୍କକୁ ବି କରେ ମଧୁର। ତେଣୁ ଦିନ ଥିଲା ଗୁଡ଼ର ଚାହିଦା ଥିଲା ବହୁତ। ରାଜ୍ୟର ବହୁ ଅଞ୍ଚଳରେ ଆଖୁ ଚାଷ କରାଯାଇ ଦେଶୀପଦ୍ଧତିରେ ଗୁଡ଼ ପ୍ରସ୍ତୁତ ହେଉଥିଲା। ହେଲେ ଏବେ ଏହାର ଚାହିଦା ଅନେକାଂଶରେ କମିଯାଇଛି। ଆଉ ବିଶେଷ ମିଳୁନାହିଁ ମାଟିହାଣ୍ଡିର ଗୁଡ଼। ତଥାପି ପୂଜା, ପର୍ବପର୍ବାଣୀ ଆସିଲେ ଯେମିତି ବି ହେଉ ଲୋଡା ପଡୁଛି ଗୁଡ଼। ସେ ପଞ୍ଚାମୃତ ହେଉକି ରଜପର୍ବର ଆକର୍ଷଣ ପୋଡ ପିଠା, ଏ ସବୁ ତ ଯେମିତି ଗୁଡ଼ ବିନା ଅଧୁରା। ଖାଲି ପୋଡ ପିଠା କାହିଁକି ନାନା ରକମର ଓଡ଼ିଆ ପିଠା ପ୍ରସ୍ତୁତି ପାଇଁ ବି ଆବଶ୍ୟକ ହୁଏ ଗୁଡ଼। ବିବାହ ବେଦୀରେ ବି କନିଆ ହାତରେ ରଖାଯାଏ ଗୁଡ। ଯେମିତିକି ଗୁଡର ମିଠାପଣ ଦାମ୍ପତ୍ୟ ଜୀବନକୁ ବି କରିବ ମଧୁର। ସେଥିପାଇଁ ତ ଆଧୁନିକତାର ଛାପରେ ଏହାର ଚାହିଦା କିଛିଟା କମିଥିଲେ ହେଁ ସମ୍ପୂର୍ଣ୍ଣ ନିଶ୍ଚିହ୍ନ ହୋଇନି ଏହାର ସତ୍ତା।
ଗୁଡ଼ର ପ୍ରକାର ଓ ବ୍ୟବହାର: ଆଖୁରୁ ବିଭିନ୍ନ ପ୍ରକାରର ଗୁଡ ପ୍ରସ୍ତୁତ ହୋଇଥାଏ। ଯେପରିକି ହାଣ୍ଡିଗୁଡ଼, ସାମାନ୍ୟ ପତଳା ଗୁଡ଼, ଅଖାଗୁଡ଼ ଶୁଖିଲା, ଲାଇଲନ ଗୁଡ଼। ଲାଇଲନ ଗୁଡ଼ ଦେଖିବାକୁ ଧଳା। ଅନ୍ୟପକ୍ଷେ ତାଳ ଓ ଖଜଜୁରୀରୁ ବି ଗୁଡ଼ ପ୍ରସ୍ତୁତ କରାଯାଏ। ହେଲେ ଆଖୁ ଗୁଡର କଥା ଅଲଗା। ଏହା ସ୍ବାସ୍ଥ୍ୟ ପାଇଁ ଭଲ। ତା’ସହ ଏଥିରୁ ବିଭିନ୍ନ ପ୍ରକାରର ଖାଦ୍ୟ ଯେମିତିକି ପିଠା, ପଣା, ଖିରି, ମୁଅଁା, ଉଖୁଡା, ଆଚାର ଆଦି ବି କରାଯାଏ। ପୂଜାରେ ତ ଆଗ ଲୋଡା ହୁଏ ଆଖୁଗୁଡ଼। ଆଜିକାଲି କେହି କେହି ଚା ଓ କଫିରେ ବି ଗୁଡ଼ ବ୍ୟବହାର କରୁଛନ୍ତି।
ସ୍ବାସ୍ଥ୍ୟ ପାଇଁ ଗୁଡ଼: ଆୟୁର୍ବେଦିକ ଡାକ୍ତର ଡ. ବାସୁଦେବ ପ୍ରଧାନ କୁହନ୍ତି,‘ଗୁଡ଼ ସହିତ ଆମେ ସମସ୍ତେ ପରିଚିତ। ପୁରୁଣା ଯୁଗରୁ ଗୁଡ଼ର ବ୍ୟବହାର ଭାରତୀୟମାନେ ଜାଣନ୍ତି। ଗୁଡ଼ର ଔଷଧୀୟ ଗୁଣ ବିଷୟରେ ଆୟୁର୍ବେଦରେ ବର୍ଣ୍ଣନା ହୋଇଛି। ପଞ୍ଚାମୃତରେ- କ୍ଷୀର, ଦହି, ଘିଅ,ମହୁ ଓ ଗୁଡ଼ର ମିଶ୍ରଣ ହୋଇଥାଏ। ଅମୃତର ଅର୍ଥ ହେଉଛି ଯାହା ଜୀବନଶକ୍ତି ବଢ଼ାଇବା ସହ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଏ। ତେଣୁ କୁହାଯାଇପାରେ ଗୁଡ଼ରେ ଅଛି ଅମୃତର ଅଂଶ। ଗୁଡ଼ରେ ଗୋଲମରିଚ ଗୁଣ୍ଡ ଓ ଅଦାରସ ମିଶାଇ ଦିନକୁ ୩ଥର ପିଇଲେ କାଶ କମିଥାଏ। ଯେଉଁମାନଙ୍କର ରକ୍ତହୀନତା ହୋଇଛି ଗୁଡ଼ ଖାଇଲେ ଉପକାର ମିଳିଥାଏ। ଗୁଡ଼ପଣା ପିଇଲେ ପରିସ୍ରା ପୋଡ଼ାରୁ ଉପଶମ ମିଳିଥାଏ। ଅଦା ସହିତ ଗୁଡ଼ ଖାଇଲେ ଅଜୀର୍ଣ୍ଣ ବା ଅଗ୍ନିମାନ୍ଦ୍ୟ ସମସ୍ୟା ଦୂର ହୋଇଥାଏ। ମାଣ୍ଡିଆ ଜାଉରେ ଗୁଡ଼ ମିଶାଇ ଖାଇଲେ ଶ୍ରେଷ୍ଠ ପୋଷକ ଭାବେ ଶରୀରକୁ ଅଧିକ ପରିମାଣର ପୁଷ୍ଟିସାର ମିଳିଥାଏ। ହାଡ଼କୁ ମଜଭୁତ କରେ, ନିଦ୍ରାହୀନତା- ମାନସିକ ଉନ୍ମାଦରୁ ଉପଶମ ମିଳେ। ଗୁଡ଼ ସହିତ ଆବଶ୍ୟକ ପରିମାଣର ଶୁଣ୍ଠି ମିଶାଇ ଖାଇଲେ ବାତ ରୋଗରୁ ଉପଶମ ମିଳିଥାଏ। ଯେଉଁମାନଙ୍କର ମୂର୍ଚ୍ଛା ହେଉଛି-ଗୁଡ଼ ସହିତ ଅଦାରସ ଖାଇଲେ ଏହି ସମସ୍ୟା ଧୀରେ ଧୀରେ ଦୂର ହୋଇଥାଏ। ଆବଶ୍ୟକ ପରିମାଣର ଗୁଡ଼ ତିଆରି ମିଠାକୁ ମଧୁମେହ ରୋଗୀ ମଧ୍ୟ ଖାଇପାରିବେ। ଗୁଡ଼ର ଔଷଧୀୟ ବ୍ୟବହାର ପାଇଁ ଡାକ୍ତରଙ୍କ ପରାମର୍ଶ ଅତ୍ୟନ୍ତ ଜରୁରୀ।’ ଡାକ୍ତର ତ୍ରୈଲୋକନାଥ ମହାରଣା କୁହନ୍ତି,‘ଆଖୁଗୁଡ଼ ପରି ତାଳଗୁଡ଼ ଓ ଖଜୁରୀଗୁଡ଼ ବେଶ ସୁଆଦିଆ ଏଥିରେ ପ୍ରୋଟିନ,ଶ୍ୱେତସାର ରହିଛି। ଏହା ଶକ୍ତିବର୍ଦ୍ଧକ।’
ଗୁଡ଼ର ବିବିଧ ଉପକାରିତା ଲାଗି ଆମ ରାଜ୍ୟର ବିଭିନ୍ନ ସ୍ଥାନରେ ହୁଏ ଆଖୁ ଚାଷ। ଯଦିଓ ଗୁଡର ଚାହିଦା ଏବେ କିଛିଟା କମିଛି। ତଥାପି ଅନେକ ସ୍ଥାନରେ ଏବେବି ହେଉଛି ଆଖୁ ଚାଷ ଓ ସେଥିରୁ ପ୍ରସ୍ତୁତ କରାଯାଉଛି ଗୁଡ଼। ସେହି ସ୍ଥାନଗୁଡ଼ିକ ହେଉଛି..
ନୟାଗଡ଼ ଗୁଡ଼ ସବୁରୀ ପ୍ରିୟ: ନୟାଗଡ଼ ଜିଲାର ଗୁଡ଼ ଦେଶୀୟ ପଦ୍ଧତିରେ ତିଆରି ହେଉଥିବାରୁ ସର୍ବଭାରତୀୟ ସ୍ତରରେ ଏହାର ସ୍ବତନ୍ତ୍ର ପରିଚୟ ରହିଛି। ପାରମ୍ପରିକ ପଦ୍ଧତିରେ ପ୍ରସ୍ତୁତ ହେଉଥିବା ଏହି ଗୁଡ ତା’ର ସ୍ବାଦ ଓ ଗୁଣବତ୍ତାକୁ ବଜାୟ ରଖିଛି। ଓଡ଼ିଶାର ଅନ୍ୟ ଜିଲାର ଆଖୁ ଅପେକ୍ଷା ନୟାଗଡ଼ ଆଖୁ ଅଧିକ ଶର୍କରାଯୁକ୍ତ ଓ ଭଲ ଦୋରୁଅ ବାହାରିଥାଏ। ନୟାଗଡ଼ ଜିଲାରେ ବହି ଯାଉଥିବା ମହାନଦୀ, କୁସୁମୀ, କୁଅଁାରିଆ, ଡାହୁକା, ବୃତ୍ତଙ୍ଗ, ବାଘମାରୀ ଆଦି ନଦୀକୂଳିଆ ଅଞ୍ଚଳରେ ବିଶେଷକରି ଆଖୁଚାଷ ହୋଇଥାଏ। ୧୯୮୦ରେ ପ୍ରତିଷ୍ଠିତ କରାଯାଇଥିବା ନୟାଗଡ଼ ସମବାୟ ଚିନିକଳ ଏହି ଜିଲାରେ ଆଖୁଚାଷକୁ ବଢ଼ାଇଥିଲା। ନୟାଗଡ଼ ପାଣିପୋଇଲାସ୍ଥିତ ଚିନିକଳର ଉପତ୍ାଦନ କ୍ଷମତା ୧.୨ ଲକ୍ଷ ଟନ୍‌ ଥିବାବେଳେ ଏହା ଉପରେ ପ୍ରାୟ ୩୦ ହଜାରରୁ ଊର୍ଦ୍ଧ୍ୱ ଚାଷୀ ନିର୍ଭର କରି ଚଳୁଥିଲେ। ପ୍ରାୟ ୬ ହଜାର ହେକ୍ଟର ଜମିରେ ଆଖୁ ଫସଲ ହେଉଥିଲା। ୨୦୧୫ରେ ଚିନିକଳ ବନ୍ଦ ହେବାପରେ ଜିଲାରେ ମାତ୍ର ୧୨୦୫ ହେକ୍ଟର ଜମିରେ ଆଖୁଚାଷ ହେଉଛି। ନୟାଗଡ଼ ବ୍ଲକରେ ୨୭୬ ହେକ୍ଟର, ଓଡ଼ଗଁା ୨୭୭ ହେକ୍ଟର, ରଣପୁର ୧୦୫ ହେକ୍ଟର, ଖଣ୍ଡପଡ଼ା ୧୦୩ ହେକ୍ଟର, ଭାପୁର ୧୦୫ ହେକ୍ଟର, ଦଶପଲ୍ଲା ୪୯ ହେକ୍ଟର, ନୂଆଗଁା ୧୮୮ ହେକ୍ଟର ଓ ଗଣିଆ ବ୍ଲକରେ ୧୦୦ ହେକ୍ଟର ଆଖୁଚାଷ ହେଉଥିବା ଜଣାପଡ଼ିଛି। ଏ ସମ୍ପର୍କରେ ଆଖୁଚାଷୀ ଦୁର୍ଯ୍ୟୋଧନ ପ୍ରଧାନ କୁହନ୍ତି, ‘ଏହି ଜିଲାର ବାଲୁଗଁା ପଞ୍ଚାୟତ ନୂଆ କଣ୍ଟାବଣିଆ ଗଁାରେ ମୁଁ ୨୦ ମାଣ (୫ ଏକର) ଜମିରେ ଆଖୁଚାଷ କରୁଛି। ମୋ ପରିବାର ଓ ବଡ଼ଭାଇ ବୃନ୍ଦାବନଙ୍କ ପରିବାର ପ୍ରାୟ ୩୫ବର୍ଷ ହେଲା ଆଖୁ ଚାଷ ସହ ଗୁଡ଼ ତିଆରି କରି ବିକ୍ରି କରି ଆସୁଛୁ। ଗୁଡ ତିଆରି ଲାଗି ପ୍ରତିଦିନ ୪/୬ଜଣ ଲୋକ ଆଖୁଶାଳରେ ଦରକାର। ବିଦ୍ୟୁତ୍‌ ଓ ଜେନେରେଟର ସାହାଯ୍ୟରେ ଆଖୁ ପେଡ଼ା ହେଉଛି। ଆଖୁରସ ପାଇପ ଯୋଗେ ଶାଳରେ ପହଞ୍ଚୁଛି। ସେଠାରେ ଗୁଡ଼ ତିଆରି ହେଉଛି। ଅବଶ୍ୟ ନୟାଗଡ଼ ଚିନିକଳ କାମ କରୁଥିବା ସମୟରେ ୧ରୁ ୨ମାଣ ଜମିର ଆଖୁକୁ କେବଳ ଗୁଡ଼ କରୁଥିଲୁ ଏବଂ ୧୮ମାଣ ଜମିର ଆଖୁ ସଂଗ୍ରହକରି ଚିନିକଳକୁ ନେଉଥିଲୁ। ଚିନିକଳ ବନ୍ଦ ପରେ ୨୦୨୧ ପର୍ଯ୍ୟନ୍ତ ୧୫ମାଣ ଜମିର ଆଖୁ ଢେଙ୍କାନାଳ ଚିନିକଳକୁ ଦେଉଥିଲୁ। ଗୋଟିଏ ବର୍ଷରେ ଅତିକମ୍‌ରେ ୨ଲକ୍ଷ ଟଙ୍କାର ଲାଭ ମିଳେ। ଆମ ପରିବାର ପକ୍ଷରୁ ପ୍ରସ୍ତୁତ ଗୁଡ଼କୁ ବ୍ୟବସାୟୀମାନେ ୩୩ ଟଙ୍କାରେ କେଜି ପ୍ରତି କିଣନ୍ତି । ଢେଙ୍କାନାଳ, ଅନୁଗୋଳ ଓ ତାଳଚେରର ବ୍ୟବସାୟୀମାନେ ବି ଗୁଡ କିଣିନିଅନ୍ତି। ଖୁଚୁରାରେ ଆମ ଗଁାରେ ୪୫ ଟଙ୍କାରେ ଗୁଡ ବିକ୍ରି ହେଉଛି।’ ନୂଆଗଁା ବ୍ଲକ ଶିମିଳିସାହି ଗଁାର ଗୁଲୁବାସ ପ୍ରଧାନ କୁହନ୍ତି,‘ପ୍ରାୟ ୮ବର୍ଷ ବୟସର ହୋଇଥିବା ସମୟରୁ ବାପାଙ୍କୁ ଆଖୁଚାଷରେ ସହଯୋଗ କରିଛି। ପାଠ ମୁଁ ଜମାରୁ ପଢିନି। ଆଉ ଏମିତି ସାହାଯ୍ୟ କରୁ କରୁ ଅଜାଣତରେ କେତେବେଳେ ଚାଷୀ ହୋଇଗଲି। ଚାଷରେ କ୍ଷତି ହେଉ କି ଲାଭ ଆଉ ପଛକୁ ଫେରି ଦେଖିନି। ଚାଷ କରି ପୁଅ ଝିଅଙ୍କ ବାହାଘର ବି କରାଇଛି। ପୂର୍ବରୁ ବଳଦ ଓ ପୋଢ଼ ଦ୍ୱାରା ଆଖୁପେଡା ହେଉଥିଲା। ଏବେ ଟ୍ରାକ୍ଟର ଯୋଗେ ଆଖୁପେଡା ହେଉଛି। ୪ମାଣ ଆଖୁ ଫସଲ କରିଛି । ସବୁ ଆଖୁକୁ ଗୁଡ଼ କରି ବିକ୍ରି କରୁଛି। ଗୁଡ଼ କେଜି ପ୍ରତି ୩୦ରୁ ୩୫ଟଙ୍କାରେ ବ୍ୟବସାୟୀମାନେ କିଣି କଟକ, ଭୁବନେଶ୍ୱର ଓ ପୁରୀରେ ବିକ୍ରି କରୁଛନ୍ତି।’ ସେମିତି ଆଉ ଜଣେ ଆଖୁ ଚାଷୀ ପାଣିପୋଇଲା ଛକର ପ୍ରମୋଦ କୁମାର କୁଣ୍ଡୁ କୁହନ୍ତି, ‘ନୟାଗଡ଼ର ଆଖୁରେ ଭଲ ଚିନି ହୁଏ । ନୟାଗଡ଼ ଜିଲାର ୧ ଟନ୍‌ (୧୦କୁଇଣ୍ଟାଲ) ଆଖୁ ଚିନିକଳରେ ପେଡାଗଲେ ମିଳୁଥିଲା ୧କୁଇଣ୍ଟାଲ ୫କେଜି ଚିନି। ସମପରିମାଣର ଆଖୁ ଅନ୍ୟ ଜିଲାରେ ପେଡିଲେ ୮୫ କେଜି ଚିନି ପ୍ରସ୍ତୁତ ହେଉଥିଲା। ନୟାଗଡ଼ ଆଖୁରେ ଚିନି ପରି ଗୁଡ଼ ବି ଭଲ ମାନର ହୋଇଥାଏ।’ ବାଲୁଗଁା ଚାଷୀ ରଣଜିତ ଦଳବେହେରା କୁହନ୍ତି, ‘ନୟାଗଡ଼ ମାଟି ଆଖୁଚାଷ ପାଇଁ ଉପଯୁକ୍ତ। ଆଖୁ ଭଲ ହେଉଥିବାରୁ ଗୁଡ଼ ଭଲ ହେଉଛି। ତା’ସହ କେମିକାଲ ବଦଳରେ ପାରମ୍ପରିକ ପଦ୍ଧତିରେ ଗୁଡ଼ ହେଉଥିବାରୁ ଏହାର ସ୍ବାଦ ବଜାୟ ରହିଛି । ’
ଚିନିକଳ ଅଚଳ, ହେଲେ କମିନି ଗୁଡ଼ର ଚାହିଦା: ଏକଦା ଆଖୁ ବରଗଡ଼ର ଏକ ମୁଖ୍ୟ ଅର୍ଥକରୀ ଫସଲ ଥିଲା। କେହିକେହି ଘଣାରେ ଆଖୁକୁ ପେଡ଼ି ଆଖୁରସକୁ ରାନ୍ଧି ଗୁଡ଼ ତିଆରି କରୁଥିଲେ। ଅନେକ ଆଖୁଚାଷୀ ବରଗଡ଼ ସମବାୟ ଚିନିକଳରେ ଆଖୁ ବିକ୍ରି କରି ବେଶ୍‌ କିଛି ରୋଜଗାର କରୁଥିଲେ। ହେଲେ ୧୯୬୯ ମସିହାରୁ ପ୍ରାୟ ୧୦୩ ଏକର ପରିମିତି ଅଞ୍ଚଳରେ ଗଢ଼ି ଉଠିଥିବା ବରଗଡ଼ର ଏହି ଚିନିକଳ ଦୀର୍ଘବର୍ଷ ହେଲା ଅଚଳ ହୋଇ ପଡ଼ିରହିଛି । ଏଥିଯୋଗୁ ଏହି ଜିଲାରେ ଆଗଭଳି ଆଖୁଚାଷ କରିବା ଲାଗି ଚାଷୀଙ୍କ ମନରେ ଆଗଭଳି ଉତ୍ସାହ ନାହିଁ ସତ। କିନ୍ତୁ ଏବେବି ଏଠାରେ ପ୍ରସ୍ତୁତ ହେଉଥିବା ଗୁଡ଼ର ଚାହିଦା କମିନାହିଁ । ଗୁଡ଼ ପ୍ରସ୍ତୁତି ପାଇଁ ଜିଲାର ବିଜେପୁର ବ୍ଲକ ଅନ୍ତର୍ଗତ ଜାରିଂ ଗ୍ରାମର ସ୍ବତନ୍ତ୍ର ପରିଚୟ ରହିଛି । ଏଠାରେ ପ୍ରସ୍ତୁତ ଗୁଡ଼ର ସ୍ବାଦ ନିଆରା। ଆଖୁଚାଷୀ ଦ୍ୱାରି ଗଡ଼ତିଆ କୁହନ୍ତି, ‘ବହୁତ ଜମିରେ ଆଖୁଚାଷ କରିବାର ଇଚ୍ଛା ଥିଲେ ବି ଜଳସେଚନର ସୁବିଧା ନ ଥିବାରୁ ମାତ୍ର ୧ଏକର ଜମିରେ ଆଖୁଚାଷ କରିଛି। ଆଖୁ ବିହନ କିଣିବାଠାରୁ ଅମଳ ଯାଏ ପ୍ରାୟ ୩୦ ହଜାର ଟଙ୍କା ଖର୍ଚ୍ଚ ହୋଇଥାଏ । ପରିବାରର ୩ ଜଣ ସଦସ୍ୟ ଏହି ଚାଷରେ ପରିଶ୍ରମ କରିଥାନ୍ତି। ଆଖୁରସରୁ ଗୁଡ଼ ତିଆରି କରି ଶୁଖିଲା ଗୁଡ଼ କିଗ୍ରା ପ୍ରତି ଶହେ ଟଙ୍କା ଏବଂ ପାଣିଗୁଡ଼ ଟିଣ ପ୍ରତି ୧୭୦୦ ଟଙ୍କାରେ ବିକ୍ରି କରିଥାଏ। ବର୍ଷକୁ ପ୍ରାୟ ଦେଢ଼ଲକ୍ଷ ଟଙ୍କା ଆୟ ହୁଏ । ଗୁଡ଼ ତିଆରିର ପ୍ରାୟ ୨ ସପ୍ତାହ ଭିତରେ ଗୁଡ଼ ବିକ୍ରି ହୋଇଯାଏ।’ ସେହିପରି ସୋହେଲା ବ୍ଲକ ସରକଣ୍ଡା ଗ୍ରାମର ଆଖୁଚାଷୀ ଜଗବନ୍ଧୁ ପ୍ରଧାନ କହିଛନ୍ତି, ‘ବିଭିନ୍ନ କମ୍ପାନୀରେ ପ୍ରସ୍ତୁତ ଗୁଡ଼ ବଜାରକୁ ଆସୁଛି। ଫଳରେ ଘରେ ପ୍ରସ୍ତୁତ ଗୁଡ଼ର ବିକ୍ରିବଟାରେ ଟିକେ ବିଳମ୍ବ ଘଟୁଛି। ଏଥର ମୁଁ ଅଧ ଏକର ଜମିରେ ଆଖୁଚାଷ କରିଥିଲି। ଏଥିରେ ପ୍ରାୟ ୩୦ହଜାର ଟଙ୍କା ଖର୍ଚ୍ଚ କରିଥିଲି। ଆଉ ପ୍ରାୟ ଲକ୍ଷେ ଟଙ୍କା ଲାଭ ହେଲା।
ଢେଙ୍କାନାଳ ଗୁଡ ଉତ୍ପାଦନରେ ବାଧକ ସାଜିଛି ହାତୀ ଉପଦ୍ରବ : ଢେଙ୍କାନାଳ ଜିଲା ମଧ୍ୟ ଦେଇ ବହିଯାଉଥିବା ବ୍ରାହ୍ମଣୀ ନଦୀର ଉଭୟ ପାର୍ଶ୍ୱରେ ଆଖୁଚାଷ ହୋଇଥାଏ। ବିଶେଷକରି ଏହି ଜିଲାର ପରଜଙ୍ଗ, ଭୁବନ, ସଦର ଓ ଓଡାପଡା ବ୍ଲକ ସହ କାମାକ୍ଷାନଗର ବ୍ଲକର ରାମିଆଳ ନଦୀ କୂଳରେ ଢେଙ୍କାନାଳ ସଦର ବ୍ଲକର ବଣସିଂହ, ଶଙ୍କରପୁର, ରାଧାଧେଇପୁର, ଗଁଦିଆ ବ୍ଲକର କାଲୁରିଆ, ଠାକୁରପାଳ, କଙ୍କା, ବାଇସିଙ୍ଗା, ଖଙ୍କର ଆଦି ଅଞ୍ଚଳରେ ଅଧିକ ପରିମାଣରେ ଆଖୁଚାଷ ହେଉଥିବା ଦେଖିବାକୁ ମିଳେ ା ଏହି ଜିଲାର କେତେକ ଅଞ୍ଚଳରେ ଆଖୁରସରୁ ପ୍ରସ୍ତୁତ ଗୁଡ଼କୁ ବିକ୍ରିକରି ଅନେକଚାଷୀ ଉପକୃତ ହୋଇଥାନ୍ତି। ପ୍ରାୟ ୧୯୯୦-୯୧ ମସିହାରେ ଶକ୍ତି ସୁଗାର କମ୍ପାନୀର ଆଖୁ ମାଧ୍ୟମରେ ଚିନି ପ୍ରସ୍ତୁତ କରିବା ଆରମ୍ଭ ହେବାପରେ ଢେଙ୍କାନାଳ ଜିଲା ସମେତ କଟକ ଜିଲାର ସାଲେପୁର, ଆଠଗଡ, ଜଗତ୍‌ସିଂହପୁର, ଯାଜପୁର ଓ ଅନୁଗୋଳ ଜିଲାର ବିଭିନ୍ନ ଅଞ୍ଚଳର ଚାଷୀ ଏଠାକୁ ଆଖୁ ଯୋଗାଣ କରି ଅଧିକ ଲାଭବାନ୍‌ ହୋଇଥିଲେ। ୨୦୨୨ ମସିହାରେ ଶକ୍ତି ସୁଗାର କମ୍ପାନୀକୁ ଇଣ୍ଡିଆନ ପଟାସ୍‌ ଲିମିଟେଡ୍‌ କମ୍ପାନୀ କିଣିନେବା ପରେ ଏହି କମ୍ପାନୀ ମଧ୍ୟ ଆଖୁପେଡା ଜାରି ରଖିଛି ା କିନ୍ତୁ ପୂର୍ବ ଅପେକ୍ଷା ଆଖୁ ଯୋଗାଣ କମିଛି ା ସେହିପରି ହାତୀ ଉପଦ୍ରବ ଆଖୁଚାଷୀଙ୍କ ପାଇଁ ଏକ ପ୍ରମୁଖ ସମସ୍ୟା ହୋଇଛି ା ବହୁ ଜାଗାରେ ହାତୀ ଉପଦ୍ରବରେ ଆଖୁ ଫସଲ ନଷ୍ଟ ହେବାରୁ ଚାଷୀମାନଙ୍କର ଚିନ୍ତା ବଢିଥିଲା ା ଏବେ ଚାଷୀମାନେ ବାଧ୍ୟହୋଇ ଆଖୁଚାଷ ହୋଇଥିବା ସ୍ଥାନରେ ହାତୀ ଦାଉରୁ ଫସଲକୁ ରକ୍ଷା ପାଇଁ ସୋଲାର ଫେନ୍ସିଂ କରୁଛନ୍ତି ା ସେହିପରି ଗ୍ରୀଷ୍ମ ପ୍ରବାହ ସମୟରେ ବହୁ ଲୋକ ଆଖୁକିଣି ସହରରେ ଆଖୁ ପେଡି ଏହାର ରସକୁ ବିକ୍ରି କରୁଛନ୍ତି ା କିନ୍ତୁ ଜିଲାରେ ଆଖୁଚାଷ ପାଇଁ ସମସ୍ତ ପ୍ରକାର ଭିତ୍ତିଭୂମି ଥିଲେ ମଧ୍ୟ ହାତୀ ଉପଦ୍ରବରୁ ଚାଷକୁ ରକ୍ଷା କରିବା ଏବଂ ଚାଷୀଙ୍କୁ ପ୍ରୋତ୍ସାହନର ଆବଶ୍ୟକତା ରହିଛି ା
ଗୁଡ଼ ପାଇଁ ଅଣ୍ଟାଭିଡ଼ିଲେ ମହିଳାଗୋଷ୍ଠୀ: ଦେଶବିଦେଶରେ ଆସିକା ଚିନି କାରଖାନାର ଏକ ସ୍ବତନ୍ତ୍ର ପରିଚୟ ରହିଛି। ସେହି ପୁରୁଣା କାରଖାନା ବନ୍ଦ ହେବାର ବହୁ ବର୍ଷ ପରେ ଅର୍ଥାତ୍‌ ୧୯୬୩ଠାରୁ ଆସିକାରେ ପୁଣି ଏକ ସମବାୟ ଭିତ୍ତିରେ ଆସିକା ସମବାୟ ଚିନିଶିଳ୍ପ ପ୍ରତିଷ୍ଠା ହୋଇଥିଲା। ଗଞ୍ଜାମ ଜିଲାର ୨୩ଟି ବ୍ଲକ ମଧ୍ୟରୁ ୧୬ଟି ବ୍ଲକରେ ଆଖୁଚାଷ ହୋଇଥାଏ। ୧୯୮୪-୮୫ରେ କାରଖାନା ୨ଲକ୍ଷ ୬୭ହଜାର ଟନ୍‌ ଆଖୁ ପେଡ଼ୁଥିଲା। କ୍ରମେ ତାହା ହ୍ରାସ ପାଇ ୨୦୨୨-୨୩ରେ ଏହି କାରଖାନା ମାତ୍ର ୩୮ ହଜାର ଟନ୍‌ ଆଖୁ ପେଡ଼ୁଛି। ଆଖୁ ଏକ ଅର୍ଥକାରୀ ଫସଲ ହୋଇଥିଲେ ମଧ୍ୟ ଆଖୁ ଚାଷୀଙ୍କୁ ଉପଯୁକ୍ତ ମୂଲ୍ୟ ଓ ଆବଶ୍ୟକ ପ୍ରୋତ୍ସାହନ ମିଳୁ ନ ଥିବାରୁ ଏହି ଚାଷ ଠାରୁ ଚାଷୀ ବିମୁଖ ହୋଇଥିବା ଲକ୍ଷ୍ୟକରାଯାଉଛି। ପୂର୍ବରୁ ଜନସାଧାରଣ ଗୁଡ଼କୁ ବ୍ୟବହାର କରୁଥିଲେ। ବଜାରରେ ଚିନିର ବହୁଳ ପ୍ରସାର ପରେ ଗୁଡ଼ର ଚାହିଦା କମିବାରେ ଲାଗିଲା। ତଥାପି ଅନେକଙ୍କର ଗୁଡ଼ ପ୍ରତି ଏବେ ବି ରୁଚି ରହିଛି। ତେଣୁ ୨୦୨୧ରୁ ଆସିକା ବ୍ଲକ ଚଢ଼ାଇପଲୀ ଓ ଗଙ୍ଗାପୁର ପଞ୍ଚାୟତରେ ଓଡ଼ିଶା ଜୀବିକା ମିଶନ ପକ୍ଷରୁ ମିଶନ ଶକ୍ତି ମହିଳା ସ୍ବୟଂସହାୟକ ଗୋଷ୍ଠୀ ମାଧ୍ୟମରେ ଏହି ଗୁଡ଼ ପ୍ରସ୍ତୁତି ପୁନଃ ଆରମ୍ଭ ହେଇଛି। ପ୍ରଥମବର୍ଷ ଉଭୟ ସ୍ଥାନରୁ ୮ହଜାର ୪୫୦ କେଜି ଗୁଡ଼ ପ୍ରସ୍ତୁତ ହୋଇଥିଲା। ୨୦୨୨-୨୩ରେ ଉତ୍ପାଦନ ପରିମାଣ ସାମାନ୍ୟ ହ୍ରାସ ପାଇଥିଲା। ତେବେ ଆବଶ୍ୟକୀୟ ପ୍ରୋତ୍ସାହନ ମିଳିଲେ ୨୦୨୩-୨୪ରେ ଏହି ଗୁଡ଼ ପ୍ରସ୍ତୁତି କେନ୍ଦ୍ରରୁ ଅଧିକ ଗୁଡ଼ ଉତ୍ପାଦନ ହୋଇପାରିବ। ଆଉ ଅଧିକରୁ ଅଧିକ ଗୋଷ୍ଠୀ ଏହି କାର୍ଯ୍ୟରେ ଆଗଭର ହେବେ ବୋଲି ବି ଆଶା କରାଯାଏ।
ପ୍ରୋତ୍ସାହନ ମିଳିଲେ ବଢିବ ଆଠଗଡ଼ର ଗୁଡ ଉତ୍ପାଦନ: ଦିନଥିଲା ଆଖୁଚାଷ ପାଇଁ ଆଠଗଡ଼ ବିଖ୍ୟାତ ଥିଲା। ଆଠଗଡ଼ ବ୍ଲକର ମହାନଦୀ ଅବବାହିକା ତଥା ପ୍ରାକୃତିକ ନାଳ ଦ୍ବାରା ଜଳସେଚିତ ଅଞ୍ଚଳରେ ବହୁଳ ମାତ୍ରାରେ ଆଖୁଚାଷ କରାଯାଉଥିଲା। ଏ ଅଞ୍ଚଳର ଘଣାରେ ପ୍ରସ୍ତୁତ ଗୁଡ଼, ଆଖୁରସର ଚାହିଦା ବେଶ୍‌ ଭଲଥିଲା। ୯୦ ଦଶକରେ ଆଠଗଡ଼ ଉପଖଣ୍ଡର ବଡ଼ମ୍ବା ବ୍ଲକ ସୁନାପାଳଠାରେ ରାଜ୍ୟ ସମବାୟ ବିଭାଗ ଦ୍ବାରା ଚିନିକଳ ପ୍ରତିଷ୍ଠା ହେଲାପରେ ଏହାକୁ ‘ଶକ୍ତି ସୁଗାର’ ନାମକ ଘରୋଇ ସଂସ୍ଥା ଗ୍ରହଣ କରିଥିଲା। ଚାଷୀମାନଙ୍କୁ ବିହନ ଯୋଗାଇଦେବା ସହିତ ଜଳସେଚନ ପାଇଁ ଉପଖଣ୍ଡର ବିଭିନ୍ନ ବ୍ଲକରେ ମହାନଦୀରୁ ଉଚ୍ଚ କ୍ଷମତାସମ୍ପନ୍ନ ଉଠାଜଳସେଚନ ପ୍ରକଳ୍ପ ଦ୍ବାରା ଜମିକୁ ଜଳ ଯୋଗାଉଥିଲା। ଏହି ସମୟରେ ଆଠଗଡ଼ ବ୍ଲକରେ ୨୦୦ ହେକ୍ଟର ଜମିରେ ଆଖୁଚାଷ କରାଯାଉଥିଲା। ୨୦୦୪ ମସିହାରେ ଶକ୍ତି ସୁଗାର ଡମ୍ବା ଚିନିକଳକୁ ବାଲାଜୀ ସୁଗାର ନାମକ ସଂସ୍ଥାକୁ ବିକ୍ରି କରାଯାଇଥିଲା। ହେଲେ ପରିଚାଳନାଗତ ତ୍ରୁଟି ପାଇଁ ଏହା ବେଶି ଦିନ ଚାଲି ପାରିଲାନାହିଁ। ରକ୍ଷଣାବେକ୍ଷଣର ଅଭାବ, ସରକାରୀ ଉଦାସୀନତା, ରାଜନୈତିକ ଇଚ୍ଛାଶକ୍ତିର ଅଭାବରୁ ଶକ୍ତି ସୁଗାର ଦ୍ୱାରା ନିର୍ମିତ ଜଳସେଚନ ପ୍ରକଳ୍ପ ଧ୍ୱଂସ ପାଇଯାଇଥିଲା। ତେବେ ୨୦୧୮-୧୯ ମସିହା ବେଳକୁ ଏହା ସମଗ୍ର ବ୍ଲକରେ ୪୦ ହେକ୍ଟର ଜମିରେ ସୀମିତ ରହିଲା। ଏବେ ଢେଙ୍କାନାଳସ୍ଥିତ ଶକ୍ତି ସୁଗାରର ପ୍ରୋତ୍ସାହନ ପାଇ ବ୍ଲକର ଦୋରଡ଼, ମହାକାଳବସ୍ତ, ଧୁରୁଷିଆ, କଣ୍ଡରେଇ ଆଦି ଗ୍ରାମପଞ୍ଚାୟତର ବିଭିନ୍ନ ଗ୍ରାମରେ ଆଖୁଚାଷ ବୃଦ୍ଧି ପାଇ ପ୍ରାୟ ୧୪୦ ହେକ୍ଟର ଜମିରେ ପହଞ୍ଚତ୍ଛି। ଫଳରେ ଗୁଡର ଉତ୍ପାଦନ ବି କିଛିଟା ବଢିଛି। ତେବେ ପ୍ରୋତ୍ସାହନ ମିଳିଲେ ଏଠାକାର ଗୁଡ ଉତ୍ପାଦନ ପୁଣିଥରେ ବଢିବ ବୋଲି ଚାଷୀ କୁହନ୍ତି। ଏବେ ପ୍ରାୟ ଏହି ଅଞ୍ଚଳରେ ଆଖୁଘଣା ବନ୍ଦ ହୋଇସାରିଛି ବୋଲି ବ୍ଲକ କୃଷି ଅଧିକାରୀ ଜଗବନ୍ଧୁ ମିଶ୍ର ସୂଚନା ଦେଇଛନ୍ତି।
ବହୁ ଉପକାରୀ ଏହି ଗୁଡ଼ ଯେମିତି ନ ହରାଉ ତା’ର ସତ୍ତା। ପୁଣିଥରେ ବଢୁ ଏହାର ଉତ୍ପାଦନ ଓ ଚାହିଦା। ସେଥିପାଇଁ ସରକାରଙ୍କର ପ୍ରୋତ୍ସାହନ ନିହାତି ଜରୁରୀ।
-ବନବିହାରୀ ବେହେରା, ଲୋକନାଥ ମିଶ୍ର, ପ୍ରେମାନନ୍ଦ ଖମାରୀ, ରତନ ନାୟାର, ସୁରେନ୍ଦ୍ର ନାଥ ସାହୁ, ସତ୍ୟପ୍ରସାଦ ରଥ

Share