Categories: ଫୁରସତ

ନିଆରା ଛତା

ବର୍ଷା ହେଉ କି ଖରା ଛତାର ଆବଶ୍ୟକତା ପ୍ରାୟ ସବୁବେଳେ ରହିଥାଏ। ଖାସ୍‌ ସେଥିପାଇଁ ଏହାର ଅନେକ ଡିଜାଇନ ଆଉ ଭେରାଇଟି ଦେଖିବାକୁ ମିଳେ। କିନ୍ତୁ ଏଠାରେ ଯେଉଁ ଛତାଗୁଡ଼ିକ ସମ୍ପର୍କରେ କୁହାଯାଉଛି ତାହା ବର୍ଷା ଓ ଖରା ଦାଉରୁ ସୁରକ୍ଷା ଦେବ ସତ, କିନ୍ତୁ ନିଜର ଅଜବ ଡିଜାଇନ ପାଇଁ କାହାର ବି ଦୃଷ୍ଟି ଆକର୍ଷଣ କରିପାରିବ ..

 

ଗଗଲ୍ସ ଅମ୍ବ୍ରେଲା: ଗଗଲ୍ସ ବା ଚଷମା। ଚଷମା ଡିଜାଇନ ଥିବା ଏହି ଛତାକୁ ଧରିଲେ ଅନେକ ସୁବିଧା ମିଳିଥାଏ। ଖରା ହେଉ କି ବର୍ଷାଦିନେ ଏହି ଛତା ଧରି ଯିବାବେଳେ ଏଥିରେ ଥିବା ଉକ୍ତ ଚଷମା ଡିଜାଇନକୁ ଆଖି ସାମ୍ନାରେ ରଖିଲେ ବାହାରର ଦୃଶ୍ୟକୁ ଆରାମରେ ଦେଖିହୁଏ। କାରଣ ଏହି ଚଷମାର ଡିଜାଇନ୍‌ ଟ୍ରାନ୍ସପରେଣ୍ଟ ହୋଇଥାଏ। ଫଳରେ ଆଉ ଛତାକୁ ଆଖି ଉପରକୁ ଟେକିବାକୁ ପଡ଼େ ନାହିଁ।
ଡୁଆଲ ଅମ୍ବ୍ରେଲା: ଏହି ଛତାକୁ ଦେଖିଲେ ଲାଗିବ ସତେ ଯେମିତି ଦୁଇଟି ଛତା ଏକାଠି ଛନ୍ଦିହୋଇ ରହିଛି। କିନ୍ତୁ ପ୍ରକୃତରେ ତାହା ନୁହେଁ। ଏହାର ଡିଜାଇନ ହିଁ ସେମିତି ହୋଇଥାଏ। ଏହି ଡୁଆଲ ଅମ୍ବ୍ରେଲା ଯୋଗୁ ଲୋକଙ୍କୁ ବହୁତ ସାହାଯ୍ୟ ମିଳେ। ଏକକାଳୀନ ୨/୩ଜଣ ଲୋକ ବେଶ୍‌ ଆରାମରେ ଏହି ଛତାରେ ଯାଇପାରିବେ। ବିଶେଷକରି ଦମ୍ପତିଙ୍କ ପାଇଁ ଏହି ଛତା ନିଆରା ଆନନ୍ଦ ଦେଇଥାଏ।
ଫୁଲ୍‌ ବଡି ଅମ୍ବ୍ରେଲା: ବର୍ଷାଦିନେ ଏହି ଛତା ମୁଣ୍ଡ ସହ ସମ୍ପୂର୍ଣ୍ଣ ଶରୀରକୁ ଓଦା ହେବାରୁ ରକ୍ଷା କରିଥାଏ। କାରଣ ଏହି ଛତାର ଚାରିପଟେ ଏକ ଲମ୍ବା ଟ୍ରାନ୍ସପରେଣ୍ଟ ଜରି ଲାଗିଥାଏ; ଯାହା ବ୍ୟକ୍ତିଙ୍କର ପାଦ ପର୍ଯ୍ୟନ୍ତ ପଡ଼ିଥାଏ। ଫଳରେ ଏହା ମଧ୍ୟରେ ଆରାମରେ ଜଣେ ବ୍ୟକ୍ତି ନିଜକୁ ପୂରା ସୁରକ୍ଷିତ ରଖିପାରିବେ। ଏପରିକି ବର୍ଷା ହେଉଥିବା ସମୟରେ ଏହି ଛତା ଧରି ରାସ୍ତାରେ ଚାଲିଚାଲି ଗଲାବେଳେ ବି ପୋଷାକ ଓଦାହେବାର ଭୟ ନ ଥାଏ।
ହ୍ୟାଣ୍ଡ ଫ୍ରି ଅମ୍ବ୍ରେଲା: ଏହି ଛତାର ଡିଜାଇନ ଏମିତି ହୋଇଥାଏ ଯେ, ଏହାକୁ ହାତରେ ଧରିବାର ଆବଶ୍ୟକତା ପଡ଼ି ନ ଥାଏ। ବରଂ କାନ୍ଧରେ ଏହାକୁ ଗଳାଇ ଦୁଇ ହାତରେ ଜିନିଷପତ୍ର ଧରି ବର୍ଷା ହେଉ କି ଖରାରେ ଆରାମରେ ଯାଇହୁଏ।
ହ୍ୟାଟ୍‌ ଅମ୍ବ୍ରେଲା: ଏହା ବି ଏକ ପ୍ରକାର ହ୍ୟାଣ୍ଡ ଫ୍ରି ଛତା। ଏହି ଛତାରେ ଏକ ସ୍ବତନ୍ତ୍ର ଧରଣର ଫିତା ଲାଗିଥାଏ, ଯାହାକୁ ମୁଣ୍ଡରେ ଗଳାଇ ଦେଲେ ଛତା ମୁଣ୍ଡ ଉପରେ ସିଧା ହୋଇ ରହିଯାଏ। ଫଳରେ ମୁଣ୍ଡ ଉପରେ ବର୍ଷାପାଣି କି ସୂର୍ଯ୍ୟକିରଣ ପଡ଼ିପାରେ ନାହିଁ। କିନ୍ତୁ ଏହି ଛତାର ଆକାର ସେତେ ବଡ଼ ହୋଇ ନ ଥିବାରୁ ଏହା କେବଳ ମୁଣ୍ଡକୁ ସୁରକ୍ଷା ଦେଇପାରେ ହେଲେ ଶରୀରର ଅନ୍ୟ ଅଙ୍ଗକୁ ନୁହେଁ।
ଫୋଲ୍ଡେବଲ୍‌ ରେନ୍‌କୋଟ୍‌ ଅମ୍ବ୍ରେଲା: ଏହାର ଡିଜାଇନକୁ ଦେଖିଲେ ଛତା ଭଳି ଲାଗେ ନାହିଁ ବରଂ ଏକ ବଡ଼ ସାଇଜ୍‌ର ଓ୍ବାଟରପ୍ରୁଫ୍‌ ହ୍ୟାଟ୍‌ ପରି ଦେଖାଯାଏ। କିନ୍ତୁ ପ୍ରକୃତ ପକ୍ଷେ ଏହା ବି ହେଉଛି ଏକ ହ୍ୟାଣ୍ଡ ଫ୍ରି ଛତା। ବର୍ଷାଦାଉରୁ ଏହା ମୁଣ୍ଡକୁ ବେଶ୍‌ ସୁରକ୍ଷା ଦେଇଥାଏ। ରେନ୍‌କୋଟ୍‌ କପଡ଼ାରେ ତିଆରି ହୋଇଥିବା ଏହି ଛତାକୁ ଆରାମରେ ଫୋଲ୍ଡ ବି କରିହୁଏ। ବର୍ଷାଦିନେ କୁଆଡ଼େ ବୁଲିବାକୁ ଗଲାବେଳେ ମଧ୍ୟ ଏହାକୁ ବ୍ୟାଗ୍‌ରେ ଫୋଲ୍ଡକରି ସୁବିଧାରେ ସାଙ୍ଗରେ ନେଇହୁଏ।

Share