ଘାସ କାଟୁଥିଲେ ମହିଳା, ପଛରୁ ଧକ୍କା ଦେଲା ବିମାନ; ଆଉ ତା’ ପରେ…

ଓଟଓ୍ବା,୮ା୭: କିଛିଦିନ ତଳେ କାନାଡା ଚର୍ଚ୍ଚାରେ ଥିଲା। ଯେତେବେଳେ ବ୍ରିଟିଶ କଲମ୍ବିଆ ସମେତ କେତେକ ଅଞ୍ଚଳରେ ପ୍ରବଳ ଉତ୍ତାପ ଯୋଗୁ ଶହ ଶହ ଲୋକଙ୍କର ମୃତ୍ୟୁ ଘଟିଥିଲା। ବର୍ତ୍ତମାନ ଆଉ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି। ଜଣେ ମହିଳା ଘାସ କାଟୁଥିବା ସମୟରେ ଏକ ବିମାନ ପଛରୁ ତାଙ୍କୁ ଧକ୍କା ଦେଇଥିଲା। ଫଳରେ ମହିଳା ଜଣଙ୍କର ମୃତ୍ୟୁ ଘଟିଛି।

ଏହି ୨୭ ବର୍ଷୀୟା ମହିଳା ମଣ୍ଟ୍ରିଲ ସେଣ୍ଟ୍‌ ସ୍ପିରିଟ୍‌ ଏୟାରଫିଲ୍ଡ ନିକଟରେ ବୁଧବାର ଅପରାହ୍ନରେ ଘାସ କାଟିବା ପାଇଁ ଟ୍ରାକ୍ଟର ଚଳାଉଥିଲେ। ସେତେବେଳେ ପଛରୁ ଏକ ଛୋଟ ବିମାନ ତାଙ୍କୁ ଧକ୍କା ଦେଇଥିଲା। ମଣ୍ଟ୍ରିଲ ସହରଠାରୁ ଏୟାରଫିଲ୍ଡ ୩୫ କିଲୋମିଟର ଦୂର ଥିଲା। ମହିଳା ଜଣକ ଏୟାରଫିଲ୍ଡ ରକ୍ଷଣାବେକ୍ଷଣ ପାଇଁ କାର୍ଯ୍ୟ କରୁଥିବା କମ୍ପାନୀ ସହିତ କାମ କରୁଥିଲେ। ଏହି ଘଟଣା ପରେ ମହିଳାଙ୍କୁ ଡାକ୍ତରଖାନା ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

କାନାଡାର ପରିବହନ ସୁରକ୍ଷା ବୋର୍ଡ ଅନୁଯାୟୀ, ସେତେବେଳେ ଦୃଶ୍ୟମାନ ହେବାରେ କୌଣସି ଅସୁବିଧା ନ ଥିଲା। ବିମାନ ଉଡ଼ାଣ ପାଇଁ ପାଗ ମଧ୍ୟ ଅନୁକୂଳ ଥିଲା। ଏଜେନ୍ସି ଅନୁଯାୟୀ, ୨୦୨୦ ମସିହାରେ ପରିବହନ ସୁରକ୍ଷା ବୋର୍ଡ ୧୭୦ ବିମାନ ପରିବହନ ଦୁର୍ଘଟଣା ପଞ୍ଜୀକରଣ କରିଥିଲା। ଏଥିମଧ୍ୟରୁ ୧୧୪ଟି ଘରୋଇ ବିମାନ ଦୁର୍ଘଟଣାରେ ଜଡ଼ିତ ଥିଲା।

Share