ଛତୁ ତୋଳିବାକୁ ଯାଇ ହାତୀ ଆକ୍ରମଣରେ ମହିଳାଙ୍କ ଜୀବନ ଗଲା

କେନ୍ଦୁଝର,୭ା୭(ନରେଶ ଚନ୍ଦ୍ର ପଟ୍ଟନାୟକ): ତେଲକୋଇ ରେଞ୍ଜ ଗୋଳାବନ୍ଧ ବିଟ ଅନ୍ତର୍ଗତ ସିରିଆବାହାଳ ଗ୍ରାମ୍ୟ ଜଙ୍ଗଲକୁ ଛତୁ ତୋଳିବାକୁ ଯାଇଥିବା ଜଣେ ମହିଳା ହାତୀ ଆକ୍ରମଣରେ ମୃତ୍ୟୁବରଣ କରିଛନ୍ତି। ମୃତ ମହିଳା ବିଦେଶୀ ପେଣ୍ଠେଇଙ୍କ ଝିଅ ଶଶିକା ବୋଲି ଜଣାପଡ଼ିଛି। ଶୁକ୍ରବାର ଦିନ ସକାଳୁ ସିରିଆବାହଳ ଗ୍ରାମର ଶଶିକା (୪୦) ଏବଂ ତାଙ୍କ ସାନ ଭଉଣୀ ବିଶାଖା ଛତୁ ତୋଳିବାକୁ ଜଙ୍ଗଲକୁ ଯାଇଥିଲେ। ଛତୁ ତୋଳୁଥିବା ବେଳେ ଉଭୟ ଏକ ଦନ୍ତାହାତୀ ହାବୁଡ଼ରେ ପଡ଼ିଥିଲେ। ସାନ ଭଉଣୀ ବିଶାଖା ଦୌଡ଼ି ପଳାଇଥିବା ବେଳେ ବଡ଼ ଭଉଣୀ ଶଶିକାଙ୍କୁ ହାତୀଟି ଶୁଣ୍ଢରେ କଚାଡ଼ି ମାରି ଦେଇଥିଲା। ମୃତ ମହିଳା ବଧିର ଥିବାରୁ ହାତୀ ଆସିବା ଜାଣି ପାରି ନ ଥିଲେ ବୋଲି ଅନୁମାନ କରାଯାଉଛି।