ନିଜ ପରିସ୍ରା ନିଜେ ପିଇ ଓଜନ କମାଇଲେ ଏହି ମହିଳା, କହିଲେ ଦୃଷ୍ଟିଶକ୍ତି ବି ବଢୁଛି

ଓ୍ବାଶିଂଟନ,୧୯।୫: ଆମେରିକାର ଜଣେ ମହିଳା ଏକ ଅଜବ ଦାବି କରିବା ପରେ ଏହା ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି। ୩୨ ବର୍ଷୀୟା ଗେସ୍‌ ଜୋନ୍ସ ନାମକ ଏହି ମହିଳା ନିଜ ପରିସ୍ରା ନିଜେ ପିଉଛନ୍ତି। ଏଥିସହିତ ଏହାକୁ ସେ ତାଙ୍କ ଚେହେରାରେ ମଧ୍ୟ ଲଗାଇଥାନ୍ତି। ଗ୍ରେସ୍‌ଙ୍କ କହିବା କଥା ପରିସ୍ରା ପିଇ ସେ ନିଜର ଓଜନ କମାଇଛନ୍ତି। ଖାଲି ଏତିକି ନୁହେଁ, ନିଜ ପରିସ୍ରା ନିଜେ ପିଇବା ଦ୍ୱାରା ତାଙ୍କର ଦୃଷ୍ଟିଶକ୍ତି ମଧ୍ୟ ବଢ଼ିଯାଇଛି।

ଗ୍ରେସ୍‌ ଜୋନ୍ସ ଆମେରିକାର ସାନ୍‌ ଡିଏଗୋ ସହରରେ ରହୁଛନ୍ତି। ଗତ ୩ ସପ୍ତାହ ହେଲା ସେ ନିଜର ସ୍କିନ୍‌ ଏବଂ କେଶରେ ‘ୟୁରିନ୍‌ ଥେରାପି’ କରୁଛନ୍ତି। ସକାଳୁ ଉଠି ପ୍ରଥମେ ସେ ନିଜ ପରିସ୍ରା ନିଜେ ପିଅନ୍ତି। ତାଙ୍କ କହିବା କଥା ସେ ଏପରି କରିବା ଦ୍ୱାରା ତାଙ୍କର ଓଜନ କମିଛି। ଦୃଷ୍ଟିଶକ୍ତି ବି ବଢ଼ିଛି। ଏତଦ୍‌ବ୍ୟତୀତ ଉଚ୍ଚ ରକ୍ତଚାପ ଏବଂ ପାଚନ ଶକ୍ତିରେ ବହୁ ଉପକାର ମିଳୁଛି।

ତାଙ୍କର ଏହି ବିବାଦୀୟ ଥେରାପିକୁ ନେଇ ସେ ପ୍ରଥମେ ଘାବରାଇ ଯାଇଥିଲେ। ପରେ ଏହାର ଫାଇଦା ଦେଖି ତାଙ୍କର ଆତ୍ମବିଶ୍ୱାସ ବଢ଼ିଗଲା। ଗ୍ରେସ୍‌ କୁହନ୍ତି, ଏହି ଥେରାପି ସହିତ ସେ ନିରାମିଷ ଖାଦ୍ୟ ଖାଉଛନ୍ତି। ମଦ ପିଇବା ମଧ୍ୟ ବନ୍ଦ କରିଦେଇଛନ୍ତି।

ୟୁରିନ୍‌ ଥେରାପିକୁ ନେଇ ମେଡିକାଲ ସାଇନ୍ସ କମ୍ୟୁନିଟିର ପ୍ରତିକ୍ରିୟା ମିଳିପାରିନାହିଁ। ୧୯୪୫ରେ ଜନ୍‌ ଆର୍ମଷ୍ଟ୍ରଙ୍ଗ୍‌ ନାମକ ଜଣେ ବ୍ରିଟିଶ ନ୍ୟାଚୁରପାଥ୍‌ ଏକ ବହି ଛାପି ଥିଲେ। ଏଥିରେ ସେ କହିଥିଲେ କି ପରିସ୍ରା ସମସ୍ତ ଗୁରୁତର ରୋଗରୁ ମୁକ୍ତି ଦେଇଥାଏ। କିନ୍ତୁ ଆଜି ପର୍ଯ୍ୟନ୍ତ ଏହାକୁ ନେଇ କୌଣସି ବୈଜ୍ଞାନିକ ପ୍ରମାଣ ସାମ୍ନାକୁ ଆସିନାହିଁ।

Share