ବେଲଗୁଣ୍ଠା,୧୬ା୪(କୃଷ୍ଣ ଚନ୍ଦ୍ର ପଟ୍ଟନାୟକ): ଗଞ୍ଜାମ ଜିଲା ବେଲଗୁଣ୍ଠା ବ୍ଲକ୍ ଜାଲଖାଇ ବ୍ରିଜ୍ କାମ ବେଳେ ପଥର ବିସ୍ଫୋରଣରେ ଜଣେ ଶ୍ରମିକଙ୍କ ମୃତ୍ୟୁ ହୋଇଛି। ସେ ହେଲେ ପଡ଼ୋଶୀ ଆନ୍ଧ୍ରପ୍ରଦେଶର ଡ଼କ୍ଟର୍ ଆମ୍ବେଡକର କନସିମା ଜିଲା ଉପଲଗୁସ୍ତମ୍ ଥାନା ଅନ୍ତର୍ଗତ ଚଲବେରୁ ଗ୍ରାମର ଡି.ଚିନ.ନାରାୟଣ ମୁର୍ତ୍ତି। ଏନେଇ ମୃତ ନାରାୟଣଙ୍କ ପୁଅ ଡି.ସତିଶ୍ ଗାଙ୍ଗପୁର ଥାନାରେ ଏତାଲା ଦେଇଛନ୍ତି। ଡି.ସତିଶଙ୍କ ଏତଲା ପ୍ରକାରେ ସେ ଏବଂ ତାଙ୍କ ବାପା ନାରାୟଣ ଚାରି ପାଞ୍ଚ ମାସ ତଳେ ଆଉ ପାଞ୍ଚ ଛଅ ଜଣଙ୍କ ସହିତ କେ.ନୂଆଁଗଡ଼ ଏବଂ ଜାଲଖାଇକୁ ସଂଯୋଗ କରୁଥିବା ବଡ଼ ନଦୀ ସେତୁ ନିର୍ମାଣରେ ନିଯୁକ୍ତ ଥିଲେ। ଡି.ସତିଶ୍ ଜଣେ ସବ୍-କଣ୍ଟ୍ରାକ୍ଟର ଭାବେ କାର୍ଯ୍ୟ କରୁଥିବା ବେଳେ ବାପା ନାରାୟଣ ଜଣେ ଶ୍ରମିକ ଭାବେ କାର୍ଯ୍ୟ କରୁଥିଲେ।
ମଙ୍ଗଳବାର ସକାଳ ୧୧ଟା ସମୟରେ ନାରାୟଣ ସେତୁ ଉପରେ କାମ କରୁଥିବା ବେଳେ ସେଠାରେ ଥିବା ଏକ ପଥରକୁ ବିସ୍ଫୋରକ ସାହାଯ୍ୟରେ ଫୁଟାଇବା ପାଇଁ ନାରାୟଣ ସେତୁର ଏକ କାନ୍ଥ ଉପରକୁ ଚଢୁଥିବା ସମୟରେ ଜନୈକ ସୁପରଭାଇଜର ଅସାବଧାନତାବଶତଃ ବିଦ୍ୟୁତ ସଂଯୋଗ ଦେଇଦେଇଥିଲେ। ଫଳରେ ବିସ୍ଫୋରଣ ଘଟିଥିଲା। ଏଥିରେ ନାରାୟଣ ଗୁରୁତର ଆହତ ହୋଇଥିଲେ। ସେଠାରେ ଥିବା ଲୋକେ ସଙ୍ଗେ ସଙ୍ଗେ ୧୦୮ ଆମ୍ବୁଲାନ୍ସ ଡ଼କାଇଥିଲେ। କିନ୍ତୁ ସେତେବେଳକୁ ନାରାୟଣଙ୍କ ମୃତ୍ୟୁ ଘଟିଥିବାରୁ ଆମ୍ବୁଲାନ୍ସ୍ ତାଙ୍କୁ ନେଇ ନ ଥିଲା। ଏହି ବିସ୍ଫୋରଣରେ ସେଠାରେ କାର୍ଯ୍ୟରତ ଅନ୍ୟଜଣେ ଶ୍ରମିକ ଏନ୍.କ୍ରିଷ୍ଣା ମଧ୍ୟ ଆହତ ହୋଇଥିବା ବେଳେ ତାଙ୍କୁ ଭଞ୍ଜନଗର ମେଡିକାଲ୍କୁ ଚିକିତ୍ସା ପାଇଁ ପଠାଯାଇଥିଲା। ଏନେଇ ଗାଙ୍ଗପୁର ଥାନାରେ ଜଣାଇବା ପରେ ଗାଙ୍ଗପୁର ଥାନାଧିକାରୀ ଶୁଭଲକ୍ଷ୍ମୀ ପୂଜାରୀ ଏବଂ ଭଞ୍ଜନଗର ଏସ୍ଡିପିଓ ସୁଜିତ ନାୟକ ଘଟଣା ସ୍ଥଳରେ ପହଞ୍ଚି ଅନୁଧ୍ୟାନ କରିଥିଲେ। ନାରାୟଣଙ୍କ ପୁଅ ସତିଶ୍ଙ୍କ ଏତାଲାକୁ ଭିତ୍ତିକରି ଗାଙ୍ଗପୁର ଥାନାଧିକାରୀ ଶୁଭଲକ୍ଷ୍ମୀ ପୂଜାରୀ ନିଜେ ଘଟଣାର ତଦନ୍ତ ଭାର ନେଇଛନ୍ତି। ଏନେଇ ଗାଙ୍ଗପୁର ଥାନାରେ ୨୩୭/୨୫ ରେ ମାମଲା ରୁଜୁ କରାଯାଇ ଥାନାଧିକାରୀ ପୂଜାରୀ ଘଟଣା ସ୍ଥଳକୁ ପରିଦର୍ଶନ କରିବା ସହିତ ମୃତ ନାରାୟଣଙ୍କ ମୃତହେଦକୁ ବ୍ୟବଚ୍ଛେଦ କରାଇ ତାଙ୍କ ପରିବାରକୁ ହସ୍ତାନ୍ତର କରିଛନ୍ତି। ଏହା ସହିତ ସେ ଘଟଣା ସ୍ଥଳରୁ ବିସ୍ଫୋରକ ଗିଲୋଟିନ୍ ଏବଂ ଡ଼ିଟୋନେଟର ଜବତ କରିଛନ୍ତି। ଘଟଣା ସମ୍ପର୍କରେ ସେ ଗଞ୍ଜାମ ଆରକ୍ଷୀ ଅଧୀକ୍ଷକଙ୍କୁ ଜଣାଇବା ସହିତ ବମ୍ ନିଷ୍କ୍ରିୟକାରୀ ଦଳ ଏବଂ ଫରେନ୍ସିକ୍ ସାଇଣ୍ଟିଫିକ୍ ଟିମ୍ ନିଯୁକ୍ତି ପାଇଁ ଅନୁରୋଧ କରିଛନ୍ତି ଏବଂ ଘଟଣା ସମ୍ପର୍କରେ ବେଲଗୁଣ୍ଠା ଅଗ୍ନିଶମ ବାହିନୀକୁ ଅବଗତ କରାଇଛନ୍ତି। ଏହା ସହିତ ଜଣେ କର୍ମଚାରୀଙ୍କୁ ଗିରଫ କରାଯାଇ ଆସିକା କୋର୍ଟଚାଲାଣ କରାଯାଇଥିବା ଥାନାଧିକାରୀ ଶୁଭଲକ୍ଷ୍ମୀ ପୂଜାରୀ ପ୍ରକାଶ କରିଛନ୍ତି।