ଯୌତୁକ ନିର୍ଯାତନା : ପୁଅକୁ ଆଣିବାକୁ ଯାଇ ମାଡ଼ ଖାଇଲେ ମହିଳା

ବ୍ରହ୍ମପୁର ଅଫିସ,୩ା୪: ବ୍ରହ୍ମପୁର ସଦର ଥାନାରେ ଜନୈକା ମହିଳା ଶିବାନୀ ସାହୁଙ୍କୁ ତାଙ୍କ ଶଶୁର ଘରେ ଅଧିକ ଯୌତୁକ ଦାବି କରି ମାନସିକ ଓ ଶାରୀରିକ ନିର୍ଯାତନା ଦିଆଯାଉଥିବା ସୋମବାର ଅଭିଯୋଗ ହୋଇଛି। ପୋଲିସ ନଂ ୨୦୩/୨୩ରେ ଏକ ମାମଲା ରୁଜୁ କରିଛି।
୨୦୧୯ରେ ଚିକିଟି ପେଣ୍ଠର ଶିବାନୀଙ୍କୁ ଆଙ୍କୁଶପୁର ଗ୍ରାମର ସୋମନାଥ ବେହେରା ବୈଦିକ ରୀତିରେ ବିବାହ କରିଥିଲେ। ତାଙ୍କର ଏକ ୪ବର୍ଷର ପୁଅ ରହିଛି। ଅଧିକ ଯୌତୁକ ଦାବି କରିବା ସହ ବିଭିନ୍ନ କାରଣକୁ ନେଇ ଶିବାନୀଙ୍କୁ ତାଙ୍କ ସ୍ବାମୀ ଓ ଶଶୁର ଘର ଲୋକ ମାନସିକ ଓ ଶାରୀରିକ ନିର୍ଯାତନା ଦେଇ ଆସୁଥିଲେ। ଗତ ଫେବୃଆରୀରେ ଶିବାନୀଙ୍କୁ ତାଙ୍କ ଶଶୁର ଘର ଲୋକ ମାଡ଼ ମାରି ଘରୁ ତଡି ଦେଇଥିଲେ। ଅନ୍ୟପଟେ ତାଙ୍କ ୪ବର୍ଷର ପୁଅକୁ ନେବାକୁ ମନାକରି ଦେଇଥିଲେ। ସେ ପୁଅକୁ ଆଣିବାକୁ ରବିବାର ତାଙ୍କ ଶଶୁର ଘରକୁ ଯାଇଥିଲେ। ହେଲେ ପୁଣିଥରେ ତାଙ୍କ ସ୍ବାମୀ ଓ ଶଶୁର ତାଙ୍କୁ ମାଡ ମାରିବା ସହ ଜୀବନରେ ମାରିଦେବାକୁ ଧମକଚମକ ଦେଇଥିଲେ।