ହତ୍ୟା ଅଭିଯୋଗ: ମାଟିତଳୁ ଖୋଳାହେଲା ମହିଳାଙ୍କ ମୃତଦେହ

ବାଲେଶ୍ୱର ଅଫିସ,୧୦ା୮: ବାଲେଶ୍ୱର ଜିଲା ସୋର ଥାନା ଗୋପୀନାଥପୁର ପଞ୍ଚାୟତ ବାଘ ଆମ୍ପୁଡ଼ା ଗାଁରେ ୩ ଦିନ ପରେ ମାଟିତଳୁ ବୁଧବାର ଖୋଳା ହୋଇଛି ମହିଳାଙ୍କ ଗଳିତ ମୃତଦେହ। ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ ହୋଇଥିବା ଶାଶୁଘର ଲୋକ କହି ପାଖ ଜଙ୍ଗଲରେ ପୋତି ଦେଇଥିଲେ।
ଅଭୟ ସିଂଙ୍କ ସ୍ତ୍ରୀ ମଞ୍ଜୁଲତା ( ୩୦)ଙ୍କୁ ତାଙ୍କ ଦିଅର ଏବଂ ଶାଶୁଘର ଲୋକେ ମାରି ପୋତି ଦେଇଥିବା ବାପଘର ଲୋକ ସୋର ଥାନାରେ ଅଭିଯୋଗ କରିଥିଲେ। ପୋଲିସ ଏକ ମାମଲା ରୁଜୁ କରି ସ୍ଥାନୀୟ ତହସିଲଦାରଙ୍କ ସହାୟତାରେ ମୃତଦେହ ପୋତାଯାଇଥିବା ସ୍ଥାନରେ ପହଞ୍ଚି ମାଟିତଳୁ ଖୋଳି ବାହାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଦୁଇ ବର୍ଷ ପୂର୍ବରୁ ମୃତ ମଞ୍ଜୁଲତାଙ୍କ ସ୍ବାମୀଙ୍କର ମୃତ୍ୟୁ ହୋଇଥିବା ବେଳେ ଏବେ ଶାଶୁଘର ଲୋକେ ତାଙ୍କୁ ମାରିଦେଇ ଥିବା ଅଭିଯୋଗ ଆଣିଛନ୍ତି ମଞ୍ଜୁଲତାଙ୍କ ମା’ ଜଟି ରାଉତ। ସାପ କାମୁଡ଼ାରେ ମଞ୍ଜୁଙ୍କର ମୃତ୍ୟୁ ହୋଇଥିବା ଶାଶୁଘର ଲୋକ କହିଥିଲେ ମଧ୍ୟ ଦିଅର ଏବଂ ଶଶୁର ଫେରାର ଅଛନ୍ତି। ମୃତଦେହ ବ୍ୟବଚ୍ଛେଦ ପାରେ ପ୍ରକୃତ କାରଣ ସାମ୍ନାକୁ ଆସିବ ବୋଲି କହିଛି ସୋର ପୋଲିସ।

Share