Categories: ଜାତୀୟ

ପାର୍ଥ ଚାଟାର୍ଜୀଙ୍କ ଉପରକୁ ଚପଲ ଫିଙ୍ଗିଲେ ମହିଳା

କୋଲକତା,୨।୮: ପଶ୍ଚିମବଙ୍ଗ ଶିକ୍ଷା ନିଯୁକ୍ତି ଦୁର୍ନୀତିରେ ଇଡି ଅନୁସନ୍ଧାନର ସମ୍ମୁଖୀନ ହୋଇଥିବା ପୂର୍ବତନ ଶିକ୍ଷା ମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କ ଉପରକୁ ମଙ୍ଗଳବାର ଜଣେ ମହିଳା ଚପଲ ଫିଙ୍ଗିଛନ୍ତି। ପାର୍ଥ ଚାଟାର୍ଜୀଙ୍କୁ ଚେକ୍‌ଅପ୍‌ ପାଇଁ ଡାକ୍ତରଖାନା ନିଆଯାଇଥିବାବେଳେ ଏହି ଘଟଣା ଘଟିଛି। ମହିଳା ଜଣକ ତାଙ୍କ ଚିକିତ୍ସା ପାଇଁ ଡାକ୍ତରଖାନାକୁ ଆସିଥିଲେ। ଚପଲ ଫିଙ୍ଗିବା ପରେ ସେ ଖାଲି ପାଦରେ ଘରକୁ ଫେରିଯାଇଥିଲେ। ସେ ଯାହା ବି କଲେ ସମ୍ପୂର୍ଣ୍ଣ ଠିକ କରିଛନ୍ତି ବୋଲି ସମ୍ପୃକ୍ତ ମହିଳା କରିଛନ୍ତି।
ଅନ୍ୟପକ୍ଷରେ ଗିରଫ ପଶ୍ଚିମବଙ୍ଗର ମନ୍ତ୍ରୀ ପାର୍ଥ ଚାଟାର୍ଜୀ ପଚରାଉଚରା ବେଳେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ସହିତ ସହଯୋଗ କରୁନାହାଁନ୍ତି ବୋଲି ଜଣେ ଇଡି ଅଧିକାରୀ କହିଛନ୍ତି। ଶିକ୍ଷା ନିଯୁକ୍ତି ଦୁର୍ନୀତି ଯାଞ୍ଚ ସମ୍ପର୍କରେ ଇଡିଙ୍କ ଅଧିକାଂଶ ପ୍ରଶ୍ନର ଉତ୍ତର ସେ ଦେଉନାହାଁନ୍ତି। ଅଧିକାଂଶ ସମୟ ସେ ଚୁପ ରହୁଛନ୍ତି॥ ନିଜକୁ ନିଲମ୍ବନ କରିବାକୁ ଟିଏମସିର ନିଷ୍ପତ୍ତିକୁ ନେଇ ସେ ଅସନ୍ତୋଷ ବ୍ୟକ୍ତ କରିଥିଲେ। ଏପରିକି ଷଡଯନ୍ତ୍ରର ଶିକାର ହୋଇ ଯାଇଥିବା ଅଭିଯୋଗ ମଧ୍ୟ କରୁଛନ୍ତି।
ସୂଚନାଯୋଗ୍ୟ, ପାର୍ଥ ଚାଟାର୍ଜୀଙ୍କୁ ଜୁଲାଇ ୨୩ରେ ଇଡି ଗିରଫ କରିଥିଲା। ଗିରଫ ପୂର୍ବରୁ ତାଙ୍କ ସହଯୋଗୀ ଅର୍ପିତା ମୁଖାର୍ଜୀଙ୍କ ବାସଭବନରୁ ଇଡି ପ୍ରାୟ ୨୧ କୋଟି ଟଙ୍କା ଜବତ କରିଥିଲା। ସରକାରୀ ବିଦ୍ୟାଳୟରେ ଶିକ୍ଷକ ନିଯୁକ୍ତି ଦୁର୍ନୀତି ସମୟରେ ପାର୍ଥ ଚାଟାର୍ଜୀଙ୍କ ପାଖରେ ଶିକ୍ଷା ବିଭାଗର ଦାୟିତ୍ୱ ଥିଲା। ପରେ ଏହି ବିଭାଗ ତାଙ୍କଠାରୁ ନିଆଯାଇଥିଲା।

Share