ବୁଲୁଛି କ୍ଷତାକ୍ତ ହାତୀ: ଗୁଳି ବାଜିଥିବା…

ଛେଣ୍ଡିପଦା,୧୭।୨(ଅଜିତ ଧଳ): ଅନୁଗୋଳ ବନଖଣ୍ଡ ଛେଣ୍ଡିପଦା ବନାଞ୍ଚଳ ବାଗଡ଼ିଆ ଅଞ୍ଚଳରେ ୩ଦିନ ହେବ ଏକ ଗୋଠଛଡ଼ା ଦନ୍ତା ହାତୀ ବୁଲୁଥିବାବେଳେ ଲୋକେ ଭୟଭୀତ ଅବସ୍ଥାରେ ଅଛନ୍ତି। ଏହି ଦନ୍ତା ହାତୀଟି ଆଠମଲ୍ଲିକ ଅଞ୍ଚଳରୁ ୩ଦିନ ତଳେ ଛେଣ୍ଡିପଦା ବନାଞ୍ଚଳର କଣଲୋଇ ଦେଇ ବୁଧବାର ବିଳମ୍ବିତ ରାତିରେ ଖମାର ଗ୍ରାମକୁ ଆସିବା ସହିତ ନିମନାଳଠାରେ ଗୁରୁବାର ଦିନ ତମାମ ରହିଥିଲା। ସାରେ ଡ୍ରୋନ କ୍ୟାମେରା ସାହାଯ୍ୟରେ ହାତୀର ଗତିବିଧି ଉପରେ ନଜର ରଖାଯିବା ସହ ହାତୀକୁ ଘଉଡ଼ାଇ ଦିଆଯାଇଥିଲା। ଶୁକ୍ରବାର ସକାଳେ ଦନ୍ତା ହାତୀଟି ବାଗଡିଆରୁ ଟାଙ୍ଗିରି ଯାଇଥିବା ପୂର୍ତ୍ତ ବିଭାଗ ରାସ୍ତାର ପୁରୁଣାଗଡ଼ ଗ୍ରାମ ନିକଟରେ ରହିଥିଲା। ଫଳରେ ଉକ୍ତ ରାସ୍ତା ଦେଇ ଯିବା ଆସିବା କରିବାକୁ ମଧ୍ୟ ଲୋକେ ଭୟ କରୁଛନ୍ତି।
ଅନ୍ୟପଟେ ହାତୀ ମୁଣ୍ଡରେ ଏକ ଗଭୀର କ୍ଷତ ଥିବା ବନବିଭାଗ ଦେଖିବାକୁ ପାଇଛି। ଦୁଇଦିନ ହେଲା ଏଭଳି ଅବସ୍ଥାରେ ହାତୀଟି ବୁଲୁଥିବାବେଳେ ବନବିଭାଗର ତଳିଆ କର୍ମଚାରୀମାନେ କେବଳ ଜଗି ରହିଛନ୍ତି। ବର୍ତ୍ତମାନ ସୁଦ୍ଧା ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ଚିକିତ୍ସା ପାଇଁ କୌଣସି ବ୍ୟବସ୍ଥା କରି ନ ଥିବାରୁ ଜନ ଅସନ୍ତୋଷ ଦେଖାଦେଇଛି।

ଖବରପାଇ ଅନୁଗୋଳ ଡିଏଫଓ ବିବେକ କୁମାରଙ୍କ ନିର୍ଦ୍ଦେଶରେ ସାତକୋଶିଆ ଡାକ୍ତର ପ୍ରଦୀପ କୁମାର ସିଂହ ଓ ଏକ ଡାକ୍ତରୀ ଦଳ ଘଟଣାସ୍ଥଳରେ ପହଞ୍ଚି ହାତୀର ଗତିବିଧି ନିରୀକ୍ଷଣ କରିଛନ୍ତି। ହାତୀ ମୁଣ୍ଡରେ ୪ଟି କ୍ଷତ ସ୍ଥାନ ଥିବାବେଳେ ଗୁଳି ବାଜି ଏପରି ହୋଇଥିବା ଜନସାଧାରଣ ଆଲୋଚନା ହେଉଛି। ଡାକ୍ତରୀ ଦଳର ଅନୁଧ୍ୟାନ ପରେ ଚିକିତ୍ସା କରିବା ସହିତ କାରଣ ଜଣାପଡିବ ବୋଲି ବନାଞ୍ଚଳ ଅଧିକାରୀ ଶୁଭ୍ରଶୁଚିସ୍ମିତା ମହାପାତ୍ର ପ୍ରକାଶ କରିଛନ୍ତି। ଅନୁଗୋଳ ଏସିଏଫ ବିଦ୍ୟା ସାଗରଙ୍କ ତତ୍ତ୍ୱାବଧାନରେ ଫରେଷ୍ଟର ସୁଶାନ୍ତ ନାଏକ, ବନକର୍ମଚାରୀ ଓ ହାତୀ ସ୍କ୍ବାଡ୍‌ ହାତୀର ଗତିବିଧି ଉପରେ ନଜର ରଖିଛନ୍ତି।