କୁଢ଼କୁଢ଼ ଆବର୍ଜନାରେ ଭର୍ତ୍ତି ସାପ୍ତାହିକ ହାଟ

କୁତ୍ରା,୬।୭(ଦେବାଶିଷ ସାହୁ)ସୁନ୍ଦରଗଡ଼ ଜିଲା କୁତ୍ରା ୧୦ ନମ୍ବର ରାଜ୍ୟ ରାଜପଥକୁ ଥିବା ସାପ୍ତାହିକ ହାଟରେ କୁଢ଼କୁଢ଼ ଅଳିଆ ଆବର୍ଜନା ପଡ଼ି ରହିଛି। ସାମାନ୍ୟ ପବନ ହେଲେ ଅଳିଆ ଏଣେତେଣେ ଉଡ଼ିବା ସହିତ ଦୁର୍ଗନ୍ଧରେ ଫାଟି ପଡୁଛି ହାଟ ଅଞ୍ଚଳ। ଫଳରେ ସ୍ଥାନୀୟ ଦୋକାନୀ ଓ ଜନସାଧାରଣ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଆବର୍ଜନା ଗଦା ହେବା ସହ ସେଠାରେ ପାଣି ଜମି ଏକ ଅସ୍ବାସ୍ଥ୍ୟକର ପରିବେଶ ସୃଷ୍ଟି ହୋଇଛି। ଏଥି ଯୋଗୁ ସ୍ଥାନୀୟ ଲୋକେ ଡେଙ୍ଗୁ, ହଇଜା ଭଳି ଅନେକ ମାରାତ୍ମକ ରୋଗରେ ଆକ୍ରାନ୍ତ ହେବା ସୁନିଶ୍ଚିତ। ବର୍ଷା ଦିନରେ ଏହାର ସମସ୍ୟା ଆହୁରି ଦ୍ୱିଗୁଣିତ ହୋଇଯାଉଛି। ରାସ୍ତାରେ ପାଣି ଜମି କାଦୁଅ ପଚ ପଚ ହେଉଛି। ଫଳରେ ଯିବା ଆସିବାରେ ଅସୁବିଧା ହେଉଛି। ବ୍ୟବସାୟୀଙ୍କ ଅଭିଯୋଗ ହେଉଛି, ଆମଠାରୁ ପ୍ରତି ହାଟ ପାଳିରେ ଟଙ୍କା ନିଆଯାଉଛି ଅଥଚ ଏସବୁ ସ୍ଥାନ ସଫା କରାଯାଉନାହିଁ। ପ୍ରତି ହାଟ ପାଳିରେ ଗୋଟିଏ ବୋତଲ ଫିନାଇଲ ପକାଇ ଦୋକାନ ଖୋଲୁଥିଲୁ କିନ୍ତୁ ଆଜି ଫିନାଇଲ କାମ ଦେଉନାହିଁ ବୋଲି ସେମାନେ କହିଛନ୍ତି। ଏଦିଗରେ ସ୍ଥାନୀୟ ପ୍ରଶାସନ ଓ କୁତ୍ରା ସରପଞ୍ଚ ଦୃଷ୍ଟି ଦେଇ ଶୀଘ୍ର ସଫା କରିବାକୁ ଦୋକାନୀ ତଥା ଜନସାଧାରଣ ନିବେଦନ କରିଛନ୍ତି। ଏଥିସହ ହାଟ ରାସ୍ତାକୁ କଂକ୍ରିଟ କରିବା ପାଇଁ ଦାବି ହେଉଛି। ପ୍ରକାଶ ଥାଉକି, ଉକ୍ତ ସାପ୍ତାହିକ ହାଟ ଆଗରୁ ଆର୍‌ଏମ୍‌ସି ସୁନ୍ଦରଗଡ଼ ଅଧୀନରେ ରହିଥିଲା। କିଛି ବର୍ଷ ହେବ ଏହା ପଞ୍ଚାୟତକୁ ହସ୍ତାନ୍ତର କରାଯାଇଛି। ଏହାକୁ ନେଇ ସ୍ଥାନୀୟ ସରପଞ୍ଚ ଭୁବନ କୁଜୁରଙ୍କୁ ପଚାରିବାରୁ, ବଜାର ନିଲାମ ପାଇଥିବା ଠିକାଦାରଙ୍କୁ ତାଗିଦ କରିବା ସହିତ ଯଥାଶୀଘ୍ର ଏହା ସଫା କରାଯିବ ବୋଲି ସେ କହିଥିଲେ।