Categories: ଜାତୀୟ

ଜଣେ ମହିଳା ୧୦ ବର୍ଷରେ ୧୦ ଜଣ ପୁରୁଷଙ୍କ ନାଁରେ ଆଣିଛନ୍ତି ବଳାତ୍କାର-ନିର୍ଯ୍ୟାତନା ଅଭିଯୋଗ, କୋର୍ଟ ଦେଲେ ବଡ ନିର୍ଦ୍ଦେଶ

ବେଙ୍ଗାଲୁରୁ,୧୨।୯: କର୍ନାଟକର ଜଣେ ବହିଳା ୧୦ଜଣ ପୁରୁଷଙ୍କ ବିରୋଧରେ ପୃଥକ ପୃଥକ ଅପରାଧିକ ମାମଲା ଦାୟର କରିଥିବା ବେଳେ ଏବେ ଏହି ମହିଳାଙ୍କ ବିଷୟରେ ସୂଚନା ପଠାଇବାକୁ ହାଇକୋର୍ଟ ସମସ୍ତ ପୋଲିସ ଷ୍ଟେଶନକୁ ନିର୍ଦ୍ଦେଶ ଦେଇଛନ୍ତି। କର୍ନାଟକ ହାଇକୋର୍ଟ ରାଜ୍ୟ ଡିଜିପିଙ୍କୁ ଏହି ନିର୍ଦ୍ଦେଶ ଦେଇଛନ୍ତି। ମହିଳା ୨୦୧୧ ରୁ ୨୦୨୨ ମଧ୍ୟରେ ୧୦ ଜଣ ପୁରୁଷଙ୍କ ବିରୋଧରେ ମାମଲା ଦାୟର କରିଛନ୍ତି। ତାଙ୍କ ନିର୍ଦ୍ଦେଶରେ ଜଷ୍ଟିସ ଏମ ନାଗପ୍ରସାନ୍ନା ଆଇନଗତ ପ୍ରକ୍ରିୟାର ଅପବ୍ୟବହାରକୁ ରୋକିବା ଆବଶ୍ୟକ ବୋଲି କହିଥିଲେ।

ଡେକାନ ହେରାଲ୍ଡଙ୍କ ରିପୋର୍ଟ ଅନୁଯାୟୀ, ଅଗଷ୍ଟ ୨୮, ୨୦୨୨ରେ ପି.କେ ବିବେକ ମୈସୂରର ହୋଟେଲ ଲଲିତ ମହଲ ପ୍ୟାଲେସରେ ବ୍ୟବସାୟିକ କାରବାର ସଂପର୍କରେ ଉକ୍ତ ମହିଳାଙ୍କୁ ଭେଟିଥିଲେ। କିଛି ଦିନ ପରେ ମହିଳା ବିବେକ ଏବଂ ତାଙ୍କ ପରିବାର ବିରୋଧରେ ଦୁଇଟି ମାମଲା ଦାୟର କରିଥିଲେ। ବିବେକ ତାଙ୍କ ପିଟିସନରେ କୋର୍ଟଙ୍କୁ କହିଛନ୍ତି ଯେ ମହିଳା ଗତ ୧୦ବର୍ଷ ମଧ୍ୟରେ ୧୦ଜଣ ପୁରୁଷଙ୍କ ବିରୋଧରେ ସମାନ ମାମଲା ଦାୟର କରିଛନ୍ତି।
ମହିଳାଙ୍କ କ୍ରମିକ ମାମଲା ଦାଖଲ କରିବାର ପ୍ରବୃତ୍ତି ଉପରେ କୋର୍ଟ ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି। ତାଙ୍କ ଅଭିଯୋଗରେ ମହିଳା କେତେଜଣ ପୁରୁଷଙ୍କୁ ତାଙ୍କ ସ୍ବାମୀ ବୋଲି ବର୍ଣ୍ଣନା କରିଛନ୍ତି ଏବଂ ବିବାହର ପ୍ରତିଶ୍ରୁତି ଦେଇ ତାଙ୍କୁ ବଳାତ୍କାର କରିଥିବା ଅଭିଯୋଗ କରିଛନ୍ତି। ତେବେ ଶୁଣାଣି ସମୟରେ ସେ ଅନୁପସ୍ଥିତ ରହିଥିଲେ। ପ୍ରମାଣ ଉପସ୍ଥାପନ କରିବାକୁ କୋର୍ଟରେ ମଧ୍ୟ ପହଞ୍ଚି ନଥିଲେ। ଏହା ପରେ ପି.କେ ବିବେକ ଏବଂ ତାଙ୍କ ପରିବାର ବିରୋଧରେ ପଞ୍ଜୀକୃତ ହୋଇଥିବା ଅପରାଧିକ ମାମଲା ବାତିଲ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ପି.କେ ବିବେକ ହାସନ ଜିଲାର ସାକଲେଶପୁରର ବାସିନ୍ଦା ଏବଂ ଏକ କଫି ବଗିଚାର ମାଲିକ ଅଟନ୍ତି।

ଜଷ୍ଟିସ ଏମ ନାଗପ୍ରସନ୍ନା କହିଛନ୍ତି, ଯଦି ଏହି ଅଭିଯୋଗକାରୀ କୌଣସି ପୋଲିସ ଷ୍ଟେଶନରେ ମାମଲା ରୁଜୁ କରିବାକୁ ଚାହାଁନ୍ତି, ତେବେ କୌଣସି ଉପଯୁକ୍ତ ପ୍ରାଥମିକ ଅନୁସନ୍ଧାନ ବିନା ମାମଲା ପଞ୍ଜୀକୃତ ହେବା ଉଚିତ୍‌ ନୁହେଁ। ଏହା ପୁରୁଷଙ୍କ ବିରୋଧରେ ଅପରାଧର ବ୍ୟାପକ ପଞ୍ଜୀକରଣକୁ ବନ୍ଦ କରିବା ପାଇଁ। ଜଷ୍ଟିସ ନାଗପ୍ରସନ୍ନା କହିଛନ୍ତି, ଉଦ୍ଦେଶ୍ୟ ସ୍ପଷ୍ଟ। କେବଳ ଅଭିଯୋଗକାରୀଙ୍କ ସହ କୌଣସି ସମ୍ପର୍କ ନଥିବା ଲୋକଙ୍କୁ ହଇରାଣ କରିବା।
ଇଣ୍ଡିଆ ଟୁଡେ ରିପୋର୍ଟ ଅନୁଯାୟୀ, ଗତ ଦଶ ବର୍ଷ ମଧ୍ୟରେ ମହିଳା ଜଣକ ୫ଜଣ ପୁରୁଷଙ୍କୁ ବଳାତ୍କାର, ଦୁଇଜଣଙ୍କ ୁପରେ କ୍ରୁରତା ଏବଂ ତିନି ଜଣଙ୍କୁ ନିର୍ଯ୍ୟାତନା ତଥା ଅପରାଧିକ ଧମକ ଦେଇଥିବା ଅଭିଯୋଗ କରିଛନ୍ତି।

Share