ହାଇଦ୍ରାବାଦରେ ଦାଦନ ଶ୍ରମିକଙ୍କ ମୃତ୍ୟୁ, ଗାଁକୁ ଫେରିଲା ମୃତଦେହ

କୋକସରା,୨୯।୬(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ମାଝୀଗୁଡା ଗ୍ରାମର ଜଣେ ଦାଦନ ଶ୍ରମିକଙ୍କ ହାଇଦ୍ରାବାଦରେ ଗତ ୨ ଦିନ ତଳେ ମୃତ୍ୟୁ ହୋଇଥିଲା। ଗୁରୁବାର ସକାଳେ ମୃତ ଦାଦନ ଶ୍ରମିକ ଭିକାରୀ ବାଗଙ୍କ ମୃତଦେହ ନିଜ ଗାଁକୁ ଏକ ଆମ୍ବୁଲାନ୍ସରେ ଆସି ପହଞ୍ଚିଛି।

ସୂଚନାନୁସାରେ, କୋକସରା ବ୍ଲକ ମାଝୀଗୁଡା ଗ୍ରାମର ମାଟୁ ବାଗଙ୍କ ପୁଅ ଭିକାରୀ ବାଗ (୩୨ ବର୍ଷ) ଗତ ୧୫ ଦିନ ତଳେ ବଡ଼ ଘୁମେର ଗ୍ରାମର ନିଜ ଶଳା ସହ ମିଶି ଦାଦନ ଖଟିବାକୁ ହାଇଦ୍ରାବାଦ ଯାଇଥିଲେ। ଗତ ମଙ୍ଗଳବାର ଭିକାରୀଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡିବାରୁ ସାଥି ଶ୍ରମିକ ମାନେ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା। ଗୁରୁବାର ଶବ ନିଜ ଗାଁ ମାଝୀଗୁଡାକୁ ଆସିବା ପରେ ଗାଁରେ ଶୋକାକୁଳ ପରିବେଶ ମଧ୍ୟରେ ଶେଷ କୃତ୍ୟ ସମ୍ପନ୍ନ ହୋଇଛି। ଘରର ଏକମାତ୍ର ରୋଜଗାରକ୍ଷମ ବ୍ୟକ୍ତିକୁ ହରାଇ ତାଙ୍କ ପରିବାର ଲୋକ ଦୁଃଖରେ ଭାଙ୍ଗି ପଡିଛନ୍ତି। ଗତ ୫ ମାସ ମଧ୍ୟରେ କୋକସରା ବ୍ଲକର ୬ ଜଣ ଦାଦନ ଶ୍ରମିକଙ୍କ ମୃତ୍ୟୁକୁ ନେଇ ସାଧାରଣରେ ଉଦବେଗ ପ୍ରକାଶ ପାଇଛି।

Share