Categories: ଫୁରସତ

ମ୍ୟୁଜିୟମ୍‌ରେ ମହିଳାଙ୍କ ହୃଦୟ

ଲଣ୍ଡନ: ନିକଟରେ ଜଣେ ମହିଳା ନିଜ ହୃଦୟ ଦେଖିବାକୁ ମ୍ୟୁଜିୟମ୍‌ରେ ପହଞ୍ଚିଛନ୍ତି, ଯାହା ସୋସିଆଲ ମିଡିଆରେ ବେଶ୍‌ ଭାଇରାଲ ହେବାରେ ଲାଗିଛି। ଇଂଲଣ୍ଡର ହମ୍‌ସିର୍‌ର ବାସିନ୍ଦା ୩୮ ବର୍ଷୀୟା ଜେନିଫର ସୁଟନ୍‌ଙ୍କ ପାଇଁ ଲଣ୍ଡନର ହଣ୍ଟେରିୟାନ୍‌ ମ୍ୟୁଜିୟମ୍‌ରେ ଅଙ୍ଗ ପ୍ରଦର୍ଶନୀରେ ନିଜ ହୃଦୟକୁ ଦେଖିବା ବିଚିତ୍ର ଥିଲା। ଏପରି ପ୍ରଦର୍ଶନୀ ଜରିଆରେ ଲୋକେ ଅଙ୍ଗ ଦାନ କରିବାକୁ ପ୍ରେରଣା ପାଇବେ ବୋଲି ସେ କହିଛନ୍ତି। ମହିଳାଙ୍କ କହିବା ଅନୁସାରେ, ୧୬ ବର୍ଷ ପୂର୍ବେ ହାର୍ଟ ଟ୍ରାନ୍ସପ୍ଲାଣ୍ଟ ସର୍ଜରିରେ ତାଙ୍କ ହୃଦୟକୁ ବାହାର କରାଯାଇଥିଲା। ଏବେ ସେ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି। ଜେନିଫରଙ୍କୁ ୨୨ ବର୍ଷ ହୋଇଥିବାବେଳେ ସେ ୟୁନିଭର୍ସିଟିରେ ପଢୁଥିଲେ। ସେତେବେଳେ ସେ କିଛି କାର୍ଯ୍ୟ କରିବା ସମୟରେ ତାଙ୍କୁ ବିଭିନ୍ନ ଯନ୍ତ୍ରଣା ହେଉଥିଲା। ସେ ଡାକ୍ତରଙ୍କ ସହ ପରାମର୍ଶ କରିବାରୁ ତାଙ୍କୁ ରେଷ୍ଟ୍ରିକ୍ଟିଭ୍‌ କାର୍ଡିଓମୋପାଥି ହୋଇଥିବା ଜାଣିବାକୁ ପାଇଲେ। ଏହି ରୋଗରେ ରୋଗୀଙ୍କ ରକ୍ତ ସଞ୍ଚାଳନ ପ୍ରଭାବିତ ହୋଇଥାଏ। ଏଥିପାଇଁ ତାଙ୍କୁ ହାର୍ଟ ଟ୍ରାନ୍ସପ୍ଲାଣ୍ଟ କରିବାକୁ ପଡ଼ିବ ନ ହେଲେ ତାଙ୍କର ମୃତ୍ୟୁ ହେବାର ସମ୍ଭାବନା ଥିବା ଡାକ୍ତର କହିଥିଲେ। ତାଙ୍କ ସ୍ବାସ୍ଥ୍ୟ ବେଳକୁବେଳ ଅଧିକ ଖରାପ ହେବାରେ ଲାଗିଥିଲା। ୨୦୦୭ ଜୁନ୍‌ରେ ତାଙ୍କର ହାର୍ଟ ଟ୍ରାନ୍ସପ୍ଲାଣ୍ଟେଶନ ପାଇଁ ସମସ୍ତ ପ୍ରସ୍ତୁତି ହୋଇଗଲା। କିନ୍ତୁ ଏ ନେଇ ଜେନିଫର ବହୁତ ଚିନ୍ତିତ ଥିଲେ। କାରଣ ତାଙ୍କୁ ୧୩ ବର୍ଷ ହୋଇଥିବାବେଳେ ଏପରି ଏକ ସର୍ଜରିରେ ତାଙ୍କ ମା’ଙ୍କ ମୃତ୍ୟୁ ଘଟିଥିଲା। ହାର୍ଟ ଟ୍ରାନ୍ସପ୍ଲାଣ୍ଟ ସରିବା ପରେ ସେ ନିଜକୁ ଜଣେ ନୂଆ ମଣିଷ ଭାବେ ପାଇଥିଲେ। ପରେ ତାଙ୍କ ଅନୁମତିରେ ତାଙ୍କ ହୃଦୟକୁ ପ୍ରଦର୍ଶନୀରେ ରଖାଯାଇଛି।

Share