ଗୁଣିର ଶିକାର

ଏକବିଂଶ ଶତାବ୍ଦୀରେ ମଣିଷ ବିଜ୍ଞାନ ପ୍ରଯୁକ୍ତିରେ ଅନେକ ଆଗେଇଯିବା ସତ୍ତ୍ୱେ ଅନ୍ଧବିଶ୍ୱାସ, ଗୁଣିଗାରେଡ଼ି ଓ ଡାହାଣୀ ଭଳି ଧାରଣାକୁ ଛାଡ଼ିପାରୁନାହିଁ। ଏଭଳି ମାନସିକତାର ଗମ୍ଭୀରତା ବିଷୟରେ ଜାତିସଂଘ ମାନବ ଅଧିକାର ପରିଷଦର ୨୦୨୩ ରିପୋର୍ଟ ସୂଚିତ କରିଥିଲା। ଏହା ଦର୍ଶାଇଥିଲା ଯେ, ବିଶ୍ୱର ୬୦ଟି ଦେଶରେ ଗୁଣିଗାରେଡ଼ି ଓ ଡାହାଣୀ ବିଶ୍ୱାସ ରହିଥିବା ବେଳେ ଦକ୍ଷିଣ ଆଫ୍ରିକୀୟ ଦେଶ, ଭାରତ ଓ ପପୁଆ ନ୍ୟୁ ଗିନିରେ ଏହାର ପ୍ରଭାବ ଅଧିକ। ଭାରତ ପରିପ୍ରେକ୍ଷୀରେ ଦେଖିବାକୁ ଗଲେ ସମୟାନ୍ତରରେ ଗୁଣିଗାରେଡ଼ି କିମ୍ବା ଡାହାଣୀ ସନ୍ଦେହରେ ମାରିଦେବା ଖବର ସାମ୍ନାକୁ ଆସେ। ଚଳିତ ମାସର ଗୋଟିଏ ସପ୍ତାହ ମଧ୍ୟରେ ଛତିଶଗଡ଼ର ଦୁଇଟି ଘଟଣା ଅତ୍ୟନ୍ତ ଉଦ୍‌ବେଗଜନକ। ସେପ୍ଟେମ୍ବର ୧୫ରେ ସୁକ୍‌ମା ଜିଲାର କୋଣ୍ଟା ଥାନା ଅନ୍ତର୍ଗତ ଏକଟାଲ ଗଁାର ୧୫ ଜଣ ଲୋକ ଗୁଣିଗାରେଡ଼ି ସନ୍ଦେହରେ ଗୋଟିଏ ପରିବାରର ୩ ଜଣ ମହିଳାଙ୍କ ସମେତ ୫ ଜଣଙ୍କୁ ପିଟିପିଟି ମାରି ଦେଇଛନ୍ତି। ଏହାର ୩ ଦିନ ପୂର୍ବରୁ ବଲୁଦବଜାର-ଭାଟପଡ଼ା ଜିଲା କସ୍‌ଡୋଲ ଥାନା ଅଧୀନ ଛର୍‌ଚ୍ଛେଡ ଗଁାର ଗୋଟିଏ ପରିବାରର ଜଣେ ଶିଶୁ ସମେତ ୪ ଜଣଙ୍କୁ ମଧ୍ୟ ସମାନ କାରଣ ପାଇଁ ସଂଘବଦ୍ଧ ଆକ୍ରମଣ କରି ହତ୍ୟା କରାଯାଇଥିଲା। ଏଠାରେ କୁହାଯାଇପାରେ ଯେ, ଗୁଣିଗାରେଡ଼ି ଓ ଡାହାଣୀର କୌଣସି ଆଧାର ନ ଥିବାବେଳେ ଏଥିରେ ବହୁ ନିର୍ଦ୍ଦୋଷଙ୍କ ଜୀବନ ବଳିପଡ଼ୁଛି। ଛତିଶଗଡ଼ ସମେତ ଦେଶରେ ଝାଡ଼ଖଣ୍ଡ, ଆସାମ, ବିହାର, ମଧ୍ୟପ୍ରଦେଶ, ରାଜସ୍ଥାନ ଓ ଓଡ଼ିଶାରେ ମଧ୍ୟ ଗୁଣିଗାରେଡ଼ିଜନିତ ହତ୍ୟା ଅଧିକ ଘଟୁଛି ବୋଲି ଜାତୀୟ ଅପରାଧ ରେକର୍ଡ ବ୍ୟୁରୋ (ଏନ୍‌ସିଆର୍‌ବି) ତଥ୍ୟରୁ ଜଣାପଡ଼ିଛି। ଉଲ୍ଲେଖନୀୟ ଯେ, ଦେଶରେ ୨୦୦୦ରୁ ୨୦୨୧ ମଧ୍ୟରେ ଗୁଣିଗାରେଡ଼ି ଯୋଗୁ ୩୦୭୭ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ସେମାନଙ୍କ ମଧ୍ୟରେ କେବଳ ଡାହାଣୀ ସନ୍ଦେହରେ ୨,୫୦୦ ମହିଳାଙ୍କୁ ମାରିଦିଆଯାଇଛି। ଏହି ତଥ୍ୟ ଦର୍ଶାଉଛି ଯେ, ଗୁଣିଗାରେଡ଼ି ଘଟଣାରେ ପୁରୁଷଙ୍କ ତୁଳନାରେ ଅଧିକ ମହିଳାଙ୍କୁ ଆକ୍ରମଣ କରି ମାରିଦିଆଯାଉଛି। ଏହା ମଧ୍ୟ ଲକ୍ଷ୍ୟ କରାଯାଏ, ଏକୁଟିଆ ରହୁଥିବା ମହିଳା କିମ୍ବା ବୃଦ୍ଧା ବେଶି ଆକ୍ରମଣର ଶିକାର ହୋଇଥାଆନ୍ତି। ଏହା ପଛରେ ବିଶେଷକରି ସମ୍ପତ୍ତି ଲୋଭ କିମ୍ବା ବ୍ୟକ୍ତିଗତ ପ୍ରତିଶୋଧ ଏକ ବଡ଼ କାରଣ ବୋଲି କୁହାଯାଇପାରେ। ବିଶେଷକରି ଅନୁନ୍ନତ ଆଦିବାସୀ ଅଞ୍ଚଳରେ ଗୁଣିଗାରେଡ଼ି ଓ ଡାହାଣୀ ସନ୍ଦେହର ମାନସିକତା ଜୋର ବାନ୍ଧି ରହିଥାଏ। ଫସଲ ହାନି, ଅର୍ଥାଭାବ, ପରିବାରରେ କୌଣସି ସଦସ୍ୟ କିମ୍ବା ଗୃହପାଳିତ ପଶୁଙ୍କ ମୃତ୍ୟୁକୁ ଅଧିକାଂଶ ସମୟରେ ଗୁଣିଗାରେଡ଼ି ଯୋଗୁ ହେଉଥିବା ବିଶ୍ୱାସ କରାଯାଏ। ଏହା ସହ ଘରେ କାହାର ଦେହ ଖରାପ ବିଶେଷକରି ପିଲାଙ୍କର ସ୍ବାସ୍ଥ୍ୟ ହାନି ହେଲେ ତାହା ଦୃଷ୍ଟିପଡ଼ିବା ବା ଗୁଣି ଯୋଗୁ ହୋଇଥିବା ବିଶ୍ୱାସ କରାଯାଏ। ପରେ ସନ୍ଦେହ ଘେରରେ ଥିବା ନିର୍ଦ୍ଦିଷ୍ଟ ପରିବାର କିମ୍ବା ବ୍ୟକ୍ତିଙ୍କ ଉପରେ ଆକ୍ରମଣ ହୋଇଥାଏ।
ସଚେତନତା ଓ ଶିକ୍ଷା ଅଭାବରୁ ଗୁଣିଗାରେଡ଼ି ଧାରଣା ବଳବତ୍ତର ରହିଆସିଛି। ଉଲ୍ଲେଖନୀୟ ଯେ, ରାଜସ୍ଥାନ, ଝାଡ଼ଖଣ୍ଡ, ଛତିଶଗଡ଼, ବିହାର, ଓଡ଼ିଶା, ଆସାମ, ମହାରାଷ୍ଟ୍ରଭଳି ରାଜ୍ୟ ଗୁଣିଗାରେଡ଼ିଜନିତ ହତ୍ୟା ରୋକିବା ଲାଗି ଆଇନ ପ୍ରଣୟନ କରିଛନ୍ତି। ହେଲେ ତାହାକୁ ରୋକିବା କଷ୍ଟକର ହୋଇପଡ଼ୁଛି। ଏହା ନିଶ୍ଚିତ ଯେ, କେବଳ ଆଇନ ଏଭଳି ମାନସିକତାକୁ ସମାଧାନ କରିପାରିବ ନାହିଁ। ତଥାପି ତୁରନ୍ତ ଓ କଠୋର ପଦକ୍ଷେପ ଗ୍ରହଣ କରାଗଲେ ଆଇନ ଭୟ ଯୋଗୁ ଏଭଳି ଅପରାଧ କିଛି ମାତ୍ରାରେ କମିପାରନ୍ତା। ଏହାବ୍ୟତୀତ ଅନୁନ୍ନତ ତଥା ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଶିକ୍ଷା ଓ ସ୍ବାସ୍ଥ୍ୟର ବିକାଶ ସହ ସଚେତନତା ସୃଷ୍ଟି କରାଗଲେ ଦୀର୍ଘମିଆଦୀ ପ୍ରଭାବ ପଡ଼ିପାରିବ।