ହିଞ୍ଜିଳିକାଟୁ,୯ା୪(ଡି.ଏନ୍.ଏ.): ଗଞ୍ଜାମ ଜିଲା ହିଞ୍ଜିଳି ଥାନା ଗଣ୍ଡଳା ଗାଁରେ ଶନିବାର ଏକ ୧୦୮ ଆମ୍ବୁଲାନ୍ସ ଧକ୍କାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ମୃତା ମହିଳା ଜଣକ ଉକ୍ତ ଗ୍ରାମର ପଙ୍କଜା ସେଠୀ (୪୫)।
ପ୍ରକାଶ ଯେ, ଶନିବାର ଜଣେ ରୋଗୀଙ୍କୁ ବେଲଗାଁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରୁ ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ଭର୍ତ୍ତି କରି ଫେରୁଥିବା ସମୟରେ ଆମ୍ବୁଲାନ୍ସଟି ଗଣ୍ଡଳା ଗ୍ରାମ ନିକଟରେ ପଙ୍କଜାଙ୍କୁ ଧକ୍କା ଦେଇଥିଲା। ପରେ ତାଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ଚିକିତ୍ସା ପାଇଁ ବେଲଗାଁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତାର କରାଯାଇଥିଲା। ସେଠାରେ ଡାକ୍ତର ପଙ୍କଜାଙ୍କୁ ମୃତ ଘୋଷଣା କରିଥିଲେ। ଖବର ପାଇ ହିଞ୍ଜିଳି ପୋଲିସ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣାଗ୍ରସ୍ତ ଆମ୍ବୁଲାନ୍ସକୁ ଜବତ କରିଛି। ଏନେଇ ହିଞ୍ଜିଳି ଥାନାରେ ଏକ ମାମଲା ରୁଜୁ କରି ପୋଲିସ ଘଟଣାର ତଦନ୍ତ ଚଳାଇଛି।