ସ୍ତ୍ରୀଙ୍କ କାଠଫାଳିଆ ମାଡ଼ରେ ସ୍ବାମୀଙ୍କ ଜୀବନ ଗଲା

ଦାରିଙ୍ଗବାଡ଼ି,୨୬ା୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ନିଜ ସିନ୍ଦୂରକୁ ନିଜେ ପୋଛିଛନ୍ତି ସ୍ତ୍ରୀ। ସ୍ବାମୀଙ୍କ ନିର୍ଯାତନା ସହି ନ ପାରି ସ୍ତ୍ରୀ ନେଇଛନ୍ତି ଏଭଳି ନିଷ୍ପତ୍ତି।

ପ୍ରକାଶ ଯେ, ସ୍ତ୍ରୀଙ୍କ ମାଡ଼ରେ ସ୍ବାମୀ ନେତ୍ର ମାଝି(୬୩)ଙ୍କ ରବିବାର ମୃତ୍ୟୁ ହୋଇଥିବା ଥାନାରେ ଅଭିଯୋଗ ହୋଇଛି। ତେବେ ବୃଦ୍ଧଙ୍କ ପୁଅ ଓ ବୋହୂ ଅନ୍ୟ ରାଜ୍ୟରେ ଥିବାରୁ ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ କରାଇପାରିନି। ଏନେଇ ଥାନାରେ ଅଭିଯୋଗ ହେବା ପରେ ପୋଲିସ କେସ୍‌ ନଂ ୨୯/୨୪ରେ ଏକ ହତ୍ୟା ମାମଲା ରୁଜୁ କରି ଅଧିକ ତଦନ୍ତ କରୁଥିବା ଆଇଆଇଆସି ଆନନ୍ଦ ଚନ୍ଦ୍ର ପାତ୍ର କହିଛନ୍ତି। ମୃତକ ନେତ୍ର ଓ ତାଙ୍କ ସ୍ତ୍ରୀଙ୍କ ମଧ୍ୟରେ କୌଣସି ଘଟଣାକୁ ନେଇ ଝଗଡ଼ା ହୋଇଥିଲା। ଏହି ସମୟରେ ନେତ୍ର ତାଙ୍କ ସ୍ତ୍ରୀ ଶୁଭନ୍ତିଙ୍କ କାନଫୁଲକୁ ଟାଣିଥିଲେ। ଫଳରେ ଶୁଭନ୍ତି ଯନ୍ତ୍ରଣା ସହି ନ ପାରି ପାଖରେ ଥିବା ଏକ କାଠଫାଳିଆରେ ପିଟିଥିଲେ ଫଳରେ ନେତ୍ରଙ୍କ ମୁଣ୍ଡ ପଛ ପାଖରେ ଗଭୀର ମାଡ଼ ହୋଇଥିଲା ଓ ଘଟଣାସ୍ଥଳରେ ହିଁ ସେ ଟଳି ପଡ଼ିଥିଲେ।

Share