କନ୍‌ଭେୟର ବେଲ୍ଟରେ ଚାପିହୋଇ ଚାଲିଗଲା ଶ୍ରମିକଙ୍କ ଜୀବନ; ବିକ୍ଷୋଭ ପରେ ମିଳିଲା ୯ ଲକ୍ଷର କ୍ଷତିପୂରଣ

ବଣାଇଁ,୯।୪(ସ୍ବ.ପ୍ର.)- ସୁନ୍ଦରଗଡ ଜିଲା ବଣାଇ ଥାନାର ବାର୍ହାମୂଷାଠାରେ ଥିବା ଏସ୍‌ଏମ୍‌ଆଇପିଏଲ୍‌ ସ୍ପଞ୍ଜ କାରଖାନାରେ କାମ କରୁଥିବା ବେଳେ କନଭେୟର ବେଲ୍ଟରେ ଚାପିହୋଇ ଶନିବାର ସକାଳେ ଜଣେ ଶ୍ରମିକଙ୍କର ମୃତ୍ୟୁ ଘଟିଛି। ସେ ହେଲେ କୁର୍ଡା ପଞ୍ଚାୟତ ମଧୁପୁର ଗ୍ରାମର ଅଜିତ ମହାନ୍ତ (୨୬)। ଏହି ଖବର ପ୍ରଚାରିତ ହେବା କ୍ଷଣି କାରଖାନା ସମ୍ମୁଖରେ ପ୍ରବଳ ଭିଡ ଦେଖିବାକୁ ମିଳିଥିଲା। ଉତ୍ତେଜନା ମଧ୍ୟରେ ୧୦୮ ଆମ୍ବୁଲାନ୍ସ ମୃତଦେହ ନେବାକୁ ଆସିଥିବାବେଳେ ପରିବାରଲୋକେ ଏବଂ ସ୍ଥାନୀୟ ଲୋକ ଆମ୍ବୁଲାନ୍ସକୁ ଅଟକାଇ ରଖି ବିକ୍ଷୋଭ କରିଥିଲେ। ଘଟଣାସ୍ଥଳରେ ବଣାଇ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ସୟଦ ମଜବୁର୍‌ ରେହମାନ, ଉପଖଣ୍ଡ ପୋଲିସ ଅଧିକାରୀ ସୌରଭ କୁମାର ଓତା ଏବଂ ପୋଲିସ ଫୋର୍ସ ପହଞ୍ଚି ବୁଝାସୁଝା କରୁଥିବା ବେଳେ ସେମାନେ କ୍ଷତିପୂରଣ ନ ଦେବା ପର୍ଯ୍ୟନ୍ତ ମୃତଦେହ ଛାଡ଼ିବେ ନାହିଁ ବୋଲି ଜିଦରେ ଅଟଳ ରହିଥିଲେ। ଶେଷରେ କାରଖାନା କର୍ତ୍ତୃପକ୍ଷ ଓ ଜନସାଧାରଣ ପୋଲିସ ଉପସ୍ଥିତିରେ ମୃତକଙ୍କ ପରିବାରକୁ ୮ ଲକ୍ଷ ୫୦ ହଜାର ଟଙ୍କା ଚେକ ଆକାରରେ ଏବଂ ୫୦ ହଜାର ନଗଦ ଟଙ୍କା ଦେବା ପରେ ମୃତଦେହକୁ ପୋଲିସ ବ୍ୟବଚ୍ଛେଦ ନିମନ୍ତେ ପଠାଇଛି।